କନକ ବ୍ୟୁରୋ : ଅପରେସନ ସାଇଲେଣ୍ଟ ଭାଇପରକୁ ବଡ ସଫଳତା । ୧୯୯୯ ମସିହା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଦୀର୍ଘ ୨୨ ବର୍ଷ ପରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ପାତାଳରୁ ଖୋଜି ବାହାର କରିଛୁ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଏ ବାବଦରେ ପ୍ରେସମିଟରେ ପୂରା ସୂଚନା ଦେଇଛନ୍ତି ପୋଲିସ କମିଶନର ।

Advertisment

୨୨ ବର୍ଷ ପୂର୍ବେ ଅଥାର୍ତ ୧୯୯୯ ଜାନୁଆରୀ ୯ ତାରିଖରେ ବାରଙ୍ଗରେ କାର ଭିତରେ ହୋଇଥିବା ଏକ ବିଭତ୍ସ ଗଣଦୁଷ୍କର୍ମ ଘଟଣା ପୂରା ରାଜ୍ୟକୁ ଦୋହଲାଇ ଦେଇଥିଲା । ଏହି ଗଣଦୁଷ୍କର୍ମ ଘଟଣାରେ ୨ ଜଣ ଅଭିଯୁକ୍ତ ପ୍ରଦୀପ ସାହୁ ଓ ଧୀରେନ୍ଦ୍ର ମହାନ୍ତିଙ୍କୁ ଗିରଫ କରିଥିଲା ପୋଲିସ । ପରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । କିନ୍ତୁ ମୁଖ୍ୟ ଅଭିଯୁକ୍ତ ବିବେକାନନ୍ଦ ବିଶ୍ୱାଳ ଫେରାର ହୋଇଯାଇଥିଲା । ଆଉ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ସିବିଆଇ ତଦନ୍ତର ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତେବେ ଅନେକ ଚେଷ୍ଟା ସତ୍ତେ୍ୱ ମଧ୍ୟ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିପାରିନଥିଲା ସିବିଆଇ । ଏପରିକି ବିବନ ବିଶ୍ୱାଳ ମୃତ୍ୟୁବରଣ କରିଥିବା ନେଇ ମଧ୍ୟ ଏକ ଉଡା ଖବର ଆସିଥିଲା ।

ତେବେ ଏହି ଘଟଣାର ଦୀର୍ଘ ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତକୁ ଧରିଛି କମିଶନରେଟ ପୋଲିସ । ଆଉ ଏଥିପାଇଁ ଗତ ୩ ମାସ ତଳୁ କମିଶନରେଟ ପୋଲିସ ଆରମ୍ଭ କରିଥିଲା ଅପରେସନ ସାଇଲେଣ୍ଟ ଭାଇପର ବା ନିରବ ବୋଡାସାପ । ୪ ଜଣ ପୋଲିସ କର୍ମଚାରୀଙ୍କ ସହାୟତାରେ ଆରମ୍ଭ ହୋଇଥିଲା ଏହି ଅପରେସନ । ଆଉ ଏହି ଅପରେସନ ମାଧ୍ୟମରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ମୁମ୍ବାଇରେ ରହୁଥିବା ଜାଣିବାକୁ ପାଇଥିଲା କମିଶନରେଟ ପୋଲିସ । କେବଳ ମୁମ୍ବାଇରେ ରହୁନଥିଲା ବରଂ ସେଠାରେ ସ୍ଥାୟୀ ବାସିନ୍ଦା ହୋଇଯାଇଥିଲା ବିବନ । ବ୍ୟାଙ୍କ ଆକାଉଣ୍ଟ, ଆଧାର କାର୍ଡ ସହ ନୂଆ ପରିଚୟ ଜଳନ୍ଧର ସ୍ୱାଇଁ ଭାବେ ଆମ୍ବି ଭାଲିରେ ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା ମୁଖ୍ୟ ଅଭିଯୁକ୍ତ ।

ଆଉ ଏକଥା ଜଣାପଡିବା ପରେ ମୁମ୍ବାଇ ପୋଲିସ ସହାୟତାରେ ଘଟଣାସ୍ଥଳକୁ ଯାଇଥିଲା କମିଶନରେଟ ପୋଲିସର ଟିମ୍ ।  ଆଉ ସେଠାରେ ଜଳନ୍ଧର ସ୍ୱାଇଁ ଓରଫ ବିବନ ବିଶ୍ୱାଳଙ୍କୁ ଠାବ କରିଥିଲା ପୋଲିସ । ତେବେ ପୋଲିସକୁ ଦେଖି ଜଳନ୍ଧର ଦୌଡିବା ପରେ ତାକୁ ଗୋଡାଇ ଗୋଡାଇ କାବୁ କରିଥିଲା ଓଡ଼ିଶା ପୋଲିସର ଟିମ୍ । ଆଉ ଏହାସହ ଅନେକ ଗୁଡିଏ ତଥ୍ୟ ମଧ୍ୟ ସାମ୍ନାକୁ ଆସିଥିଲା । ଏପରିକି ବିବନ ଓଡ଼ିଶାରେ ଥିବା ପରିବାର ସହ ଲଗାତାର ସମ୍ପର୍କରେ ରହୁଥିବା ବେଳେ ଓଡ଼ିଶା ମଧ୍ୟ ଆସିଥିବା କହିଛି ପୋଲିସ । ଆଉ ଏସବୁ ଭିତରେ ନିଜର ମୃତ୍ୟୁ ସାର୍ଟିଫିକେଟ ବାହାର କରିବାକୁ ବାରମ୍ବାର ଉଦ୍ୟମ କରିଥିଲା ବିବନ । କିନ୍ତୁ ଏଥିରେ ସଫଳ ହେବା ପୂର୍ବରୁ ବିବନଙ୍କୁ ଧରିଥିଲା ପୋଲିସ । ତେବେ ଏନେଇ ପୋଲିସ କମିଶନର କହିଛନ୍ତି ସିବିଆଇ ଯାହା କରିପାରିନଥିଲା ତାହା ଓଡ଼ିଶା ପୋଲିସ କରି ଦେଖାଇଛି । ଆମ ପାଖରେ ସମ୍ବଳ କମ ଥାଇପାରେ କିନ୍ତୁ ବୁଦ୍ଧିମତାରେ ଆମେ ଆଗରେ ବୋଲି କହିଛନ୍ତି ସୁଧାଂଶୁ ଷଡଙ୍ଗୀ । ଏହାସହ ଖୁବଶୀଘ୍ର ବିବନକୁ ସିବିଆଇକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ପୋଲିସ କମିଶନର । ତେବେ ଦୀର୍ଘ ୨୨ ବର୍ଷ ପରେ ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରି ଏବେ ଓଡ଼ିଶା ପୋଲିସ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ।