ଏଥର ନକ୍ସଲଙ୍କୁ ନିସ୍ତାର ନାହିଁ । ଲାଲଗଡରେ ପଶି ମାଓବାଦୀଙ୍କୁ ନିପାତ କରିବାକୁ ହେବ ଅପରେସନ ପ୍ରହାର, ଖୋଜି ଖୋଜି ମାଓନେତାଙ୍କୁ କରାଯିବ ଏନକାଉଣ୍ଟର । 

562

କନକ ବ୍ୟୁରୋ : ମାଓ ଦମନ ପାଇଁ କରାଯିବ ଅପରେସନ୍ ପ୍ରହାର-୩ । କରୋନା ଯୋଗୁଁ ମାଓ ଅପରେସନ ଟିକେ ଥମି ଯାଇଥିଲା । ଏବେ ଆଉ ନୁହେଁ । ଏଣିକି ମାଓ ଅପରେସନକୁ ଜୋରଦାର କରାଯିବ । ମାଓବାଦୀଙ୍କୁ ମୁହଁତୋଡ ଜବାବ ଦେବାକୁ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ । ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ବୈଠକରେ ନକ୍ସଲଙ୍କୁ ଦମନ କରିବା ପାଇଁ ଏକ ବଡ ଯୋଜନା କରାଯାଇଛି । ଛତିଶଗଡ଼ର ସୁ୍କମା-ବିଜାପୁର ସୀମାରେ ସୁରକ୍ଷାକର୍ମୀଙ୍କ ଉପରେ ନକ୍ସଲ ହମଲା କରିଥିବା ଘଟଣା ସ୍ଥଳ ବୁଲି ଦେଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହାସହ ସହିଦକୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ,  କହିଛନ୍ତି ବ୍ୟର୍ଥ ଯିବନି ଯବାନଙ୍କ ବଳିଦାନ ।

ନିସ୍ତାର ପାଇବେନି ନକ୍ସଲ । ଆରମ୍ଭ ହେବ ଅପରେସନ ପ୍ରହାର-୩ । ଦେଶ ଭିତରେ ରହି ଆତଙ୍କ ସୃଷ୍ଟି କରୁଥିବା ମାଓବାଦୀଙ୍କୁ ଆଉ ନିସ୍ତାର ମିଳିବ ନାହିଁ । ଛତିଶଗଡ ବିଜାପୁରରେ ନକ୍ସଲମାନେ ଯେଉଁଭଳି ୨୨ ଯବାନଙ୍କୁ ହତ୍ୟାକରି ରକ୍ତର ହୋଲି ଖେଳିଛନ୍ତିି , ତାହାର ପରିଣାମ ଭୋଗିବେ । ଜଙ୍ଗଲ ଭିତରେ ସେମାନଙ୍କ ଗଡରେ ପଶି ନିପାତ କରିବାକୁ ପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ କରୁଛି ସେନା । ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସୁରକ୍ଷା ବଳ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ ପ୍ରହାରକୁ ଆହୁରି ଜୋରଦାର କରାଯିବ । ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଥିବା ଜଣାପଡିଛି । ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଶାହା କହିଛନ୍ତି, ନକ୍ସଲଙ୍କ ବିରୋଧରେ ଶେଷ ଲଢ଼େଇ ଲଢ଼ାଯିବ । ଏଥିପାଇଁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି । ଅପରେସନ ପାଇଁ ହ୍ୟୁମାନ ଇଂଟେଲିଜେନ୍ସ ଓ ଟେକ୍ନିକାଲ ଇଂଟେଲିଜେନ୍ସର ସହାୟତା ନିଆଯିବ ।

ଅପରେସନ ପ୍ରହାର-୩ରେ ପ୍ରଥମେ ମୋଷ୍ଟ ୱାଂଟେଡ ଥିବା ମାଓବାଦୀଙ୍କର ଏକ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ଟାର୍ଗେଟ କରାଯିବ । ସେହି ତାଲିକା ଅନୁସାରେ ସେମାନଙ୍କର ଗତିବିଧି ଉପରେ ନଜର ରଖିବେ ସୁରକ୍ଷାବଳ । ବିଶେଷକରି ଯେଉଁ ମାଓନେତାମାନେ, ସାଧାସିଧା ଆଦିବାସୀ ଯୁବକମାନଙ୍କ ବ୍ରେନୱାସ କରି ନକ୍ସଲ ସଂଗଠନରେ ସାମିଲ କରୁଛନ୍ତି ସେମାନଙ୍କୁ ନିପାତ କରିବା ପାଇଁ ଅପରେସନକୁ ଜୋରଦାର କରାଯିବ ।

 ଜଙ୍ଗଲରେ ରାଜ କରୁଥିବା ଟପ୍ ମାଓ କମାଣ୍ଡରଙ୍କ ଏକ ତାଲିକା ପ୍ରସ୍ତୁତ କରିଛି ସୁରକ୍ଷା ବଳ । ସେଥିରେ ପିଏଲଜିଏ-୧ର ସବୁଠାରୁ ବଡ କମାଣ୍ଡର ହିଡମାର ନାଁ ରହିଛି । ଯିଏ କି ଶନିବାର ବିଜାପୁରରେ ଘଟିଥିବା ନରସଂହାରର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି । ସୁରକ୍ଷା ବଳଙ୍କ ମୋଷ୍ଟୱାଣ୍ଟେଡ ତାଲିକାରେ ରହିଛି, ଦୁର୍ଦାନ୍ତ ମାଓବାଦୀ ହିଡମା, କମଲେଶ ଓରଫ ଲଛୁ, ସାକେତ୍, ଲାଲୁ ଦାଣ୍ଡାମି, ମଙ୍ଗେସ ଗଣ୍ଡ, ରାମ ଜୀ, ସୁଖଲାଲ ଓ ମଲେଶଙ୍କ ନାଁ  ।

ଛତିଶଗଡର ବସ୍ତର ଅଞ୍ଚଳକୁ ମାଓ ମୁକ୍ତ କରିବା ପାଇଁ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ବା ଡିଆରଜି, ସ୍ପେଶାଲ ଟ୍ୟାକ୍ସ ଫୋର୍ସ ବା ଏସଟିଏଫ, ସେଂଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ବା ସିଆରପିଏଫର କୋବ୍ରା ବାଟାଲିୟନ ମିଳିତ ଭାବେ ଅଭିଯାନ ଜାରି ରଖିଛନ୍ତି । ଏହି ସର୍ଚ୍ଚ ଅପରେସନକୁ ଅପରେସନ ପ୍ରହାର ବୋଲି କୁହାଯାଉଛି ।