କନକ ବ୍ୟୁରୋ: ନାଁ- ସତ୍ୟଜିତ ହେଲେ ଗୋଡଠୁ ମୁଣ୍ଡ ଖାଲି ମିଛ। ମିଛରେ ଉବୁଟୁବୁ ଏହି ଦଲାଲର କାରନାମା କୌଣସି ଫିଲ୍ମର ସିନ ଠାରୁ କମ ନୁହେଁ। ଏହି ରସିକିଆ ରୋମିଓର କାମ ହେଉଛି- ବିଧବା ଓ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିବା। ଗୋଟିଏ ଲକ୍ଷ ହେଉଛି ମହିଳାଙ୍କ ନାଁରେ ପର୍ସନାଲ ଲୋନ କରି ଟଙ୍କା ଉଠାଇବା। ଆଉ ବ୍ୟାଙ୍କ ୠଣ କରି ବଡବଡ ଗାଡି ଚଢିବା। ଯଦି କେହି ଟଙ୍କା ଫେରସ୍ତ ମାଗନ୍ତି ତେବେ, ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରଲର ଧମକ ଦିଏ। ମହିଳାଙ୍କ ଠାରୁ ସର୍ବସ୍ୱ ଲୁଟ କରିବା ପରେ, ଦୁବାଇ ଚାଲିଯାଏ। ଜଣେ କି ଦିଜଣ ନୁହେଁ ୫ ଜଣଙ୍କୁ ବିବାହ କରିଥିଲା ଏହି ଚାଲବାଜ ସତ୍ୟଜିତ । ୨ ଜଣଙ୍କୁ କୋର୍ଟ ମ୍ୟାରେଜ କରିଥିଲା । ଜାଣି ଆଶ୍ଚର୍ୟ୍ୟ ହେବେ ଆହୁରି ୪୯ ଜଣକୁ ବିବାହ ପାଇଁ ତିଆରି କରିଥିଲା ବ୍ଲୁ ପ୍ରିଂଟ। ଏହି କେଳେଙ୍କାରିଆ ପୁରୁଷ ନାଁ ସତ୍ୟଜିତ ପାଇଥିଲେ ବି କାମ କିନ୍ତୁ ଥିଲା ପୂରା ସଉକଜିତ୍ ।
ପୋଲିସର ‘ଅପରେସନ ମଜନୁ’
ଲେଡି ଅଫିସର ସାଜିଥିଲେ ଲୈଲା
ଏହି ଅଭିଯୁକ୍ତକୁ ଧରିବା ପାଇଁ କମନିଶନରେଟ ପୁଲିସ ଆରମ୍ଭ କରିଥିଲା ଅପରେସନ ମଜନୁ। ଜଣେ ଲେଡି ଅଫିସର ନିଜକୁ ଲୈଲାର ପରିଚୟ ଦେଇ ଚାଟିଂ କରିଥିଲେ। ମହିଳା ପୁଲିସଙ୍କୁ ବି ସେହି ଢଙ୍ଗରେ ଲୁଟିବା ପାଇଁ ବ୍ଲୁ ପ୍ରିଂଟ ତିଆରି କରି ଫଶି ଯାଇଥିଲା ସତ୍ୟଜିତ।
ଠକ ମଜନୁକୁ ଗିରଫ କରାଯାଇଛି। ଆଉ ତା ସହ ସଂପର୍କରେ ଥିବା ୪୯ ଲୈଲାଙ୍କ ତାଲିକା କନକ ନ୍ୟୁଜ ହାତରେ ଲାଗିଛି । କେଉଁମାନେ ସତ୍ୟଜିତର ଥିଲେ ପରବର୍ତ୍ତୀ ଟାର୍ଗେଟ । ଧୂର୍ତ୍ତ ସତ୍ୟଜିତର ଘର ଯାଜପୁରର ଜିଲ୍ଲାରେ । ସେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଂଚଳରେ ରହୁଥିଲା। ଅଭିଯୁକ୍ତକୁ ରିମାଣ୍ଡରେ ଆଣି ପଚରା ଉଚରା କରିବ ପୁଲିସ। କେତେ ମହିଳାଙ୍କ ଠାରୁ କେବେ ଓ କେତେ ଟଙ୍କା ଲୁଟିଛି ତାର ହିସାବ କିତାବ ହେବ। ଏହି ରସିକ ଦ୍ୱାରା ଠକେଇ ହୋଇଥିବା ମହିଳା ମାନେ ଥାନାର ଦ୍ୱାରସ୍ଥ ହୋଇ ପାରିବେ, ଏବଂ ସେମାନଙ୍କ ନାଁ ଗୋପନ ରଖାଯିବ ବୋଲି ପୁଲିସ କହିଛି।