ରାଜଧାନୀରେ ଅପରେସନ ଦଲାଲଗିରି ପାର୍ଟ-୨ : ଦଲାଲ ଓ ଦୁର୍ବୃତ୍ତ ସାମ୍ବାଦିକ ବେଶରେ ଆସି ଲୁଟ୍, ଘିଅ କମ୍ପାନି ମାଲିକଙ୍କୁ ଧମକ ଦେଇ ୧ଲକ୍ଷ ଟଙ୍କା ନେଇଗଲେ ଦୁର୍ବୃତ୍ତ; ସିସିଟିଭି ଫୁଟେଜ ଆଧାରରେ ପୋଲିସର ତଦନ୍ତ ଜାରି

132

କନକ ବ୍ୟୁରୋ : ରାଜଧାନୀରେ ସାମ୍ବାଦିକର ପରିଚୟ ଦେଇ ଦଲାଲ ଓ ଦୁର୍ବୃତ୍ତମାନେ ଲୁଟପାଟ କରୁଛନ୍ତି । ତମାଣ୍ଡୋ ଅଂଚଳର ଲକ୍ଷ୍ମୀ ଫୁଡ ପ୍ରଡକ୍ଟର ମାଲିକ ଯତୀନ କୁମାର ସାହୁଙ୍କୁ ଧମକ ଚମକ ଦେଇ ୧ଲକ୍ଷ ଟଙ୍କା ବଟି ଦୁର୍ବୃତ୍ତମାନେ ନେଇଛନ୍ତି । ଏନେଇ ଥାନାରେ ଯତୀନ ସାହୁ ଲିଖିତ ଅଭିଯୋଗ କରିବା ପରେ ଲକ୍ଷ୍ମୀ ଫୁଡ ପ୍ରଡକ୍ସନ ହାଉସରେ ପହଂଚି ତଦନ୍ତ ଆରମ୍ଭ କରିଛି ତମାଣ୍ଡୋ ପୁଲିସ ।

କାରଖାନାରେ ଲାଗିଥିବା ସିସିଟିଭି ଫୁଟେଜକୁ ଜବତ କରି ଜବତ ଫୁଟେଜ ଆଧାରରେ ପୁଲିସ ତଦନ୍ତ ଚଳାଇଛି । କଂପାନୀ ମାଲିକ କହିଛନ୍ତି, ଦୁଇ ଜଣ ସାମ୍ବାଦିକ ବେଶରେ ବୁମ ଧରି ଆସିଥିଲେ, ଆଉ ୨ ଜଣ କ୍ୟାମେରା ଧରିଥିଲେ । ଅପମିଶ୍ରିତ ଘିଅ ବିକ୍ରି କରୁଥିବା କହି ଟିଭିରେ ଦେଖାଇ ଦେବୁ ବୋଲି ଧମକ ଚମକ ଦେଇ ୧ଲକ୍ଷ ଟଙ୍କା ବଟି ମାଗିଥିଲେ । ଭୟରେ ଯତୀନ ସାହୁ ୧ଲକ୍ଷ ଟଙ୍କା ଦେଇଥିବା ଅଭିଯୋଗ କରିଛନ୍ତି ।

ଗତକାଲି ୬ଜଣ ଦୁର୍ବୃତ୍ତ ସାମ୍ବାଦିକର ପରିଚୟ ଦେଇ ଘିଅ କାରଖାନା ମାଲିକଙ୍କୁ ବଟି ଦେବା ପାଇଁ ଧମକ ଚମକ ଦେଇଥିଲେ । ଏନେଇ ଅଭିଯୋଗ ପରେ ୬ ଜଣ ଦଲାଲଙ୍କୁ ଗିରଫ କରିଥିଲା ପୁଲିସ । ଏହି ଦୁଇଟି ଘଟଣା ପରେ ରାଜଧାନୀରେ ସାମ୍ବାଦିକ ବେଶରେ ଆସି ଦଲାଲ ଓ ଦୁର୍ବୃତ୍ତମାନେ ଲୁଟ କରୁଥିବା ସ୍ପଷ୍ଟ ହୋଇଛି ।