ଝିଲିଙ୍କ ମୁହଁରେ ଝଲସୁଛି ହସ… ଅପରେସନ ଆଣିଦେଲା ନୂଆ ଆଶା, ଦେଖାଇଲା ବଞ୍ଚିବାର ବାଟ । ନିଆଁରେ ପୋଡିଯାଇଥିଲା ପୂରା ଶରୀର

292

କନକ ବ୍ୟୁରୋ: ଝିଲିଙ୍କ ମୁହଁରେ ଝଲସିଲା ହସ । ଅପରେସନ ଆଣିଦେଲା ଖୁସି । ସେଦିନ ନିଆଁ ଜାଳି ଦେଇଥିଲା ଜୀବନର ସବୁ ଆଶା, ସବୁ ସ୍ୱପ୍ନ । ପୋଡିଦେଇଥିଲା ଚେହେରା, ରଙ୍ଗହୀନ ହୋଇଥିଲା ରୂପରଙ୍ଗ । ଜୀବନ ଥିଲା ସତ କିନ୍ତୁ ଜିଇଁବାକୁ ଇଚ୍ଛା ନଥିଲା । ନିଶ୍ୱାସ ଚାଲୁଥିଲା ହେଲେ ନିଇତି ମରିବାକୁ ଇଚ୍ଛା ହେଉଥିଲା । ଶାରୀରିକ ଯନ୍ତ୍ରଣା ଠାରୁ ବଳି ଯାଉଥିଲା ସମାଜକୁ ସାମ୍ନା କରିବାର ଯନ୍ତ୍ରଣା । ଝିଅଟିଏ ପୋଡା ଦେହ ନେଇ କେମିତି ଘରୁ ବାହାରିବ ? ତା ଅସୁନ୍ଦରିଆ ଚେହେରା ଦେଖି କେହି ନାକ ଟେକିବେନି ତ ? କେହି ଟାହି ଟାପରା କରିବେନି ତ? ଏମିତି ଅନେକ ପ୍ରଶ୍ନର ସାମ୍ନା କରି ମାନସିକ ଚାପରେ ରହୁଥିଲେ ଝିଲି ।

ସେଦିନ ସେ କଥା ଆଜି ବି ମନେପଡିଗଲେ ଆଖି ଛଳଛଳ ହୋଇଯାଏ… ହେଲେ ଏବେ ବଦଳିଯାଇଛି ପରିସ୍ଥିତି । ନୂଆ ଜୀବନ, ନୂଆ ରୂପ ପାଇଛନ୍ତି ଝିଲ୍ଲି । ଆଉ ଗରିବ ଆଦିବାସୀ ଘରର ଏ ଅସହାୟ ଝିଅଙ୍କୁ ମିଳିଯାଇଛି ବଞ୍ଚିବାର ବାଟ । ଅପରେସନ ପରେ ପୁରୁଣା ଚେହେରା ବଦଳିଛି ଆଉ ନୂଆ ଚେହେରା ମିଳିଛି ।

ତେବେ ବାଲେଶ୍ୱର ନୀଳଗିରିର ଝିଲ୍ଲି ସିଂଙ୍କୁ ଯେତେବେଳେ ୪ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ସହ ଘଟିଥିଲା ଏକ ଭୟଙ୍କର ଅଘଟଣ । ଶୀତ ଦିନେ ନିଆଁ ସେକୁଥିବାବେଳେ ନିଆଁରେ ପୋଡି ହୋଇଯାଇଥିଲେ ଝିଲି । ଶରୀରର ୭୦ ଭାଗ ପୋଡିଯାଇଥିଲା । ବାସ ତାପରେ ବଦଳିଗଲା ସବୁକିଛି । ଅଲୋଡା ପାଲଟିଗଲେ ଝିଲି । ଟଙ୍କା ଅଭାବରୁ ଚିକିତ୍ସା ହୋଇପାରିନଥିଲା । କିନ୍ତୁ ବହୁ ବର୍ଷ ପରେ ଝିିଲି ମୁହଁରେ ହସ ଫୁଟିଛି । ଆଉ ଅସ୍ତ୍ରୋପଚାର ପରେ ତାଙ୍କୁ ନୂଆଁ ଚେହେରା ମିଳିଛି ।

ଝିଲିଙ୍କ ମୁହଁରେ ହସ ଫୁଟାଇବା ପାଇଁ ପୂରା ଦାୟିତ୍ୱ ନେଇଛି ଭୁବନେଶ୍ୱରର ଶୁଶୃତ ହସ୍ପିଟାଲ । ଆଉ ତାଙ୍କୁ ନୂଆ ଜୀବନ ଦେବାକୁ ଜିଜାନ ଲଗାଇ ଦେଇଛନ୍ତି ପ୍ଲାଷ୍ଟିକ ସର୍ଜନ ଡାକ୍ତର ଅକ୍ଷୟ ରାଉତ । ଗରିବ ଝିଅକୁ ନୂଆ ଜୀବନ ଦାନ କରିବାକୁ ଚାଲିଛି ମାଗଣାରେ ଚିକିତ୍ସା । ଆଉ ପ୍ଲାଷ୍ଟିକ ସର୍ଜରୀ, ରହିବା ଖାଇବାର ସମସ୍ତ ଖର୍ଚ୍ଚ ବହନ କରୁଛି ଏହି ହସ୍ପିଟାଲ ।

ଦିନ ଥିଲା ଆଇନାରେ ମୁହଁ ଦେଖିଲେ ନିଜକୁ ଭୟ କରୁଥିଲେ ଝିଲି । ହେଲେ ଏବେ ମନରେ ସଞ୍ଚାର ହୋଇଛି ଜୀଇଁବାର ଆଶା । ବସା ବାନ୍ଧିଛି ବଞ୍ଚିବାର ଭରସା । ଅପରେସନ ଦେଖାଇଛି ବଞ୍ଚିବାର ବାଟ । ଝିଲ୍ଲି ପୂରାପୂରି ଭଲ ହୋଇ ନୂଆ ଜୀବନ ଜିଅଁନ୍ତୁ… ଏତିକି ଜଗନ୍ନାଥଙ୍କ ପାଖେ ପ୍ରାର୍ଥନା ।