କନକ ବ୍ୟୁରୋ : ସାଧୁତାର ପରୀକ୍ଷାରେ ଫେଲ୍ ମାରିଲେ ଖୋର୍ଦ୍ଧା ସବଡିଭିଜନ୍ ଜେଇ ଅଭିମନ୍ୟୁ ଜେନା । ଗାନ୍ଧୀ ନୋଟ ପାଇବା କଥା ଶୁଣିବା ପରେ ବଦଳିଯାଉଛି ବାବୁଙ୍କ ଚରିତ୍ର । କନକ ନ୍ୟୁଜର ଅପରେସନ୍ ବ୍ଲାକଆଉଟରେ ଅଭିମନ୍ୟୁ ଦୁର୍ନୀତିର ଚିତ୍ର ସାମ୍ନାକୁ ଆସିଛି । ଇନଭଟର କମ୍ପାନି ଠାରୁ ଟଙ୍କା ନେଇ ମନଇଚ୍ଛା ପାୱାରକଟ୍ କରିବାକୁ ରାଜି ହେଉଛନ୍ତି ଖୋର୍ଦ୍ଧା ସବଡିଭିଜନ ଜେଇ । କେବଳ ନିଜେ ନୁହେଁ ବରଂ ବିଦ୍ୟୁତ୍ ବିଭାଗରେ କାମ କରୁଥିବା ଅନ୍ୟ ଅଫିସରଙ୍କୁ ମଧ୍ୟ ଦୁର୍ନୀତିର ନକ୍ସା ଦେଖାଇବାକୁ ଭୁଲୁନାହାନ୍ତି । ୨ ଘଣ୍ଟା ନୁହେଁ ବରଂ ୫ ମିନିଟ ପୂର୍ବରୁ କଲ କଲେ ସେ ପାୱାରକଟ କରିଦେବେ ଏବଂ ଏଥିରେ କୌଣସି ପ୍ରକାର ସମସ୍ୟା ଦେଖାଦେବ ନାହିଁ ବୋଲି ଦମ୍ଭ ଦେଖାଇଛନ୍ତି ଅଭିମନ୍ୟୁ ।
ତେବେ ଅପରେସନ ବ୍ଲାକଆଉଟରେ ବିଦ୍ୟୁତ ବିଭାଗର କଳାକାହାଣୀ ସାମ୍ନାକୁ ଆସିବା ପରେ କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଛନ୍ତି ଅଭିମନ୍ୟୁ ଜେନା । କହିଛନ୍ତି, ମୋତେ ଫସାଇଦେବାକୁ ଚେଷ୍ଟା କରାଯାଉଛି । ଭିଡିଓକୁ କଟ କରାଯାଇ ମୋତେ ଫସାଇ ଦିଆଯାଇଛି । ଏପରିକି ଆପଣ ମୋତେ କହିଥିଲେ କଣ, କଲେ କଣ ବୋଲି ଲିକିଂ ଗୁରୁ ଡଟ୍ କମର ସାମ୍ବାଦିକଙ୍କୁ ଫୋନରେ ପଚାରିଥିଲେ ଅଭିମନ୍ୟୁ । ଆଉ ଏହାପରେ ଯେତେବେଳେ ପୁଣିଥରେ ଅଭିମନ୍ୟୁଙ୍କ ସହ ଯୋଗଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଫୋନ୍ ଉଠାଇନଥିଲେ ଅଭିମନ୍ୟୁ ।
ଆଉ ଏହା ଭିତରେ ପ୍ରଶ୍ନ ଉଠୁଛି,
- ବିଜୁଳି ବିଭାଗରେ ଚାଲିଥିବା ଦୁର୍ନୀତି ଦେଖୁଛନ୍ତି ତ ସରକାର?
- ଏହି ଅଧିକାରୀଙ୍କ ବିରୋଧରେ କ’ଣ ହେବ କାର୍ଯ୍ୟାନୁଷ୍ଠାନ?
- ନିଜ ପଦବୀର ଦୁରୁପଯୋଗ କରୁଥିବା ଏହି ବାବୁଙ୍କ ପାଇଁ ସରକାରଙ୍କ ଆଭିମୁଖ୍ୟ କ’ଣ?
- ତଦନ୍ତର ନିର୍ଦ୍ଦେଶ ଦେବେ କି ରାଜ୍ୟ ସରକାର?
- ୫-ଟିରେ ସ୍ୱଛତାର କଥା କହୁଥିବା ସରକାରୀ ଅଧିକାରୀଙ୍କ ଏ କି ଆଭିମୁଖ୍ୟ?
- ଲୋକଙ୍କ ଜୀବନକୁ ବିପର୍ଯ୍ୟସ୍ତ କରିବାର ଅଧିକାର ଏମାନଙ୍କୁ ଦେଲା କିଏ?
- ପୂରା ବିଜୁଳି ବିଭାଗରେ ଅଧିକାରୀଙ୍କ ଉପରେ କଡା ନଜର ରହିବା ଆବଶ୍ୟକ କି?
ବିଦ୍ୟୁତ ବିଭାଗର ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ନେଇ ସାଧାରଣରେ ମଧ୍ୟ ପ୍ରଶ୍ନ ଉଠିଛି । ଦୀର୍ଘ ୫ ବର୍ଷ ହେଲାଣି ଜେଇ ଏଠାରେ ଥିବା ବେଳେ ମନଇଚ୍ଛା ପାୱାରକଟ କରୁଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଏହାର କାରଣ ପଚାରିଲେ କାମ ଚାଲୁଥିବା ଦର୍ଶାଇ ଭୁଆଁ ବୁଲାଉଥିଲେ ଜେଇ । ଏପରିକି କେଉଁ ସ୍ଥାନରେ କାମ ଚାଲୁଛି ପଚାରିଲେ ମୁହଁ ଖୋଲୁନଥିଲେ ଜେଇ । ତେବେ ଖୋର୍ଦ୍ଧା ସବଡିଭିଜନ୍ ଜେଇଙ୍କ ଏଭଳି କାର୍ଯ୍ୟକଳାପକୁ ନେଇ ବିଦ୍ୟୁତ୍ ବିଭାଗ ଉପରେ ପ୍ରଶ୍ନ ଉଠିଛି ।
- ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏ ପର୍ଦ୍ଦାଫାଶ ନେଇ କ’ଣ ରଖିବେ ପ୍ରତିକ୍ରିୟା ?
- ନିଜ ବିଭାଗରେ ଚାଲିଥିବା ଏହି ଦୁର୍ନୀତିକୁ ନେଇ କଡା ଆଭିମୁଖ୍ୟ ଦେଖାଇବେ କି ମନ୍ତ୍ରୀ?
- ଶକ୍ତି ବିଭାଗର ଏହି ଅସାଧୁ ଅଫିସରଙ୍କ ପ୍ରତି କ’ଣ ରହିବ ଆଭିମୁଖ୍ୟ?
- ରିପୋର୍ଟ ତଲବ କରିବା ସହ କଡା କାର୍ଯ୍ୟାନୁଷ୍ଠାନର ଧାରା ଆରମ୍ଭ କରିବେ ମନ୍ତ୍ରୀ?
- ରାଜ୍ୟର ଅନ୍ୟ କ୍ଷେତ୍ରରେ ଏହା ଯେପରି ନହେବ, ସେନେଇ ପ୍ରତିଶ୍ରୁିତି ଦେବେ କି ମନ୍ତ୍ରୀ?
- ଶକ୍ତି ବିଭାଗରେ ସ୍ୱଛତା ବଢାଇବାକୁ ଠୋସ ପଦକ୍ଷେପ ଗ୍ରହଣ କରିବେ କି?