ଅପରେସନ ବ୍ଲାକଆଉଟ । ଦାମୀ ହୋଟେଲରେ ହେଲା ଡିଲ୍ ଫାଇନାଲ, ସ୍ମାର୍ଟସିଟିକୁ ଅନ୍ଧାର କରିବାକୁ ସୁବ୍ରତ କଲେ ଷଡଯନ୍ତ୍ର । ନଜର ପକାନ୍ତୁ କେମିତି ହୋଇଥିଲା ପୂରା ଡିଲ୍ ।

1,113

କନକ ବ୍ୟୁରୋ : ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ଅଂଚଳ ରାଜଧାନୀ ଭୁବନେଶ୍ୱର । ଏହିଠାରୁ କାମ କରନ୍ତି ସରକାର । ଏହିଠାରୁ କ୍ରିୟାଶୀଳ ହୁଏ ପୁରା ପ୍ରଶାସନିକ କଳ । ହେଲେ ଟଙ୍କା ପାଇଁ ଯେ, ରାଜଧାନୀ ଭୁବନେଶ୍ୱରରେ ଗୁଲ ହୋଇପାରେ ବିଜୁଳି ଏକଥା ନଦେଖିଲା ଯାଏଁ ଆପଣଙ୍କ ଆଖି ବିଶ୍ୱାସ କରିପାରିବନି । ଜାଣନ୍ତୁ କେମିତି ରାଜଧାନୀର ଛାତି ଉପରେ ପଇସା ପାଇଁ ପାୱାର କଟର ଡିଲ ।

ଦଶହରା ଛୁଟି ପୂର୍ବ ସମୟ
ଭିଏସଏସ ନଗର ଜେଇଙ୍କ କାର୍ଯ୍ୟାଳୟ
ଜେଇ ସୁବ୍ରତ ଦାସଙ୍କ ରିୟଲିଟି ଟେଷ୍ଟ
ଜେଇଙ୍କୁ ଭେଟୁଛନ୍ତି ଇନଭଟର କମ୍ପାନି କର୍ମଚାରୀ

ଦ୍ୱିତୀୟ ସାମ୍ବାଦିକ- ଏଠାକାର ବିକ୍ରି ଦାୟିତ୍ୱ ମୋର । ଏମାନେ କମ୍ପାନୀର ଲୋକ । ପୁସ୍ ମାର୍କେଟିଂ ପାଇଁ, କ’ଣ କି ଲୋକ ହଇରାଣ ହେଲେ ଯାଇଁ ଜିନିଷ କିଣିବ । ଭାବନ୍ତୁ ଯଦି ଦିନେ କି ଦୁଇ ଦିନ ଡେରି ରାତିରେ ପାୱାର କଟ୍ ହେବ, ତାହା ହେଲେ ପରଦିନ ସକାଳେ ଆମକୁ ମାର୍କେଟିଂ ସହଜ ହେଇଯିବ । ପୁସ୍ ମାର୍କେଟିଂ ପାଇଁ । ଅଟୋମେଟିକ୍ କଣ କି.. ଏବେ ଆପଣଙ୍କ ଏରିଆରେ ଫନି ଆସିଥିଲା । ତେଣୁ ଲୋକେ ଆପେ କିଣିବା ଆରମ୍ଭ କଲେ ।

ପ୍ରଥମ ସାମ୍ବାଦିକ- ସେତେବେଳେ ତ ସାର ଜେନେରେଟର ଯାହା ବିକ୍ରି ହେଲା ଆପଣ ଜାଣିଥିବେ । ଅଧିକ ରେଟ୍ରେ ।

ଦ୍ୱିତୀୟ ସାମ୍ବାଦିକ- ଦିନେ/ଦୁଇ ଦିନ ପାଇଁ କିଛି କରନ୍ତୁ ନା ଆମ ପାଇଁ ।

ପ୍ରଥମ ସାମ୍ବାଦିକ- ତିନି/ଚାରି ଦିନ ଯଦି ସାର କଂଟିନ୍ୟୁସ୍ଲି ୩ଟାରୁ ୪ଟା, ୪ଟା ରୁ ୫ଟା..

ଜେଇ- କଂଟିନ୍ୟୁ?

ଦ୍ୱିତୀୟ ସାମ୍ବାଦିକ- କଂଟିନ୍ୟୁ କରନ୍ତୁ । ଗୋଟିଏ ସପ୍ତାହରେ ମନେ କରନ୍ତୁ ଦୁଇ/ତିନି ଦିନ ଯେମିତି..

ପ୍ରଥମ ସାମ୍ବାଦିକ- ଆଜି ଗୋଟେ ଦିନ । ଦୁଇ ଦିନ ପରେ ଆଉଥରେ । ଆଉ ଦୁଇ/ତିନି ଦିନ ପରେ ଆଉ ଥରେ ।

ଜେଇ- ଆପଣ ଗୋଟେ କାମ କରନ୍ତୁ, ଅଫିସିଆଲି ତ କେହି ସେମିତି ଆପଣଙ୍କୁ ଆଲର୍ଟ କରିବେନି..

ପ୍ରଥମ ସାମ୍ବାଦିକ- ଅଫିସିଆଲି ନାହିଁ ସାର । ଯାହା ହେବ ନନ୍-ଅଫିସିଆଲି । ଆପଣ ଯାହା ଆମକୁ ରିପୋର୍ଟ ଦେବେ ।

ଜେଇ- ସେଇଟା ଆମ ରିପୋର୍ଟ ଦିଆଯାଉଛି । ପ୍ରତ୍ୟେକ ଦିନ ଡେଲି ଆମର ଯାହା ଲାଇନ୍ କଟିଲା ଆମର ରିପୋର୍ଟ ଦିଆଯାଉଛି । କ’ଣ ପାଇଁ ଅଧିକ କଟିଲା, କ’ଣ ନାହିଁ । ଆମର ଡେଲି ରିପୋର୍ଟ ଦିଆଯାଉଛି ।

ଦ୍ୱିତୀୟ ସାମ୍ବାଦିକ- କେତେ ଦିନ ଯାଏ କଟ୍ସ । ଆପଣଙ୍କ ସ୍ତରରେ କେତେଦିନ ଯାଏଁ କାଟି ପାରିବେ?

ଜେଇ- ଦେଖନ୍ତୁ ଆମେ ତ ଏମିତି ଜାଣିଶୁଣି କେବେବି ଲୋକଙ୍କୁ ଅନ୍ଧାରରେ ରଖିପାରିବୁନି । ଅଧ ଘଂଟା, ଘଂଟାଏ କାମ ପାଇଁ ଯୋଉଟା କରାହୁଏ । କିନ୍ତୁ କଂଟିନ୍ୟୁୟସ୍ ତ ଆମର କରାହୁଏନି ନା..

ଦିନକ ପୂର୍ବରୁ ଯିଏ ଲୋକଙ୍କ ହଇରାଣ କରିହେବନି ବୋଲି କହୁଥିଲେ, ହୋଟଲରେ ବସିବା ପରେ ବଦଳି ଗଲା ସ୍ୱର । ଘଂଟାକୁ ୧୦ ହଜାର ଟଙ୍କାର ଅଫର ପାଇ ବଦଳାଇ ଦେଲେ ଆଭିମୁଖ୍ୟ । ମାସେ ଭିତରେ ୧୦ ଥର ବିଜୁଳି କାଟିରେ ପକେଟକୁ ଚାଲି ଆସିବ ୫ ଲକ୍ଷ ଟଙ୍କା । ଏମିତି ଗୋଟିଏ ଅଫର, ବାବୁଙ୍କ ମିଜାଜ ରାତାରାତି ବଦଳାଇଦେଲା ବୋଧହୁଏ ।

ଦ୍ୱିତୀୟ ସାମ୍ବାଦିକ- ଆଚ୍ଛା ଆପଣ ମତେ କୁହନ୍ତୁ, ଗୋଟିଏ ମାସରେ ଆପଣ ମୋ ପାଇଁ କେତେଥର କାଟି ପାରିବେ?
ଜେଇ – ମୁଁ ଏସଡିଓଙ୍କ ସାଙ୍ଗରେ କଥାହୋଇ ସାରେ, ତାପରେ ଆପଣଙ୍କୁ ଜଣେଇବି । ଆଜି ତ ମିଟିଂ ଅଛି ସନ୍ଧ୍ୟାରେ । ଆଜି ହେଇ ପାରିବନି ।
ପ୍ରଥମ ସାମ୍ବାଦିକ – ନାଇଁ ନାଇଁ ଯେତେବେଳେ ସମୟ ହେଇପାରିବ । କିଛି ଆବଶ୍ୟକତା ନାହିଁ ।
ଦ୍ୱିତୀୟ ସାମ୍ବାଦିକ – ୟାଙ୍କ ଲେବଲରେ ଯାହା ହେଇପାରିବ ଆଗ କଥା ହେଇଯିବା ।
ଜେଇ – ନାଇଁ ଯାହା ବି ହେବ, ଆମର ଏସ୍ଡିଓଙ୍କ ସହ କଥା ହେଲେ । ଆମର ସବ୍ଡିଭିଜନ୍ଟା ଟୋଟାଲ ଏଠି ନୟାପଲ୍ଲୀ ସବ୍ଡିଭିଜନ୍ ଗୋଟେ ଅଛି, ଭିଏସ୍ଏସ୍ ନଗର ସେକ୍ସନ୍, ଜାଭିଅର, ବଙ୍ଗମୁଣ୍ଡା, ନୟାପଲ୍ଲୀ । ୪ଟା ସେକସନ୍ । ନୟାପଲ୍ଲୀ ଟା ଆପଣଙ୍କର ପ୍ରଶ୍ନ ଉଠୁନି ।
ଦ୍ୱିତୀୟ ସାମ୍ବାଦିକ – ସୁବ୍ରତ ନା? ସୁବ୍ରତ ବାବୁ ଆପଣଙ୍କ ସ୍ତରରେ ପ୍ରଥମେ ଥରେ ଚେଷ୍ଟା କରିବା । ଓକେ.. ପୁଣି ଏସ୍ଡିଓଙ୍କ ସହ କଥା ହେବା ତ ୟେସ୍ ବି ହେଇପାରେ ନୋ ବି ହେଇପାରେ । ନୋ ହେଇଗଲା ଯଦି ଆପଣଙ୍କ ପାଇଁ ଆଉ କିଛି ଅପସନ୍ ରହିବନି । ଆପଣ ଆପଣଙ୍କ ସ୍ତରରେ ପ୍ରଥମେ ଚେଷ୍ଟା କରନ୍ତୁ । କ’ଣ ସମ୍ଭାବନା ଅଛି ଆମକୁ କୁହନ୍ତୁ । ଏସ୍ଡିଓଙ୍କ ସ୍ତରରେ ହେଇପାରେ ଆମର ଅଲଗା ଲୋକ ବି ସମ୍ପର୍କରେ ଆସିପାରନ୍ତି । ଏସ୍ଡିଓ ନିଜେ ଆପଣଙ୍କ ସହ କଥାହେବେ । ପ୍ରଥମେ ଆପଣଙ୍କ ସ୍ତରରେ କ’ଣ ହେଇପାରିବ ଆମକୁ କୁହନ୍ତୁ ।
ଜେଇ – ଆଜି ତ ନାହିଁ । ଆଜି ସାଢେ ୬ଟାରେ ଗୋଟେ ମିଟିଂ ଅଛି ।
ପ୍ରଥମ ସାମ୍ବାଦିକ – ଆଜ୍ଞା କାଲି ଯଦି..
ଜେଇ – କାଲି ଦେଖିବା ।

ପ୍ରାଥମିକ କଥାବାର୍ତ୍ତା ପରଦିନ
ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ହୋଟେଲ
ଭିଏସଏସ ନଗର ଜେଇଙ୍କ ସହ କଥାବାର୍ତ୍ତା
ପାୱାର କଟ୍ ପାଇଁ ସ୍ଥାନ ଓ ସମୟ ଫିକ୍ସ

ହୋଟେଲରେ ମାଗଣା ଖାଇବା ସହ ନିଜ ବିବେକକୁ ଖାଇଗଲେ ବିଜୁଳି ବିଭାଗ ବାବୁ । ଏଥର କିନ୍ତୁ ହୋଟେଲରେ ଏକା ନଥିଲେ ଭିଏସଏସ ନଗର ଜେଇ, ସାଙ୍ଗରେ ବି ଥିଲେ ବରମୁଣ୍ଡା ଜେଇ । ଡିଲ ହେଲା ସଂଧ୍ୟା ୭ଟା ୧୦ରେ ଭିଏସଏସ ନଗରରେ କଟିଯିବ ବିଜୁଳି । ସମାନ ସମୟରେ ବରମୁଣ୍ଡାରେ ବି ହେବ ପାୱାର କଟ୍ ।

ସହରକୁ ଅନ୍ଧାର କରିଦେବାକୁ ଗୋଟିଏ ବୈଠକରେ ସ୍ଥିର ହୋଇଗଲା ଷଡଯନ୍ତ୍ର
– କେମିତି ବିକ୍ରି ହୋଇଯାଏ ବାବୁଙ୍କ ବିବେକ ତାହା ଦେଖିବାକୁ ମିଳିଲା ଭୁବନେଶ୍ୱରରେ
– ଇନଭଟର କମ୍ପାନି ସ୍ଥିର କରିବ କେଉଁଠି ଓ କେତେବେଳେ କଟିବ ଭୁବନେଶ୍ୱରରେ ଲାଇନ୍?
– କେଉଁ ଅଂଚଳରେ ବିଜୁଳି କଟିବ ତାହା ସ୍ଥିର କରି ଜେଇଙ୍କୁ ଜଣାଇଦେବେ କମ୍ପାନି କର୍ମଚାରୀ

ପ୍ରଥମ ସାମ୍ବାଦିକ- କେତେବେଳେ କୁହନ୍ତୁ?
ଦ୍ୱିତୀୟ ସାମ୍ବାଦିକ- ସିଏ କହୁଛନ୍ତି ନା ତାଙ୍କ ଟାଇମ୍ ।
ପ୍ରଥମ ସାମ୍ବାଦିକ – ସାରଙ୍କର କେତେବେଳେ?
ଜେଇ- ୭ଟା ୧୦ରେ
ଦ୍ୱିତୀୟ ସାମ୍ବାଦିକ- ୭ଟା ୧୦ରୁ ତ? ଆପଣଙ୍କର ଭାଇ ସମାନ ଟାଇମ ତ? ଆମେ କଣ ଚାହୁଁଥିଲୁ କି, ସମାନ ଟାଇମରେ ହେଇଗଲେ ଆମପାଇଁ ଟେନସନ କମିଥାନ୍ତା ।
ପ୍ରଥମ ସାମ୍ବାଦିକ – ମୁଁ କହିନଥିଲି? ଅନୱାର୍ଡ୍ସ କରିଦେବା । ମୁଁ ଏପଟରୁ ଆସି ନେଇଯିବି । କହିଦିଅନ୍ତୁ ୭ଟାରୁ.. ।
ଦ୍ୱିତୀୟ ସାମ୍ବାଦିକ- କିଛି ଅସୁବିଧା ନାହିଁ । ମିଠା ଫିଠା କିଛି ନେବେନି ଆପଣ? ଆପଣ ମତେ ଜଣେଇବେ ନା? ଭାଇ ଆପଣ ଜଣେଇବେ ଖାଲି ନା? ତ ମୁଁ ୟାଙ୍କୁ ଅଧଘଂଟା, ଘଂଟାଏ ପରେ ଫୋନ କରିବି । ଠିକ ସମୟଟା କହିଦେବେ । ତାଙ୍କର ତ ୭ଟା ୧୦ । ତମେ ଛାଡିକି ଆସ ନା । ମୋର ଆଉଜଣେ, ଦୁଇଜଣ ଗେଷ୍ଟ ଆସିବେ ତ ମୁଁ ତାଙ୍କ ପାଇଁ ଅପେକ୍ଷା କିରିବି । ଓକେ । ଥ୍ୟାଙ୍କ ୟୁ ।

ଭୁବନେଶ୍ୱରର ଆଉ ଏକ ପ୍ରତିଷ୍ଠିତ ହୋଟେଲ
ହୋଟେଲରେ ଉପସ୍ଥିତ ଦୁଇଜଣ ଜେଇ
ଭିଏସଏସ ନଗର ଜେଇ ସୁବ୍ରତ ଦାସ
ବରମୁଣ୍ଡା ଜେଇ ସୁବ୍ରତ ମିଶ୍ର ବି ଉପସ୍ଥିତ
ଦୁହିଁଙ୍କ ସହ ହୋଇଗଲା ଡିଲ ଫାଇନାଲ

ଏମିତି ଅଭିଯୋଗ ଡାକ୍ତରଙ୍କ ବିରୋଧରେ ହୁଏ । ନିର୍ଦ୍ଦିଷ୍ଟ କମ୍ପାନିର ଔଷଧ ଲେଖିବାକୁ କମ୍ପାନିଗୁଡିକ ଡାକ୍ତରଙ୍କୁ ଦାମୀ ଉପହାର ଦିଅନ୍ତି । ଫରେନ ଟୁର ନହେଲେ କମିଶନ ପାଇଁ ଡିଲ କରିଥାନ୍ତି ବୋଲି ଚର୍ଚ୍ଚା ହୁଏ । ହେଲେ ଇଲେକ୍ଟ୍ରିକାଲ ଜେଇଙ୍କ କ୍ଷେତ୍ରରେ ଏଭିଲ ଡିଲ ଆମେ ପ୍ରଥମଥର ପାଇଁ ଦେଖୁଛୁ । ଆପଣ ବି ଦେଖିଥିବେ ବୋଧହୁଏ । ଯେତେବେଳେ ପଇସା ପାଇଁ ହେଉଛି ପାୱାର କଟ୍ ।

ଜେଇ- କଲେଣି, ପ୍ଲାନିଂ କଲେଣି? ପୂଜା ଟାଇମ ଆସିଗଲା ଆପଣ ଏଇନେ ପୁଣି…
ଦ୍ୱିତୀୟ ସାମ୍ବାଦିକ- ମୋର ଗୋଟିଏ କାମ ଆପଣ କରିପାରିବେ କି? ଆଜି ମୋତେ ୭ଟା ବେଳେ ଫୋନ କରି କହିବେ କି?
ଜେଇ- ସଂଧ୍ୟା ୭ଟାରେ?
ଦ୍ୱିତୀୟ ସାମ୍ବାଦିକ- ୭ଟାରୁ ୮ଟା କରନ୍ତୁ । ଆଜି ଗୋଟେ ଘଂଟା ମତେ ଖାଲି…
ଜେଇ- କୋଉ ଏରିଆ?
ପ୍ରଥମ ସାମ୍ବାଦିକ- ଆପଣଙ୍କର କୋଉ ଏରିଆ ସୁଇଟେବୁଲ ହୋଇପାରିବ?
ଜେଇ- ଆପଣ କହୁ ନାହାନ୍ତି, ଆପଣଙ୍କ ପ୍ରାୟୋରିଟି କୋଉଟା?

ପ୍ରଥମ ସାମ୍ବାଦିକ- ଆପଣଙ୍କୁ ସୁବିଧା ଯୋଉଟା ହେବ ।

ଦ୍ୱିତୀୟ ସାମ୍ବାଦିକ- ଦେଖନ୍ତୁ ଆମର ବି ସିଡ୍ୟୁଲ ରହିବ । ତା ସହିତ ଆପଣଙ୍କୁ ଯେମିତି ଅସୁବିଧା ନହେବ । ସେହି ହିସାବରେ ମୋତେ କହି ଦିଅନ୍ତୁ । କାହିଁକି ନା ଆମ ଡାଇରେକ୍ଟର ଆଜି ଆସୁଛନ୍ତି । ସେ ସଂଧ୍ୟାରେ ୪ଟା ବେଳେ ପହଂଚିଯିବେ ଆଜି । ସେଥିପାଇଁ ମୁଁ ଆପଣଙ୍କୁ ଭେଟିଲି । ଆଜି ମତେ ୭ ରୁ ୮ ଖାଲି ଦେଇ ଦିଅନ୍ତୁ । କୋଉ ଏରିଆ ହେବ, ମତେ କହିପାରିବେ? କୋଉ ଏରିଆରେ କରିବେ କୁହନ୍ତୁ? ସିଏ ସେଇଠି ରହିବେ । ତେଣୁ ଯାହା ହେବ ମତେ କହିଦେବେ ଗୋଟେ ରାଉଣ୍ଡ ଜଷ୍ଟ ଖାଲି.. । ଆପଣ ସିଡ୍ୟୁଲ ମ୍ୟାଚ୍ କଲେ ମୁଁ ତାଙ୍କୁ ବୁଲେଇ ଦେବି । ଆପଣଙ୍କର ଭିଏସ୍ଏସ୍ ନଗର କରି ଦିଅନ୍ତୁ ନା.. ଆପଣଙ୍କ ଯୋଉ ଏରିଆ ଥିବ, ଯୋଉଠିକି ଆମେ ଯାଇଥିଲେ, ସେଇଟା ତ’ ଆପଣଙ୍କ ଅଣ୍ଡରରେ ଅଛି ନା । ସେଇ ଏରିଆରେ କହି ଦିଅନ୍ତୁ ନା.. ସେଇଟା ତ ପୁରା କମ୍ପାକ୍ଟ ଅଛି । ହଁ କି ନାହିଁ? କଂଜ୍ୟୁମର ବେସ୍ ବି ଅଧିକ ଥିବ । ଆଜି ଗୋଟିଏ ଦିନ ଦେଇ ଦିଅନ୍ତୁ । ବାକି ମୁଁ ମ୍ୟାନେଜ୍ କରିଦେବି । ସେଥିପାଇଁ କହୁଛି ପୂଜା ପୂର୍ବରୁ ଗୋଟେ ଦରକାର ଥିଲା ଆମକୁ । ଆଜି ଗୋଟେ ଦେଇ ଦିଅନ୍ତୁ ନା । ବାକି ମ୍ୟାନେଜ୍ କରିବା ଆଉ କ’ଣ..

ସେପ୍ଟେମ୍ବର ମାସ
ଭୁବନେଶ୍ୱରର ସେହି ପ୍ରତିଷ୍ଠିତ ହୋଟେଲ
ଲାଇନ କାଟିବାକୁ ରାଜି ଦୁଇଜଣ ଜେଇ
ସ୍ଥାନ ଓ ସମୟ କହିବ ଇନଭଟର କାମ୍ପାନି
କମ୍ପାନି ଡାଇରେକ୍ଟର ଆସିଲେ କଟିବ ଲାଇନ୍

 

ଦ୍ୱିତୀୟ ସାମ୍ବାଦିକ – ଯୋଉ ପହଁଚିବାର ଥିଲା, ୫ଟା ସାଢେ ୫ଟା ସୁଦ୍ଧା ପହଁଚିଯିବେ । ତେଣୁ ଆମର କିଛି ସମସ୍ୟା ନାହିଁ । ସେପର୍ଯ୍ୟନ୍ତ ତମେ ବି ସେଇ ଏରିଆରେ ଦେଖି ନିଅ କ’ଣ କରିହେବ । କୋଉ ଏରିଆ ଟିକେ କୁହନ୍ତୁ, ସେଇ ହିସାବରେ ଇଏ ନେଇକି ଯିବେ ତାଙ୍କୁ । ତମେ କିନ୍ତୁ ରହିବ ସାଙ୍ଗରେ ତାଙ୍କର । ନହେଲେ ଯୋଉଠି ସିଡ୍ୟୁଲ୍ ନାହିଁ, ସେଠିକି ଯଦି ଚାଲିଗଲେ..

ଦ୍ୱିତୀୟ ଜେଇ – ଅଧଘଂଟା କାଟିଦେଲେ ହେବ?

ପ୍ରଥମ ଜେଇ – ଅଧଘଂଟା କାଟିଦେଲେ ଚଲିବ?

ଦ୍ୱିତୀୟ ସାମ୍ବାଦିକ – ସେଥିପାଇଁ ମତେ, ନିର୍ଦ୍ଦିଷ୍ଟ ସମୟ କହିବେ କାହିଁକି ନା ଯୋଉଠି ସେ ରହିବେ, ସେଠୁ ମତେ ତାଙ୍କୁ ନେଇକି ଯିବାକୁ ପଡିବ ନା ସେଠିକି?

ଦ୍ୱିତୀୟ ଜେଇ – କିଏ ଯିବ?

ଦ୍ୱିତୀୟ ସାମ୍ବାଦିକ – ଡାଇରେକ୍ଟର ଆସିଛନ୍ତି ।

ପ୍ରଥମ ଜେଇ – ୭ରୁ ସାଢେ ୭ଟା..

ଦ୍ୱିତୀୟ ସାମ୍ବାଦିକ – ୭ରୁ ସାଢେ ୭? ଏକ୍ଜାକ୍ଟ ୭ରୁ ସାଢେ ୭ ତ? ଠିକ୍ ଅଛି । ଏରିଆ କୋଉଟା ଟିକେ ବୁଝି ଦିଅ ।

ପ୍ରଥମ ସାମ୍ବାଦିକ – କୋଉ ଜାଗାକୁ ଖାଲି କହିଲେ, ମୁଁ ସେଇଠି ଧରିକି ପଳେଇବି । ଆପଣଙ୍କୁ ରିଙ୍ଗ କରିଦେବି ସେତେବେଳେ । ଏଇ ଲୋକେସକୁ ପଳେଇ ଆସ କହିଲେ, ମୁଁ ପଳେଇ ଯିବି ।

ଦ୍ୱିତୀୟ ସାମ୍ବାଦିକ – ନାଇ ସେ କହିଦେବେ ନା । ଏବେ କହିଦେବେ ତ?

ପ୍ରଥମ ଜେଇ – ଆମର ମେନ୍ ସବଷ୍ଟେସନରେ ଅଛି । ଆପଣ ପ୍ରଥମରୁ ଜାଇଥିଲେ । ସବଷ୍ଟେସନରୁ ଡାହାଣ ପଟକୁ ଆଗରେ ।

ଦ୍ୱିତୀୟ ସାମ୍ବାଦିକ – ସବଷ୍ଟେସନକୁ ଆଗକୁ ପୁରା ।

ପ୍ରଥମ ସାମ୍ବାଦିକ – ଆଜି କୋଉଠି ସାର? ସବଷ୍ଟେସନରୁ ଆଗକୁ, ରାଇଟ୍ ସାଇଡ୍ ଟା ତ? ମାନେ ଏପଟୁ ଗଲାବେଳେ ଆମ ରାଇଟ୍ ସାଇଡ୍ ଟା ।
ଦ୍ୱିତୀୟ ସାମ୍ବାଦିକ – ଦୁଇଟା ଏରିଆ କରି ଦିଅନ୍ତୁ ଅଧ ଅଧ ଘଂଟାର । ଦୁଇଟା ଏରିଆ କରିଦିଅ, ଅଧ ଘଂଟା ଲେଖାଏଁ । ଆପଣଙ୍କ ଏରିଆରେ କେମିତି ହେବ? ଆପଣଙ୍କ ଟାଇମ୍ କେତେବେଳେ ରହିବ? ୟାଙ୍କର ପରେ ରଖ । ନହେଲେ ଗୋଟିଏ ଟାଇମ୍ରେ ମତେ ଅସୁବିଧା ହେଇଯିବ ।

ଦ୍ୱିତୀୟ ଜେଇ – କାଲି କରିବା?

ପ୍ରଥମ ସାମ୍ବାଦିକ – ଆଜି କରିଦେବା ସାର । ସେ ଆସିବେ ପଳେଇ ଯିବେ ଏକାଥରେ ।

ଦ୍ୱିତୀୟ ସାମ୍ବାଦିକ – କାଲି ସକାଳୁ ସେ ଦିଲ୍ଲୀ ପଳାଇବେ ପୁଣି । ଏରିଆ ସେଇ ହିସାବରେ କନ୍ଫର୍ମ କରିଦେବ ନା ।

ପ୍ରଥମ ସାମ୍ବାଦିକ – ଅଧ ଘଂଟା କୋଉ ଏରିଆଟା କହିଲେ । ୭ରୁ ସାଢେ ୭ ତାଙ୍କୁ ଦେଖେଇ କି ପୁଣି ନେଇ ଆସିବି ।

ଦ୍ୱିତୀୟ ଜେଇ – ସିଏ ରହିକି ଦେଖିବେ ନା କ’ଣ ଯିଏ ଆସୁଛନ୍ତି ।

ପ୍ରଥମ ସାମ୍ବାଦିକ – ଭୁବନେଶ୍ୱରଟା ତ । ଆସିଛନ୍ତି ବୁଲି ଦେଖିଗଲେ ଟେନ୍ସନ୍ ରହିବ କି? ଆମର ଟେନ୍ସନ୍ ପଳେଇବ ସାର । ସେ ଲୋକ ଗଲେ ଆମର ଟେନ୍ସନ୍ ପଳେଇବ ।

ଦ୍ୱିତୀୟ ସାମ୍ବାଦିକ – ସିଏ ଆସିବେ ସନ୍ଧ୍ୟାରେ, ମୁଁ ସକାଳୁ ରୁମ୍ ବୁକ୍ କରି ରଖିଛି ତାଙ୍କର । ଏଇଠି ପଛରେ ରହିବେ ସିଏ । ଦୁଇଟା ରୁମ୍ ବୁକ୍ କରିଛି ତାଙ୍କ ପାଇଁ । କହିଲେ ମୋର ଗୋଟେ ଗେଷ୍ଟ ବି ଆସିବେ ସାଙ୍ଗରେ ।

ଦ୍ୱିତୀୟ ଜେଇ – ଡାଇରେକ୍ଟର୍ ଯିଏ ଆସୁଛନ୍ତି କ’ଣ ତାଙ୍କ ନାଁ?

ପ୍ରଥମ ସାମ୍ବାଦିକ – ରାଜୀବ ସୁବୁଦ୍ଧି ।

ଦ୍ୱିତୀୟ ଜେଇ – ସିଏ ବି ଛତିଶଗଡ ର? ଲାଇନ୍ କାଟିବେ । ସିଏ ଦେଖିବାକୁ ଆସିବ ।

ପ୍ରଥମ ସାମ୍ବାଦିକ – ସିଏ ଆସିଛି, ମାଲ ଟା ଦବ ନା ସାର । ହଉଛି ନ ହଉଛି କାଳେ ଆମେ ପକେଇ ଦଉଛୁ ପକେଟ୍ରେ । ମାଲିକ ଲୋକ, ଆମାଉଂଟ୍ ଟା ବି ହେଭି । କାଳେ ଏମାନେ କହି ଦଉଥିବେ, ଗୋଟେ ଦିଟା ଜାଗାରୁ ଆମେ ଦଉଛୁ କହିକି ଟଙ୍କା ୨, ୪ ଲକ୍ଷ କି ୫ ଲକ୍ଷ ପକେଇ ଦଉଛୁ । ଆମର ବି ହେଇଗଲା ବୋନସ୍, ଦଶହରା ବୋନସ୍ । ସିଏ ତାଙ୍କର ମେକାନିଜିମ୍ ରଖିଛନ୍ତି ନା । ହଉଛି କି ନାହିଁ କି ଏମାନେ କହିକି ପକେଇ ଦଉଛନ୍ତି । ହଁ.. ହଁ.. କହିକି । ଏନ୍ସିଓର କରିବେ ନା ।

ଦ୍ୱିତୀୟ ଜେଇ – କ’ଣ ଆମ ଅବସ୍ଥା କରୁଛି?

ପ୍ରଥମ ସାମ୍ବାଦିକ – କିଏ ସାର?

ଦ୍ୱିତୀୟ ଜେଇ – ଆମ ସିଇଓ ।

ପ୍ରଥମ ସାମ୍ବାଦିକ – କ’ଣ ତାଙ୍କ ନାଁ ଟା?

ପ୍ରଥମ ଜେଇ – ଅରୁଣ ବୋଥ୍ରା । ଆଇଜି କ୍ରାଇମବ୍ରାଞ୍ଚ ନଥିଲେ.. ଆଇଜି କ୍ରାଇମବ୍ରାଞ୍ଚ ଥିଲେ, ଏପଟେ ସିଇଓ ଜଏନ୍ କରିଛନ୍ତି ।

ପ୍ରଥମ ସାମ୍ବାଦିକ – ଆଇପିଏସ୍ ଗୋଟେ କେମିତି ଆସିବ ସାର?

ଦ୍ୱିତୀୟ ଜେଇ – ୟା ପ୍ରିଭିୟସ୍ ଆମର ଆଇଏଏସ୍ ଥିଲା ନା, ଆଇପିଏସ୍ ରହିପାରିବେ, ଆଇଏଫ୍ଏସ୍ ରହିପାରିବେ, ସବୁ ରହି ପାରିବେ ।

ପ୍ରଥମ ସାମ୍ବାଦିକ – ଫରେଷ୍ଟ ବାଲା କ’ଣ ବୁଝିବେ ସାର?

ଦ୍ୱିତୀୟ ଜେଇ – ଆଡମିନିଷ୍ଟ୍ରେଟର୍ ତ? ସେମାନଙ୍କର କଣ ଅଛି । ବୁଝିବା କଣ ଦରକାର ।

ସେପ୍ଟେମ୍ବର ମାସ
ଭୁବନେଶ୍ୱରର ସେହି ପ୍ରତିଷ୍ଠିତ ହୋଟେଲ
ଲାଇନ କାଟିବାକୁ ରାଜି ବରମୁଣ୍ଡା ଜେଇ
ପାୱାର କଟ୍ ପୂର୍ବରୁ କରିବେ ଫୋନ୍
ଇନଭଟର କମ୍ପାନିକୁ କହିବେ କେଉଁଠି କଟିବ ବିଜୁଳି

କମ୍ପାନିର ଡାଇରେକ୍ଟର ଆସିଛନ୍ତି । ପଇସା ଦେଇଛନ୍ତି ଯେତେବେଳେ, ନିର୍ଦ୍ଦିଷ୍ଟ ସମୟରେ ଆଉ ନିର୍ଦ୍ଧାରିତ ସ୍ଥାନରେ ବିଜୁଳି କଟୁଛି ନା ନାହିଁ ତାହା ଯାଂଚ କରିବେ । ଆଉ ସେଥିପାଇଁ ଏଜେଂଟଙ୍କ କଥାରେ ବି ରାଜି ହୋଇ ଯାଉଛନ୍ତି ଇଲେକ୍ଟ୍ରିକାଲ ଜେଇ, ସେ ପୁଣି ଭୁବନେଶ୍ୱର ଭଳି ହାଇପ୍ରୋଫାଇଲ ଅଂଚଳରେ । ଯେଉଁଠି ରୁହନ୍ତି ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି ।

ଦ୍ୱିତୀୟ ସାମ୍ବାଦିକ – ଘଂଟାଏ ଦେଢଘଂଟା ପୂର୍ବରୁ କହିବେ । ଆପଣଙ୍କର ଯୋଉ ସିଡ୍ୟୁଲ୍ ଥିବ ଅନ୍ତତଃ ଘଂଟାଏ ଦେଢଘଂଟା ପୂର୍ବରୁ କହିବେ । କାହିଁକା ନା ମତେ ସେହି ହିସାବରେ ତାଙ୍କୁ ମୁଭ କହିବାକୁ ପଡିବ । ତଥାପି କୋଉ ଟାଇମ୍ ହବ?

ଦ୍ୱିତୀୟ ଜେଇ – ଏଠୁ ଯାଇକି କହିଦେବି?

ଦ୍ୱିତୀୟ ସାମ୍ବାଦିକ – ଏ ନମ୍ବର ଅଛି ସନ୍ତୋଷ ପାଖରେ । ସେ କଥା ହୋଇଯିବ । ଏମିତି କରନ୍ତୁ, ଆପଣ ଦୁଇ ଜଣଙ୍କ ଟାଇମ୍ ମ୍ୟାଚ୍ କରି ଦିଅନ୍ତୁ । ମାନେ ୫, ୭ ମିନିଟ୍ ଏପଟ ସେପଟ କରିଦେବେ । କ’ଣ ହେବ ମୁଁ ଗୋଟିଏ ମୁଭ ରେ ଶେଷ କରିଦେବି । ଅଧଂଘଟା କହିକି ତାଙ୍କୁ ଜଣା ବି ପଡିବନି ଦୁଇଟା ଯାଗା ଆମେ ସୋ କରି ପାରିବା । କିଏ ଏକ ଘଂଟା ଏଠି, ଏକ ଘଂଟା ସେଠି ହୋଇଥିଲା । ସେଠି ଅଧଘଂଟା ହୋଇ ଯାଇଥିବ । ଆମେ ଯୁଆଡେ ଯିବୁ, ସେଠି ଅଧ ଘଂଟା ହୋଇ ଯାଇଛି ବୋଲି ସୋ କରିଦେବୁ ।

ପ୍ରଥମ ସାମ୍ବାଦିକ – ହଁ ସେମିତି କରିହେବ । ଅଧଘଂଟା ପୂର୍ବରୁ ହେଇ ସାରିଲାଣି, ଘଂଟାଏ କରୁଛନ୍ତି ବୋଧେ ।