କନକ ବ୍ୟୁରୋ: ଅପରେସନ ବ୍ଲାକ ଆଉଟକୁ ଗୁରୁତର ସହ ନେଇଛି ଶକ୍ତି ବିଭାଗ । ଦୁର୍ନୀତିଖୋର ବିଜୁଳି ବାବୁଙ୍କ ଅସଲ ମୁଖା ଖୋଲିଦେବା ପରେ ସାମ୍ନାକୁ ଆସିଛି ଅସାଧୁ ସରକାରୀ କର୍ମଚାରୀଙ୍କ କଳା କାରନାମା । ପଇସା ପାଇଁ ପାୱାର କଟ୍ ଭିଡିଓ ପ୍ରସାରଣ ପରେ ବିଦ୍ୟୁତ ବିଭାଗର ୬ ଜଣ ଅସାଧୁ ଅଧିକାରୀଙ୍କୁ ସସ୍ପେଣ୍ଡ କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଦିନ ତମାମ ଅସାଧୁ ଅଫିସରଙ୍କ ବାବଦରେ ଖବର ପ୍ରସାରଣ ହେବା ପରେ ଶକ୍ତିମନ୍ତ୍ରୀଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଥିଲା । ଗୃହ ଚାଲିଥିବାରୁ ଶକ୍ତିମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରୁନଥିଲା ମାତ୍ର ଗୃହକାର୍ଯ୍ୟ ସରିବା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଯେଉଁମାନଙ୍କ ନାଁରେ ଅଭିଯୋଗ ଆସିଛି ସେମାନଙ୍କୁ ସସପେଣ୍ଡ କରାଯାଇଛି । ଆଉ ସେମାନଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଉକ୍ତ ୬ ଜଣ ଅଫିସରଙ୍କୁ ଫୌଜଦାରୀ ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।
କନକ ନ୍ୟୁଜର ଅପରେସନ ବ୍ଲାକ ଆଉଟ ସାରା ଓଡିଶାରେ ଚହଳ ସୃଷ୍ଟି କରିଥିଲା । ଦୁର୍ନୀତିରେ ବୁଡିଥିବା ବିଜୁଳି ବାବୁଙ୍କ ବିରୋଧରେ ସତ ଦେଖାଇବା ପରେ ସମସ୍ତଙ୍କୁ ଶାସ୍ତି ଦେଇଥିଲା ଶକ୍ତି ବିଭାଗ । ଅପରେସନ୍ ବ୍ଲାକ୍ଆଉଟ୍ ପ୍ରଭାବରେ ନିଲମ୍ବିତ ହୋଇଛନ୍ତି ବିଦ୍ୟୁତ ବିଭାଗର ୬ ଜଣ ଅଧିକାରୀ । ପଇସା ପାଇଁ ପାୱାର କଟ୍ କରିବାକୁ ପ୍ରସ୍ତୁତ ଥିବା ଖୋର୍ଦ୍ଧା ଇଲେକ୍ଟ୍ରିକାଲ୍ ଡିଭିଜନର ଜୁନିୟର ଇଂଜିନିୟର ଅଭିମନ୍ୟୁ ଜେନା ନିଲମ୍ବିତ ହୋଇଛନ୍ତି । ସେହିପରି ଭୁବନେଶ୍ୱର ଭିଏସଏସ ନଗର ସବଡିଭିଜନର ଜେଇ ସୁବ୍ରତ ଦାସ ନିଲମ୍ବିତ । ବରମୁଣ୍ଡା ଜେଇ ସୁବ୍ରତ ମିଶ୍ରଙ୍କୁ ବି ଚାକିରିରୁ ନିଲମ୍ବନ କରାଯାଇଛି । ଜଟଣୀ ଇଲେକ୍ଟ୍ରିକାଲ ଜୁନିୟର ଇଂଜିନିୟର ସୁବ୍ରତ ତ୍ରିପାଠୀ ନିଲମ୍ବିତ । ନବରଙ୍ଗପୁର ନିର୍ବାହୀ ଯନ୍ତ୍ରୀ ଭଗବାନ ପ୍ରଧାନ ନିଲମ୍ବିତ । ରାୟଗଡ଼ା ଗୁଣପୁର ସବଡିଭିଜନର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥପ୍ରସାଦ ନନ୍ଦ ମଧ୍ୟ ନିଲମ୍ବିତ ।
ତେବେ ଏମାନଙ୍କ ବିରୋଧରେ ଏତଲା ଦାୟର କରିବାକୁ ସେସୁ ଓ ସାଉଥ୍କୋକୁ ଚିଠି ଲେଖିଛନ୍ତି ଶକ୍ତି ସଚିବ । ଅପରେସନ୍ ବ୍ଲାକ୍ ଆଉଟ୍ ଭିଡିଓରେ ଏହି ଅସାଧୁ ଅଫିସରମାନେ ଇନ୍ଭଟର କଂପାନୀର ବ୍ୟବସାୟକୁ ବୃଦ୍ଧି କରିବାକୁ ଡିଲ୍ କରୁଛନ୍ତି । ଏହା ଅପରାଧିକ କାର୍ଯ୍ୟକଳାପ ଭାବେ ବିବେଚନା କରିବାକୁ ଚିଠିରେ ଦର୍ଶାଯାଇଛି ।