ଅଚଳ ହୋଇଯିବ କି ବିଧାନସଭା ସଚିବାଳୟ? ଅବସର ନେଉଛନ୍ତି, ନିଯୁକ୍ତି ନାହିଁ ଖାଲି ପଡ଼ିଛି ସବୁ କ୍ୟାଡର

35

କନକ ବ୍ୟୁରୋ: ଓଡ଼ିଶା ବିଧାନସଭା ଆଇନ ପ୍ରଣୟନ କରୁଛି। ଏହି ଆଇନକୁ ମାନୁଛି ସାରା ଓଡ଼ିଶା। ହେଲେ ଆଇନ ପ୍ରଣୟନକାରୀ ଏହି ସାମ୍ବିଧାନିକ ବ୍ୟବସ୍ଥାଟି ଦୋହଲିବା ଆରମ୍ଭ କଲାଣି। ସ୍ଥିତି ଏମିତି ଯେ ବିଧାନସଭାର ଯେଉଁ କ୍ୟାଡର ଦେଖିବ, ସେଥିରେ ପୁଳା ପୁଳା ପଦବି ଖାଲି। ସଚିବ ଅବସର ନେବା ପରେ ତାଙ୍କ କାର୍ଯ୍ୟ ଅବିଧିକୁ ଅବିଚାରିତ ଭାବେ ସରକାର ବଢାଇ ଚାଲିଛନ୍ତି। ଯୁଗ୍ମ ସଚିବ କେହି ନାହାନ୍ତି। ବିଧାନସଭା ନିଯୁକ୍ତି କେଳେଙ୍କାରୀ ପରଠାରୁ ସମ୍ଭବତଃ କେହି ଆଉ ନୂଆ ନିଯୁକ୍ତି ପାଇଁ ଆଗ୍ରହ ଦେଖାଉ ନାହାନ୍ତି। ଅନ୍ୟପକ୍ଷରେ କର୍ମଚାରୀ କିନ୍ତୁ ନିୟମିତ ବ୍ୟବଧାନରେ ଅବସର ନେଉଛନ୍ତି। ପରିଣାମ ହେଲା, ବିଧାନସଭା କାର୍ଯ୍ୟରେ ବାଧା ସୃଷ୍ଟି ହେବା ଆରମ୍ଭ କଲାଣି। ପୂର୍ବରୁ ବିଧାନସଭାର ଏ ଦୁଃସ୍ଥିତି ନେଇ ଅଳ୍ପ କିଛି କଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ଗୃହ ସାମ୍ନାକୁ ଆଣିଥିଲେ। ବିଧାୟକମାନଙ୍କୁ ଗୃହ ବିବରଣୀ ମିଳୁନଥିବା ନେଇ ଆପତ୍ତି ଜଣାଇଥିଲେ। ତଥାପି ଏଥିରେ ସୁଧାର ଆସିନାହିଁ।

ଉଲ୍ଲେଖଯୋଗ୍ୟ, ନିକଟରେ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଯେଉଁଠାରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି, ସେମାନେ ଛଟେଇ ହେବେ। ବିଧାନସଭା ସଚିବ ଅମୀୟ ଷଡ଼ଙ୍ଗୀଙ୍କ କାର୍ଯ୍ୟକାଳ ସରକାର ୪ ଥର ବଢାଇଛନ୍ତି। ସରକାରଙ୍କ ଛଟେଇ ନିଷ୍ପତ୍ତି ଏ କ୍ଷେତ୍ରରେ କାର୍ଯ୍ୟକାରୀ ହେବ କି ନାହିଁ, ତାହା ଜଣାପଡିନାହିଁ। ଯଦି ହୁଏ, ତେବେ ବିଧାନସଭା ସଚିବ ପଦବି ଖାଲି ହେବା ନିଶ୍ଚିତ। ଯୁଗ୍ମ ଶାସନ ସଚିବ ପାହ୍ୟାରେ ସବୁ ପଦବି ଖାଲି। ଗୋଟିଏ ଉପ ଶାସନ ସଚିବ, ୭ଟିରୁ ୫ଟି ଅନୁଶାସନ ସଚିବ ଚୌକିରେ କେହି ନାହାନ୍ତି।

ଏକ ତଥ୍ୟ କହୁଛି, ୨୦୧୯ ସୁଦ୍ଧା ବରିଷ୍ଠ ପାହ୍ୟାରେ ଥିବା ୩୯ଟି ପଦବି ମଧ୍ୟରୁ ପାଖାପାଖି ୨୪ଟି ପଦବି ଖାଲି ପଡିବ। ସେହିଭଳି ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଭଳି ମୂଳ ପଦବିରେ ୧୭ଟି ଖାଲି ପଡିଛି। ସେକ୍ସନ ଅଫିସର କ୍ଷେତ୍ରରେ ଏହି ସଂଖ୍ୟା ୪ ରହିଛି। ବିଧାନସଭା ଗବେଷଣା ଓ ପାଠାଗାର କ୍ଷେତ୍ରରେ ସ୍ଥିତି ଆହୁରି ସାଂଘାତିକ। ଗବେଷଣା ନିର୍ଦେଶକ ପଦବି ଖାଲି, ବରିଷ୍ଠ ଗବେଣଷା ଅଧିକାରୀ ପଦବି ପୂରଣ ହୋଇନାହିଁ। ଏହି କ୍ଷେତ୍ରରେ ଖାଲି ପଦବି ସଂଖ୍ୟା ୯। ସବୁକିଛି କା’ରେ ଚାଲିଛି। ରିିପୋର୍ଟର କ୍ୟାଡରରେ ୯ଟି ପଦବି ଖାଲିପଡିଥିବା ବେଳେ ଗୃହ ସୁରକ୍ଷା କ୍ୟା଼ଡରରେ ୨୪, ବିଲ୍‌ ଓ ଲିଗାଲ କ୍ୟାଡରରେ ୩, ଷ୍ଟେନୋଗ୍ରାଫର କ୍ୟାଡରରେ ୧୪, ଟାଇପିଷ୍ଟ କ୍ୟାଡରରେ ୧୬, ଡିଇଓ କ୍ୟାଡରରେ ୧୪, ଡ୍ରାଇଭର କ୍ୟା଼ଡରରେ ୧୦, ଗେଷ୍ଟ ହାଉସରେ ୮, ଲୋକସଂପର୍କ କ୍ୟାଡରରେ ୪, ରେକର୍ଡ, ଡାଏରିରେ ୩, ଗ୍ରୁପ ଡିରେ ୩୫ ପଦବି ଖାଲି ପଡିଛି।