ଆଉ ମା’ କ୍ଷୀର ଅଭାବରୁ ମରିବେନି ଶିଶୁ । ଦେଶରେ ପ୍ରଥମଥର ପାଇଁ ଖୋଲିଲା ମା’କ୍ଷୀର ଭଣ୍ଡାର

147

କନକ ବ୍ୟୁରୋ : ରାଜସ୍ଥାନ ଯୋଦ୍ଧପୁର ଠାରେ ଦେଶର ପ୍ରଥମ ମା’କ୍ଷୀର ଭଣ୍ଡାର ପ୍ରସ୍ତୁତ ହୋଇଛି । ଏଠାରୁ ସହରର ଆବଶ୍ୟକ ଥିବା ଶିଶୁ ମାନଙ୍କୁ ମା’କ୍ଷୀର ଯୋଗାଇ ଦିଆଯିବ । ସହରର ‘ନବଜୀବନ ସଂସ୍ଥାନ’ ୩୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଭଣ୍ଡାର ପ୍ରସ୍ତୁତ କରିଛି ।

କେନ୍ଦ୍ର ସରକାରଙ୍କ ରିପୋର୍ଟ ମୁତାବକ ଦେଶରେ ପ୍ରତିବର୍ଷ ୧୦ ଲକ୍ଷ ଶିଶୁ ମା’କ୍ଷୀର ଅଭାବରୁ ମୃତ୍ୟୁବରଣ କରୁଛନ୍ତି । ଆବଶ୍ୟକ ବେଳେ ରୋଗରେ ପଡିଥିବା ଶିଶୁମାନଙ୍କୁ ଯଦି ମା’କ୍ଷୀର ଯୋଗାଇ ଦିଆଯାଇପାରିବ ତେବେ ସେମାନଙ୍କ ମୃତ୍ୟୁ ସମ୍ଭାବନାକୁ ୬ ଗୁଣା କମାଇ ଦିଆଯାଇପାରିବ ବୋଲି ଏକ ମେଡିକାଲ ରିପୋର୍ଟରେ ପ୍ରକାଶିତ ।

‘ନବଜୀବନ ସଂସ୍ଥାନ’ ପକ୍ଷରୁ କୁହାଯାଇଛି କି ଏହି ଭଣ୍ଡାରକୁ ମା’ ମାନେ ସେମାନଙ୍କ କ୍ଷୀର ଦାନକରି ପାରିବେ । ଏଥିପାଇଁ ସଂସ୍ଥାନ ପକ୍ଷରୁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି । ଯେକି ମା’ ମାନଙ୍କର ଘରକୁ ଯାଇ କ୍ଷୀର ସଂଗ୍ରହ କରିବ । ଏହି କ୍ଷୀର ଭଣ୍ଡାରକୁ ସେହି ମା’ମାନେ କ୍ଷୀର ଦାନ କରିପାରିବେ, ଯେଉଁମାନଙ୍କ ଶିଶୁ ରୋଗରେ ପୀଡିତ କିମ୍ବା ସେମାନେ ମୃତଶିଶୁ ଜନ୍ମ ଦେଇଛନ୍ତି ।

କହିରଖୁ କି ଅପରିପକ୍ୱତା, ବିନା ମା’ରେ ନବଜାତ, ରୋଗୀଣା ମା’ର ଶିଶୁ, ଏଚଆଇଭି ପୀଡିତ ମା’ର ଶିଶୁ ଓ ଅନାଥାଶ୍ରମର ଶିଶୁମାନଙ୍କୁ ମା’ କ୍ଷୀର ଭଣ୍ଡାର ପକ୍ଷରୁ କ୍ଷୀର ଯୋଗାଇ ଦିଆଯିବ । ଡାକ୍ତରମାନଙ୍କ କହିବା ମୁତାବକ ମା’କ୍ଷୀର ଦ୍ୱାରା ଶିଶୁର ମାନସିକ ଓ ଶାରୀରିକ ବିକାଶ ହୋଇଥାଏ । ଏହାସହ ଶିଶୁ ଦେହରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ ।