ଦେଶରେ ଖୋଲିଲା ମା’ କ୍ଷୀର ଭଣ୍ଡାର, ୩୦ ଲକ୍ଷ ଟଙ୍କା ବ୍ୟୟରେ ପ୍ରସ୍ତୁତ ହୋଇଛି ଭଣ୍ଡାର ।

223

କନକ ବ୍ୟୁରୋ : ରାଜସ୍ଥାନର ଯୋଦ୍ଧପୁରଠାରେ ଦେଶର ପ୍ରଥମ ମା’କ୍ଷୀର ଭଣ୍ଡାର ପ୍ରସ୍ତୁତ ହୋଇଛି । ଏଠାରୁ ସହରର ଆବଶ୍ୟକ ଥିବା ଶିଶୁମାନଙ୍କୁ ମା’କ୍ଷୀର ଯୋଗାଇ ଦିଆଯିବ। ସହରର ‘ନବଜୀବନ ସଂସ୍ଥାନ’ ୩୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଭଣ୍ଡାର ପ୍ରସ୍ତୁତ କରିଛି ।
କେନ୍ଦ୍ର ସରକାରଙ୍କ ରିପୋର୍ଟ ମୁତାବକ ଦେଶରେ ପ୍ରତିବର୍ଷ ୧୦ ଲକ୍ଷ ଶିଶୁ ମା’ କ୍ଷୀର ଅଭାବରୁ ମୃତ୍ୟୁବରଣ କରୁଛନ୍ତି । ଆବଶ୍ୟକ ବେଳେ ରୋଗରେ ପଡିଥିବା ଶିଶୁମାନଙ୍କୁ ଯଦି ମା’ କ୍ଷୀର ଯୋଗାଇ ଦିଆଯାଇପାରିବ ତେବେ ସେମାନଙ୍କ ମୃତ୍ୟୁ ସମ୍ଭାବନାକୁ ୬ ଗୁଣା କମାଇ ଦିଆଯାଇପାରିବ ବୋଲି ଏକ ମେଡିକାଲ ରିପୋର୍ଟରେ ପ୍ରକାଶିତ ।

‘ନବଜୀବନ ସଂସ୍ଥାନ’ ପକ୍ଷରୁ କୁହାଯାଇଛି କି ଏହି ଭଣ୍ଡାରକୁ ମା’ ମାନେ ସେମାନଙ୍କ କ୍ଷୀର ଦାନକରି ପାରିବେ । ଏଥିପାଇଁ ସଂସ୍ଥାନ ପକ୍ଷରୁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି । ଯାହାକି ମା’ ମାନଙ୍କର ଘରକୁ ଯାଇ କ୍ଷୀର ସଂଗ୍ରହ କରିବ । ଏହି କ୍ଷୀର ଭଣ୍ଡାରକୁ ସେହି ମା’ମାନେ କ୍ଷୀର ଦାନ କରିପାରିବେ, ଯେଉଁମାନଙ୍କ ଶିଶୁ ରୋଗରେ ପୀଡିତ କିମ୍ବା ସେମାନଙ୍କର ମୃତ ଶିଶୁ ଜନ୍ମ ଦେଇଛନ୍ତି ।

କହିରଖୁ କି ଅପରିପକ୍ୱତା, ବିନା ମା’ରେ ନବଜାତ, ରୋଗୀଣା ମା’ର ଶିଶୁ, ଏଚଆଇଭି ପୀଡ଼ିତ ମା’ର ଶିଶୁ ଓ ଅନାଥାଶ୍ରମର ଶିଶୁମାନଙ୍କୁ ମା’ କ୍ଷୀର ଭଣ୍ଡାର ପକ୍ଷରୁ କ୍ଷୀର ଯୋଗାଇ ଦିଆଯିବ । ଡାକ୍ତରମାନଙ୍କ କହିବା ମୁତାବକ ମା’କ୍ଷୀର ଦ୍ୱାରା ଶିଶୁର ମାନସିକ ଓ ଶାରୀରିକ ବିକାଶ ହୋଇଥାଏ । ଏହାସହ ଶିଶୁ ଦେହରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ ।