ଭାରତୀୟ ସମ୍ବିଧାନର ରୂପରେଖ ବଦଳାଇବାକୁ ଚେଷ୍ଟା କରୁଛନ୍ତି ହିନ୍ଦୁ ସଂଗଠନ । ଗାନ୍ଧୀ ହତ୍ୟାକାରୀ ନାଥୁରାମ ଗଡସେଙ୍କ ନାମରେ ଖୋଲିଲା ଷ୍ଟଡି ସେଣ୍ଟର । ହିନ୍ଦୁ ନେତା କହିଲେ ଏବେ ସାମ୍ନାକୁ ଆସିବ ଗୋଡସେଙ୍କ ଅସଲି ଦେଶପ୍ରେମ

342

କନକ ବ୍ୟୁରୋ : ଦେଶର ପିତା ତଥା ସ୍ୱାଧୀନତା ସଂଗ୍ରାମର ମୁଖ୍ୟ କର୍ଣ୍ଣଧାର ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କ ନାମରେ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ମଧ୍ୟପ୍ରଦେଶର ଗ୍ୱାଲିଅର ଠାରେ ବିଶ୍ୱ ହିନ୍ଦି ଦିବସ ଅବସରରେ ଏକ ଷ୍ଟଡି ସେଣ୍ଟର ଖୋଲା ଯାଇଛି । ଏହି ଷ୍ଟଡି ସେଣ୍ଟରେ ଗାନ୍ଧୀ ହତ୍ୟାକାରୀ ନାଥୁରାମ ଗଡସେର ଜୀବନ କାହାଣୀ ଓ ବିଚାରଧାରାକୁ ନେଇ ରଚନା କରାଯାଇଥିବା ଅନେକ ପୁସ୍ତକ ସ୍ଥାନ ପାଇଛି । ଏହି ଷ୍ଟଡି ସେଣ୍ଟରର ନାମ ଗୋଡସେ ଜ୍ଞାନଶାଳା ରଖା ଯାଇଛି ।

ଏହାକୁ ନେଇ ହିନ୍ଦୁ ମହାସଭାର ଉପାଧ୍ୟକ୍ଷ ଜୟବୀର ଭରଦ୍ୱାଜ କହିଛନ୍ତି କି ଗୋଡସେ ଜଣେ ଅସଲି ରାଷ୍ଟ୍ରବାଦୀ ବୋଲି ଲୋକମାନଙ୍କୁ ଜଣାଇବାକୁ ଏହି ଜ୍ଞାନ ଶାଳା ଖୋଲା ଯାଇଛି । ଗୋଡସେ ଅବିଭାଜିତ ଭାରତ ପାଇଁ ସଂଗ୍ରାମ କରିଥିଲେ ଯାହା ଫଳରେ ତାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଏହି ପୁସ୍ତକାଳୟର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ଗୋଡସେ ଜଣେ ସଚ୍ଚା ରାଷ୍ଟ୍ରବାଦୀ ଥିଲେ ଏକଥା ଦେଶର ଲୋକଙ୍କୁ ଜଣାଇବାକୁ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି କି ଏହି ଅଧ୍ୟୟନ କେନ୍ଦ୍ରଟି ଦେଶର ଯୁବପୀଢିଙ୍କୁ ଅବିଭାଜିତ ଭାରତର ଇତିହାସ ବାବଦରେ ସୂଚନା ଦେବ । ଏହା ସହ ନାଥୁରାମଙ୍କ ସହ ଜଡିତ ଅନ୍ୟ ରାଷ୍ଟ୍ରବାଦୀ ନେତାଙ୍କ ବାବଦରେ ରଚିତ ବିଭିନ୍ନ ପୁସ୍ତକ ବି ଏଠାରେ ସ୍ଥାନ ପାଇଛି ।

କହିରଖୁ କି ଦେଶ ସ୍ୱାଧୀନତା ପାଇବା ପରେ ମୁସଲିମ୍ ଲିଗର ମୁଖ୍ୟ ଓ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ଆଲୋଚନା ହୋଇ ଭାରତ ବିଭାଜିତ ହୋଇଥିଲା । ମୁସିଲିମ ମାନେ ପାକିସ୍ତାନ ନାମରେ ଏକ ଦେଶ ଗଠନ କରି ସେଠାରେ ବସତି ଆରମ୍ଭ କରିଥିବା ବେଳେ ଗାନ୍ଧୀଜୀ ଭାରତକୁ ସାର୍ବଭୌମତ ସର୍ବଧର୍ମ ସମ୍ପଣ୍ଡ ସମାଜବାଦ ରାଷ୍ଟ୍ର ଭାବେ ଘୋଷଣା କରିଥିଲେ । ଏହାକୁ ନେଇ ସେତେବେଳେ ହିନ୍ଦୁ ସଂଗଠନ ନାମରେ ପରିଚିତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଦସ୍ୟ ନାଥୁରାମ ଗଡସେ ଗୁଳି କରି ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ । ଏହା ପରେ ଆଇନ ତାଙ୍କୁ ଫାସି ଦଣ୍ଡରେ ଦଣ୍ଡିତ କରିଥିଲା । ସେବେଠାରୁ ଆଜି ଯାଏ ଦେଶ ନାଥୁରାମ ଗଡସେଙ୍କୁ ଜଣେ ଦେଶଦ୍ରୋହୀ ବୋଲି ବିବେଚନା କରି ଆସୁଛି । ହେଲେ ତଥା କଥିତ କିଛି ହିନ୍ଦୁ ସଂଗଠନ ଆଜି ବି ନାଥୁରାମଙ୍କୁ ଜଣେ ସଚ୍ଚା ଭକ୍ତ ଭାବେ ପରିଗଣିତ କରିବାକୁ ଚେଷ୍ଟା ଚଳାଇଛନ୍ତି ।