ଟ୍ରେଣ୍ଡ ପାଲଟିଛି ଖୋଲା ଜିପରେ ନିର୍ବାଚନୀ ପ୍ରଚାର । କଟକ ସିଡିଏରେ ଥିବା ଗ୍ୟାରେଜରେ ଚାଲିଛି ଖୋଲା ଜିପ୍ ପ୍ରସ୍ତୁତି

113

କନକ ବ୍ୟୁରୋ : ଦେଶରେ ବାଜିଲାଣି ନିର୍ବାଚନୀ ବିଗୁଲ । ଖୋଲା ଜିପ୍ରେ ଛିଡ଼ା ହୋଇ ପ୍ରାର୍ଥୀମାନେ ପ୍ରଚାର କରିବା ଏବେ ଟ୍ରେଣ୍ଡ ପାଲଟିଥିବା ବେଳେ ସେଥିପାଇଁ ଗ୍ୟାରେଜ ବାଲାଙ୍କୁ ଦିଆଗଲାଣି ଅଗ୍ରିମ ଟଙ୍କା । କଟକ ବକ୍ସି ବଜାର ସିଡିଏ ମାର୍କେଟରେ ଥିବା ଗ୍ୟାରେଜରେ ଚାଲିଛି ଖୋଲା ଜିପ୍ ପ୍ରସ୍ତୁତି । ବିଭିନ୍ନ ଡିଜାଇନର ଷ୍ଟିଅରିଂ ଠାରୁ ଆରମ୍ଭ କରି ଗାଡ଼ିର ଚକାକୁ ଦିଆଯାଉଛି ନୂଆ ରୂପ । କିଭଳି ଜିପ୍ ପ୍ରସ୍ତୁତ ହେବ ଆଉ ଅଗ୍ରୀମ ନେଇଥିବା ବ୍ୟକ୍ତିଙ୍କ ପାଖରେ ସଠିକ୍ ସମୟରେ ପହଂଚିବ ସେଥିପ୍ରତି ଲାଗିପଡ଼ିଛନ୍ତି ମେକାନିକ ଓ ଗ୍ୟାରେଜ ମାଲିକ ।

ଆଗରୁ ପ୍ରାର୍ଥୀମାନେ ଜିପରେ ମାଇକ ଲଗାଇ ଡୋର ଟୁ ଡୋର କ୍ୟାମ୍ପେନିଂ କରୁଥିଲେ । ଏବେ ପ୍ରଚାରରେ ଆସିଛି ପରିବର୍ତନ । ଖୋଲା ଜିପରେ କର୍ମୀମାନେ ନିଜର ଦଳିୟ କର୍ମୀଙ୍କ ସହ ଛିଡ଼ା ହୋଇ ପ୍ରଚାର କରିବାକୁ ପସନ୍ଦ କରୁଛନ୍ତି । ଆଗରେ ପଛରେ ମଟର ସାଇକେଲ ରାଲି ମଝିରେ ଖୋଲା ଜିପ୍ରେ ପ୍ରଚାର କରୁଛନ୍ତି ପ୍ରାର୍ଥୀ ।

ଗ୍ୟାରେଜରେ ରହିଛି ବିଭିନ୍ନ ପ୍ରକାରର ଜିପ୍ । ଗୋଟିଏ ଜିପ୍ ପ୍ରସ୍ତୁତି କରିବା ପାଇଁ ମାସେରୁ ଦେଢ଼ ମାସ ସମୟ ଲାଗିଥାଏ । କିନ୍ତୁ ନିର୍ବାଚନ ଏବେ ପାଖେଇ ଆସିଲାଣି । ହାତରେ ବି ଆଉ କମ୍ ସମୟ ରହିଛି । ସେଥିପାଇଁ ଜିପ୍ ସମ୍ପୂଣ୍ଣ କରିବାକୁ ଲାଗିପଡ଼ିଛନ୍ତି ମେକାନିକ୍ । ତେବେ ଏହି ଜିପ୍ ଗୁଡ଼ିକ ନିର୍ବାଚନ ବ୍ୟତିତ ଫିଲ୍ମ ସୁଟିଂ ବେଳେ ମଧ୍ୟ ଦରକାର ପଡ଼ିଥାଏ ବୋଲି କୁହନ୍ତି ଗ୍ୟାରେଜ ମାଲିକ ମହମ୍ମଦ ଅବଦୁଲ୍ଲା ସରିଫ୍ ।