କନକ ବ୍ୟୁରୋ : ମରଣଯନ୍ତା ପାଲଟିଛି ଭୁବନେଶ୍ୱର ରସୁଲଗଡ଼ ଅଂଚଳର ଜଗନ୍ନାଥ ନଗରର ଅନେକ ଡ୍ରେନ । ଖୋଲା ମେଲାରେ ପଡ଼ିଛି ଏହିସବୁ ଡ୍ରେନ । କେଉଁଠି ଡ୍ରେନରୁ ପାଣି ବାହାରୁଛି ଅନେ କେଉଁଠି ଡ୍ରେନରେ ପଡ଼ିନି ସ୍ଲାବ । ଏଠାରେ କେତେବେଳେ କୌଣସି ଅଘଟଣ ଏଠାରେ ଘଟିପାରେ । ହେଲେ ଡ୍ରେନ କାମ ମରାମତି ପାଇଁ ଏଯାଏଁ ପ୍ରଶାସନିକ ଅଧିକାରୀଙ୍କ ନିଦ ଭାଙ୍ଗୁନି । ଶହ ଶହ ଲୋକ ପ୍ରତିଦିନ ଏହି ସବୁ ରାସ୍ତା ଦେଇ ଯିବା ଆସିବା କରୁଥିବା ବେଳେ ଏଭଳି ଅବସ୍ତାରେ ପଡ଼ି ରହିଛି ଡ୍ରେନ ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅଛି ଯେ କୌଣସି ଡ୍ରେନ୍ ମୁକୁଳା ପଡ଼ିବନି, ଡ୍ରେନ୍ ନିର୍ମାଣ ହେବା ପରେ ଏହା ଉପରେ ସ୍ଲାବ୍ ପଡ଼ିବ । ହେଲେ ରାଜଧାନୀରେ ଯେଉଁଠିକୁ ଚାହିଁବ ସେଠି ଡ୍ରେନ୍ ମୁକୁଳା। ନିୟମ ଅନୁଯାୟୀ, ଯେଉଁଠି ରାସ୍ତା ହେବ, ତାହା କଡ଼ରେ ଡ୍ରେନ୍ ହେବ । ହେଲେ ଏବେ ବି ବହୁ ରାସ୍ତା ଅଛି ଯେଉଁଠି ଡ୍ରେନ୍ ନାହିଁ । ଯେଉଁଠି ଡ୍ରେନ୍ ଅଛି, ସେଠାରେ କେତେକ ସ୍ଥାନରେ ସ୍ଲାବ୍ ଥିଲେ ବି ତାହା ଭଙ୍ଗା ଦଦରା ହୋଇ ପଡ଼ିଛି ନଚେତ୍ ମୁକୁଳା ଛାଡ଼ି ଦିଆଯାଇଛି । ଯାହା ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି ।
ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ ୨୦୧୯ରେ ନୂଆପଲ୍ଲୀ ଏକାମ୍ରଭିଲ୍ଲା ଅଞ୍ଚଳରେ ଜଣେ ମହିଳା ଡ୍ରେନ୍ରେ ପଡ଼ି ଭାସିଯିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ୨୦୧୮ରେ ଗଙ୍ଗନଗରରେ ଜଣେ ଶିକ୍ଷକ, ୨୦୧୭ରେ ନୂଆପଲ୍ଲୀ ବେହେରା ସାହିରେ ମହିଳାଙ୍କର, ୨୦୧୬ରେ ଶୈଳଶ୍ରୀ ବିହାରରେ ଜଣେ ବୃଦ୍ଧା, ୨୦୧୫ରେ ନୂଆପଲ୍ଲୀ ବେହେରାସାହିରେ ଜଣେ ସ୍କୁଲ ଛାତ୍ରଙ୍କର ଡ୍ରେନରେ ପଡ଼ି ମୃତ୍ୟୁ ହୋଇଥିଲା । ନିକଟରେ ବି ଏଭଳି ଏକ ଘଟଣା ମନରୁ ଲିଭିନାହିଁ । ୧୫ବର୍ଷୀୟ ଛାତ୍ରଙ୍କର ଡ୍ରେନରେ ଭାସିଯିବା କାରଣରୁ ମୃତ୍ୟୁ ଘଟିଥିଲା । ହେଲେ ବି ସୁଧୁରୁନି ପ୍ରଶାସନ ।