ରାଜଧାନୀରେ ମରଣଯନ୍ତା ପାଲଟିଛି ମୁକୁଳା ଡ୍ରେନ । ଉତ୍ତରଦାୟୀ ରହିବେ କି ବିଏମସି କମିସନର ଓ ନଗର ଉନ୍ନୟନ ସଚିବ?

67

କନକ ବ୍ୟୁରୋ: ସମସ୍ତ ଡ୍ରେନ୍ ଉପରେ ସ୍ଲାବ ପକାଇବା ବାଧ୍ୟତାମୂଳକ ବୋଲି ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇସାରିଛନ୍ତି । ହେଲେ ଏହାକୁ ପାଳନ କରିନାହାଁନ୍ତି ବିଏମସି କର୍ତ୍ତୃପକ୍ଷ କିମ୍ବା ନଗର ଉନ୍ନୟନ ବିଭାଗ । ତେଣୁ ଭୁବନେଶ୍ୱର ସ୍ମାର୍ଟ ସିଟିରେ ବାରମ୍ବାର ଜୀବନ ଯିବା ଘଟଣା ବିଏମସି କର୍ତ୍ତୃପକ୍ଷଙ୍କୁ କାଠଗଡାରେ ଛିଡା କରିଛି । ଖାଲି ସେତିକି ନୁହେଁ, ଏହି ଅବହେଳା ପାଇଁ ବିଏମସି କମିଶନର ସଂଜୟ ସିଂହଙ୍କୁ ଦାୟୀ କରି ତାଙ୍କ ବିରୋଧରେ ଖଣ୍ଡଗିିରି ଥାନାରେ ଏତଲା ଦେଇଛି ବିଜେପି ।

କେବଳ ଭୁବନେଶ୍ୱରର ନୁହେଁ ରାଜ୍ୟର ୧୧୪ଟି ସହରାଞ୍ଚଳରେ ଅବସ୍ଥା ସାଂଘାତିକ । ମାତ୍ର କେତେ ମିନିଟର ବର୍ଷା ହେଲେ ସହର ଜଳବନ୍ଦୀ ହୋଇଯାଉଛି । କିନ୍ତୁ ନିରବଦ୍ରଷ୍ଟା ସାଜିଛି ନଗର ଉନ୍ନୟନ ବିଭାଗ । ୬ବର୍ଷ ହେଲା ନଗର ଉନ୍ନୟନ ବିଭାଗର ସଚିବ ଭାବେ ଗାଦି ଜଗିଛନ୍ତି ଜି.ମାଥିଭାଥନନ । ବିଭିନ୍ନ ସହରର ସମସ୍ୟା ଲାଗି ରହିଥିବାବେଳେ ନଗର ଉନ୍ନୟନ ବିଭାଗରେ ଜଣେ ସଚିବ ଏତେ ବର୍ଷ ହେଲା କାହିଁକି ରହିଛନ୍ତି ବୋଲି ବିଧାନସଭାରେ ପ୍ରଶ୍ନ ଉଠିଥିଲେ ବି ଲୋକଙ୍କ ହିତ ପାଇଁ ଜଣଙ୍କୁ ରଖାଯାଇଛି ବୋଲି ବିତଣ୍ଡା ଯୁକ୍ତି ବାଢ଼ିଛି ସରକାର ।

ତେବେ ପ୍ରଶ୍ନ ଉଠୁଛି ..

  • ସ୍ମାର୍ଟ ସିଟିରେ ମୁକୁଳା ପଡ଼ିଥିବା ଡ୍ରେନ ପାଇଁ ଦାୟୀ କିଏ?
  • ବିଏମସିର ବେପରୁଆ ମନୋଭାବକୁ କାହିଁକି ଦାୟୀ କରାଯିବନି?
  • ଆଉ କେତେ ଜୀବନ ଗଲେ ପ୍ରଶାସନର ନିଦ ଭାଙ୍ଗିବ?
  • ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁନାହିଁ କି ବିଏମସି ?
  • କେବେ ପଡ଼ିବ ରାଜଧାନୀର ମୁକୁଳା ଡ୍ରେନ ଉପରେ ସ୍ଲାବ?