ଜୀବନ ଯିବା ପରେ ଚେତିଲା ପ୍ରଶାସନ । ମୁକୁଳା ଡ୍ରେନ୍ ବନ୍ଦ କରିବାକୁ ନିଆଗଲା ନିଷ୍ପତ୍ତି ।

168

କନକ ବ୍ୟୁରୋ : ସହରାଞ୍ଚଳରେ ବନ୍ୟା ସ୍ଥିତି ନେଇ ବିଧାନସଭାର ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଛି । ତେବେ ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱରରେ ଥିବା ଖୋଲା ଡ୍ରେନଗୁଡ଼ିକୁ ଶୀଘ୍ର ବନ୍ଦ କରାଯିବ । ଡ୍ରେନେଜ୍ ସମସ୍ୟା ସମାଧାନ ପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏନେଇ ବୈଠକ ପରେ ଗୃହ କମିଟି ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲ ପ୍ରତିକ୍ରିୟା ରଖି କହିଛନ୍ତି ।

ତେବେ ଆଜି ବୈଠକରେ ଭୁବନେଶ୍ୱର ସହ ଅନ୍ୟ ସହରର ଡ୍ରେନେଜ୍ ସମସ୍ୟା ନେଇ ଆଲୋଚନା ହୋଇଥିଲା । ଡ୍ରେନେଜ ଓ ସ୍ୱରେଜ ସମସ୍ୟା ସମାଧାନ ନେଇ କଥାବାର୍ତ୍ତା ହୋଇଥିଲା । ଡ୍ରେନ୍ ଉପରେ ମାଡ଼ି ବସୁଥିବାରୁ ସମସ୍ୟା ଉପୁଜୁଛି । ଏନେଇ ଆସନ୍ତା ୫ ତାରିଖରେ ଆଉ ଏକ ବୈଠକ ବସି ନିଷ୍ପତ୍ତି ନିଆଯିବ । ତେବେ ଆଜିର ବୈଠକରେ ନଗର ଉନ୍ନୟନ ସଚିବ ଜି. ମାଥିଭାତନ ମଧ୍ୟ ଉପସ୍ଥିତ ଥିଲେ । ବିଧାୟକ ଅମର ଶତପଥୀ ଏବଂ ମହମ୍ମଦ ମୋକ୍କିମ ମଧ୍ୟ ଉପସ୍ଥିତ ଥିଲେ ।

ତେବେ ଗତ ରବିବାର ଟ୍ୟୁସନ ଯାଉଥିବା ବେଳେ ରାଜଧାନୀର ମୁକୁଳା ଡ୍ରେନରେ ଭାସିଯାଇ ଜଣେ ୧୫ ବର୍ଷୀୟ ନାବାଳକର ଜୀବନ ଚାଲିଯାଇଥିଲା । ଖୋଦ୍ ରାଜଧାନୀରେ ଏଭଳି ଏକ ଘଟଣା, ସମସ୍ତଙ୍କ ଭିତରେ ଆକ୍ରୋଶ ସୃଷ୍ଟି କରିଥିଲା । ଘଟଣାକୁ ନେଇ ରାଜନୀତି ଏବଂ ବିରୋଧ ତେଜିବା ପରେ ସମସ୍ତ ମୁକୁଳା ଡ୍ରେନ୍ ଗୁଡିକୁ ବନ୍ଦ କରିବା ନେଇ ନିଷ୍ପତ୍ତି ହୋଇଛି ।