ମୁକୁଳା ଡ୍ରେନ୍ ନେଉଛି ଜୀବନ, ସର୍ଭେ କହୁଛି ଆମ ସ୍ମାର୍ଟସିଟି ‘ନମ୍ବର ୱାନ୍’ ।

112

କନକ ବ୍ୟୁରୋ: ଭୁବନେଶ୍ୱରର ନାଳରେ ୧୫ ବର୍ଷର ଛାତ୍ର ଭାସିଯିବା ପରେ ଏବେ ଡ୍ରେନ୍ ବ୍ୟବସ୍ଥାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ଅଭିଯୋଗ ଯେ, ବିଏମସିର ବେପରୁଆ ମନୋଭାବ ଯୋଗୁଁ ସ୍ମାର୍ଟସିଟିରେ ମୁକୁଳା ପଡିଛି ଡ୍ରେନ୍ । ବର୍ଷବର୍ଷ ଧରି ଗୋଟିଏ ପରେ ଗୋଟିଏ ଜୀବନ ଯାଉଥିଲେ ମଧ୍ୟ ବିଏମସି କର୍ତ୍ତୃପକ୍ଷଙ୍କ ପରବାଏ ନାହିଁ । ଭୁବନେଶ୍ୱର ମହାନଗରରେ ମୁକୁଳା ପଡିଥିବା ପ୍ରାୟ ୪୦ ପ୍ରତିଶତ ଡ୍ରେନ ସାଧାରଣ ପଥଚାରୀଙ୍କ ପାଇଁ ପାଲଟିଛି ମରଣଯନ୍ତା ।

ମିଳିଥିବା ସୂଚନା ଅନୁସାରେ ବିଏମସି ଅଂଚଳରେ ରହିଛି ପ୍ରାୟ ୫୬୦ କିଲୋମିଟରର ଡ୍ରେନ୍ । ହେଲେ ଏଥିମଧ୍ୟରୁ ୨୩୦ କିଲୋମିଟର ଡ୍ରେନ୍ ମୁକୁଳା ପଡିଥିବା ଏକ ସୂତ୍ରରୁ ସୂଚନା ମିଳିଛି । ଭୁବନେଶ୍ୱର ମହାନଗର ଭିତରେ କେତେ ଡ୍ରେନ୍ ମୁକୁଳା ପଡିଛି, ତାର ସର୍ଭେ କରିବାକୁ ଯୋଜନା ଥିଲେ ମଧ୍ୟ କେବଳ ବେପରୁଆ ମନୋଭାବ ଯୋଗୁଁ ତାହା ଆଜିଯାଏ କାର୍ଯ୍ୟକାରୀ ହୋଇପାରୁ ନାହିଁ । କୌଣସି ପରିସ୍ଥିତିରେ ବି ଡ୍ରେନ୍ ମୁକୁଳା ରହିପାରିବ ନାହିଁ । ସମସ୍ତ ଡ୍ରେନ ଉପରେ ସ୍ଲାବ ପକାଇବା ବାଧ୍ୟତାମୂଳକ । କିନ୍ତୁ ରାଜଧାନୀ ଭୁବନେଶ୍ୱରରେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶାବଳୀକୁ ଖୋଲାଖୋଲି ଉଲ୍ଲଂଘନ କରିଚାଲିଛି ବିଏମସି ।

ସବୁଠାରୁ ବଡକଥା ହେଉଛି ୨୦୧୮ ମସିହାରେ ସ୍ମାର୍ଟସିଟିର ଡ୍ରେନେଜ ସମସ୍ୟାର ସମାଧାନ କରିବା ପାଇଁ ବିଏମସିକୁ ୧ ହଜାର କୋଟି ଟଙ୍କା ଦେଇଥିଲେ ମୁଖ୍ୟମନ୍ତ୍ରୀ । ଯାହାକୁ କେମିତି ଉପଯୋଗ କରିଛି ବିଏମସି ତାହା କାଲିର ଘଟଣାରୁ ବାରି ହେଇପଡୁଛି । ଏତେ ଖାମଖିଆଲ କାହିଁକି? ବିଏମସିର ଅବହେଳା ଯୋଗୁଁ ଗତ ୬ ବର୍ଷରେ ୬ରୁ ଅଧିକ ଜୀବନ ଗଲାଣି କିନ୍ତୁ ତଥାପି କର୍ତ୍ତୁପକ୍ଷ ନିଦରେ ଶୋଇଛି ।
– ଗତକାଲି ନାଳରେ ଭାସିଯାଇ ପ୍ରାଣ ହରାଇଛନ୍ତି ୧୫ ବର୍ଷୀୟ ଛାତ୍ର ଜ୍ୟୋତିପ୍ରକାଶ ।
– ଗତବର୍ଷ ସାଲିଆସାହି ଏକାମ୍ରଭିଲ୍ଲା ଛକରେ ଜଣେ ୬୫ ବର୍ଷୀୟ ବୃଦ୍ଧାଙ୍କ ମୁକୁଳା ଡ୍ରେନରେ ଭାସିଯାଇ ମୃତ୍ୟୁ ହୋଇଥିଲା
– ୨୦୧୮ ଅଗଷ୍ଟରେ ରାସ୍ତା ପାର ହେଲାବେଳେ ୟୁନିଟ-୪ ପିଚୁପଡିଆ ବସ୍ତିର ହରି ପଟ୍ଟନାୟକଙ୍କ ଡ୍ରେନରେ ଖସିପଡି ମୃତ୍ୟୁ ହୋଇଥିଲା
– ୨୦୧୭ ମୌସୁମୀ ବର୍ଷା ସମୟରେ ପଟିଆ-ଚନ୍ଦ୍ରଶେଖରପୁର ଅଂଚଳରେ ମଧ୍ୟ ୨ ଜଣ ଡ୍ରେନରେ ଭାସି ଯାଇଥିଲେ
– ନୟାପଲ୍ଲି ଥାନା ମୁମତାଜ ଅଲ୍ଲି ହାଇସ୍କୁଲ ନିକଟରେ ୨୦୧୫ରେ ଜଣେ ୯ ବର୍ଷର ବାଳକ ମୁକୁଳା ଡ୍ରେନରେ ଭାସି ପ୍ରାଣ ହରାଇଥିଲା
ଏତେ ବେପରୁଆମି କାହିଁକି? ସରକାର ଯଦି ଟଙ୍କା ଦେଉଛନ୍ତି ଡ୍ରେନେଜ୍ ବ୍ୟବସ୍ଥାକୁ କାହିଁକି ସୁଧାରୁନି ବିଏମସି? କ’ଣ ଏମିତି ବାରମ୍ବାର ଜୀବନ ଯାଉଥିବ ଆଉ ଆମେ ଦେଶର ଏକ ନମ୍ବର ସ୍ମାର୍ଟସିଟିର ଟ୍ୟାଗ୍ ମୁଣ୍ଡାଇ ବୁଲୁଥିବା କି? ଏମିତିକିଛି ପ୍ରଶ୍ନ ସାଧାରଣରେ ଉଠିବାରେ ଲାଗିଛି ।