ଆହୁରି ବଢିପାରେ ପେଟ୍ରୋଲ ଓ ଡିଜେଲ ଦର : ତୈଳ ଉତ୍ପାଦନ ସମ୍ପର୍କିତ କଟକଣା ହଟାଇନେବା ପାଇଁ ଭାରତର ଦାବିକୁ ଓପେକ୍ ଦେଶସମୁହର ପ୍ରତ୍ୟାଖ୍ୟାନ

କହିଲେ, ଗତବର୍ଷ ଶସ୍ତାରେ କିଣିଥିବା ତେଲ ବ୍ୟବହାର କର

361

କନକ ବ୍ୟୁରୋ : ପେଟ୍ରୋଲ କିଣିଲେ ଏବେ ଗ୍ରାହକଙ୍କ ପକେଟ ପୋଡୁଛି । ଯଦିଓ ଗତ ୫ଦିନ ହେବ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତିତ ରହିଛି । କିନ୍ତୁ ଏବେ ବି ପେଟ୍ରୋଲ ୯୦ ଟଙ୍କା ଉପରେ ଓ ଡିଜେଲ ଲିଟର ପିଛା ଦର ୮୫ ଟଙ୍କାରୁ ଅଧିକ ରହିଛି । ହେଲେ ଆଗକୁ ଏହା ଆହୁରି ମହଙ୍ଗା ହେବାର ସଂକେତ ମିଳୁଛି । କାରଣ ଓପେକ ଅର୍ଥାତ ଅର୍ଗାନାଇଜେସନ ଅଫ ପେଟ୍ରୋଲିୟମ ଏକ୍ସପୋର୍ଟିଂ କଂଟ୍ରିଜ, ତେଲ ଉତ୍ପାଦନ ଉପରେ କଟକଣା ହଟାଇବାକୁ ମନା କରିଦେଇଛନ୍ତି ।

ଭାରତ ଏହି କଟକଣାକୁ ହଟାଇ ନେବା ସହ ଅଶୋଧିତ ତେଲର ମୂଲ୍ୟକୁ ଯୁକ୍ତିଯୁକ୍ତ କରିବା ପାଇଁ ଦାବି କରିଆସୁଥିଲା । ହେଲେ ଭାରତର ଏହି ଦାବିକୁ କେବଳ ଅଗ୍ରାହ୍ୟ କରିନାହାନ୍ତି ବରଂ ସାଉଦି ଆରବ ନୂଆଦିଲ୍ଲୀକୁ ପରାମର୍ଶ ଦେଇଛି ଯେ, ଗତବର୍ଷ କରୋନା ସମୟରେ କିଣିଥିବା ଶସ୍ତା ତେଲକୁ ବ୍ୟବହାର କର । ସେତେବେଳେ ଶସ୍ତାରେ କିଣିଥିବା ତେଲକୁ ଏବେ ବ୍ୟବହାର କରିବାର ବେଳ ଆସିଥିବା ଭାରତକୁ ପରାମର୍ଶ ଦେଇଛନ୍ତି ସାଉଦି ଆରବର ଶକ୍ତି ମନ୍ତ୍ରୀ ପ୍ରିନ୍ସ ଅବଦୁଲ୍ଲାଅଜିଜ ବିନ ସଲମାନ ।

କଥାହେଲା ଗତବର୍ଷ ଏପ୍ରିଲ, ମେ ମାସରେ ଭାରତ ୧୬ ଦଶମିକ ୭୧ ଡଲାର ପ୍ରତି ବ୍ୟାରେଲରେ ତେଲ କିଣି ଏହାର ତିନିଟି ତୈଳ ଭଣ୍ଡାରରେ ଗଚ୍ଛିତ କରି ରଖିଛି । ତେଣୁ ବର୍ତମାନ ତେଲ ଦରକୁ ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ଲାଗି ଏହି ତେଲକୁ ବଜାରକୁ ଛାଡିବା ପାଇଁ ପରାମର୍ଶ ଦେଇଛି ସାଉଦି ଆରବ ।