ଆଜି ଦିନକ ପାଇଁ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଆଉଟଡୋର ବନ୍ଦ : ସମସ୍ତ ସଂକ୍ରମିତଙ୍କୁ ଭୁବନେଶ୍ୱର କୋଭିଡ ହସ୍ପିଟାଲ ସ୍ଥାନାନ୍ତର ; ନେଗେଟିଭ ଥିବା ରୋଗୀଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଗଲା

126

କନକ ବ୍ୟୁରୋ : କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ଆଉଟଡୋର ଆଜି ଦିନକ ପାଇଁ ବନ୍ଦ କରାଯାଇଛି । ସମସ୍ତ ଆକ୍ରାନ୍ତଙ୍କୁ ଭୁବନେଶ୍ୱର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହା ସହ ହସ୍ପିଟାଲରେ ନେଗେଟିଭ ଥିବା ରୋଗୀଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି । ଗତକାଲି କ୍ୟାନସର ହସ୍ପିଟାଲରୁ ୫୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରେ ୧୮ ରୋଗୀ ହୋଇଥିବାବେଳେ  ଅନ୍ୟମାନେ ସହାୟକ ଓ ନର୍ସ ଥିଲେ । ଏତେ ସଂଖ୍ୟାରେ କ୍ୟାନସର ରୋଗୀ କରୋନା ସଂକ୍ରମିତ ହେବା ଚିନ୍ତା ଜନକ ବିଷୟ । କାରଣ କ୍ୟାନସର ଭଳି ମାରାତ୍ମକ ରୋଗ ସହ ଲଢ଼ୁଥିବା ରୋଗୀଙ୍କୁ କରୋନା ହେବା ସେମାନଙ୍କ ପାଇଁ ବିପଦକୁ ଅଧିକ ବଢ଼ାଇ ଦେଇଛି । ଏହା ପୂର୍ବରୁ ଏହି ହସ୍ପିଟାଲରୁ ୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ସେମାନଙ୍କ ମଧ୍ୟରେ ଡାକ୍ତର, ନର୍ସ ଓ ସହାୟକ ରହିଛନ୍ତି ।  ଅନ୍ୟପଟେ କଟକ ଏସସିବି ମେଡିକାଲରୁ ମଧ୍ୟ ୧୧ ଜଣ କରୋନା ପଜିଟିଭ୍ ଗତକାଲି ଚିହ୍ନଟ ହୋଇଛନ୍ତି  । ହସ୍ପିଟାଲରେ ଥିବା ଅନ୍ୟ ରୋଗୀ, ଡାକ୍ତର, କର୍ମଚାରୀଙ୍କର ମଧ୍ୟ କୋଭିଡ୍ ପରୀକ୍ଷା କରାଯିବ । କ୍ୟାନସର ହସ୍ପିଟାଲ ହେଉ କି କଟକ ବଡ ଡାକ୍ତରଖାନାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତା ବଢାଇ ଦେଇଛି । ଆଗକୁ ଏହା ବଡ ବିସ୍ଫୋରକ ରୂପ ନେଲେ ସ୍ଥିତି ଅସମ୍ଭାଳ ହେବ ବୋଲି କୁହାଯାଉଛି ।