‘ଅପରେସନ ବ୍ଲାକଆଉଟ୍’ ପ୍ରଭାବ: ନବରଙ୍ଗପୁର ଆସିଷ୍ଟାଂଟ ଏକଜିକ୍ୟୁଟିଭ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ

318

କନକ ବ୍ୟୁରୋ: କନକ ନ୍ୟୁଜର ଅପରେସନ୍ ବ୍ଲାକ୍ ଆଉଟ୍ ପ୍ରଭାବରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ । ନବରଙ୍ଗପୁରର ସହକାରୀ ନିର୍ବାହୀଯନ୍ତ୍ରୀ ଭଗବାନ ପ୍ରଧାନଙ୍କ ନାଁରେ ଏହି ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜୟପୁର ଇଲେକ୍ଟିକାଲ ସର୍କଲର ସୁପରିଟେଣ୍ଡେଂଟ ଇଞ୍ଜିନିୟର । ଏଥିରେ କୁହାଯାଇଛି ଯେ, ଭଗବାନ ପ୍ରଧାନ ଠିକ୍ ଭାବେ ତାଙ୍କ ଦାୟିତ୍ୱ ନିର୍ବାହ କରିନାହାନ୍ତି । ସାମଗ୍ରୀ ବିକ୍ରୀ ପାଇଁ ଏକ ନିର୍ଦ୍ଦିଷ୍ଟ କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇଛନ୍ତି ।

କାର୍ଯ୍ୟରେ ଅସାଧୁ ଉପାୟ ଅବଲମ୍ବନ କରିଛନ୍ତି । ଏଥିପାଇଁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ଚିଠିରେ ଲେଖାଯାଇଛି । ଶୁକ୍ରବାରଦିନ କନକ ନ୍ୟୁଜରେ ଏହି ଅପରେସନ ବ୍ଲାକଆଉଟ ପ୍ରସାରିତ ହୋଇଥିଲା । ୫ ଲକ୍ଷ ଟଙ୍କା ଓ ଫରେନ୍ ଟୁର କଥା ଶୁଣି ବଦଳି ଯାଇଥିଲା ନବରଙ୍ଗପୁର ନିର୍ବାହୀ ଯନ୍ତ୍ରୀ ଭଗବାନ ପ୍ରଧାନଙ୍କ ମିଜାଜ୍ । ନିଜ ପକେଟ୍ ଗରମ ହେବା ଜାଣିବା ପରେ ଜିଲ୍ଲାପାଳଙ୍କ ପାଇଁ ଡିଲ୍ କଲେ ସାଉଥ୍କୋର ନବରଙ୍ଗପୁର ନିର୍ବାହୀ ଯନ୍ତ୍ରୀ । ଖବର ପ୍ରସାରଣ ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା ।