ରାଜ୍ୟରେ ଖୋଲିବ ସିନେମା ହଲ୍, ସପିଂ ମଲ୍, ରେସ୍ତୋରାଁ । ଟୀକା ନନେଇଥିଲେ ଏହି ସବୁ ସ୍ଥାନକୁ ମିଳିବନି ଅନୁମତି ।

303

କନକ ବ୍ୟୁରୋ : କରୋନା ଭାଇରସର ଦ୍ୱିତୀୟ ଲହର ସହ ସାରା ଦେଶ ଲଢୁଥିବା ବେଳେ ଆସନ୍ତା ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । କଟକଣାକୁ ଅନେକ ମାତ୍ରାରେ କୋହଳ କରାଯାଇଥିବା ବେଳେ ଟୀକାକରଣକୁ ଗୁରୁତ୍ୱ ଦିଆଯାଇଛି । ଏପରିକି ଯେଉଁମାନେ ଏଯାଏଁ ଟୀକା ନେଇନାହାନ୍ତି ସେମାନଙ୍କୁ ସିନେମା ହଲ୍, ସପିଂ ମଲ୍ ଏବଂ କୌଣସି ରେସ୍ତୋରାଁ ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ ।

ସେହିପରି ଅଗଷ୍ଟ ମାସ ପାଇଁ କଟକଣାରେ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ଅଗଷ୍ଟ ୧ ତାରିଖରୁ ସନ୍ଧ୍ୟା ୫ ପରିବର୍ତ୍ତେ ଏଣିକି ରାତି ୮ଟା ଯାଏଁ ଖୋଲିପାରିବ ଦୋକାନବଜାର । ରାତି ୮ଟାରୁ ସକାଳ ୬ଟା ଯାଏଁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ କଟକଣା ବଳବତ୍ତର ରହିବ । ସେହିପରି କେବଳ ଭୁବନେଶ୍ୱର, କଟକ ଏବଂ ପୁରୀ ଜିଲ୍ଲାରେ ବଳବତ୍ତର ରହିବ ସପ୍ତାହନ୍ତ ସଟଡାଉନ୍ ।

ଜୀବନ-ଜୀବିକାକୁ ଗୁରୁତ୍ୱ ଦେଇ ଅଗଷ୍ଟ ମାସ ପାଇଁ କଟକଣା କୋହଳ କରିଛନ୍ତି ରାଜ୍ୟ ସରକାର । କେତୋଟି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଥିବାରୁ ସମ୍ପୂର୍ଣ୍ଣ ଅନଲକ୍ କରିନାହାନ୍ତି ସରକାର । ତେବେ ପୂର୍ବରୁ ମଲ୍ ଗୁଡିକ ବନ୍ଦ ରହିଥିବା ବେଳେ ଅଗଷ୍ଟ ମାସରେ କଟକଣା ସହ ଖୋଲିପାରିବ ରାଜ୍ୟର ସମସ୍ତ ମଲ୍ । ସେହିପରି ସିନେମା ହଲ୍, ଥିଏଟର ଗୁଡିକ ମଧ୍ୟ ୫୦ ପ୍ରତିଶତ ଦର୍ଶକ କ୍ଷମତାରେ ଖୋଲିବାକୁ ଅନୁମତି ଦିଆଯାଇଛି । ଆସନ୍ତା ସେପ୍ଟେମ୍ବର ୧ ତାରିଖ ସକାଳ ୬ଟା ଯାଏଁ ଏହି ନୂଆ ନିୟମ ବଳବତ୍ତର ରହିବ ।