ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା । କେବଳ ସେବାୟତମାନେ ଟାଣିବେ ମହାପ୍ରଭୁଙ୍କ ତିନି ରଥ । 

175

କନକ ବ୍ୟୁରୋ: କୋଭିଡ୍ କଟକଣା ମଧ୍ୟରେ ଚଳିତ ବର୍ଷ କିପରି ଭାବେ ମହାପ୍ରଭୁଙ୍କ ଘୋଷଯାତ୍ରା ଆୟୋଜିତ ହେବ ସେନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ତାଙ୍କ କହିବା ମୁତାବକ, ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କେବଳ ସେବାୟତମାନଙ୍କୁ ନେଇ ରଥଯାତ୍ରା ଆୟୋଜିତ ହେବ । ମହାପ୍ରଭୁଙ୍କ ତିନି ରଥକୁ ସେବାୟତମାନେ ହିଁ ଟାଣିବେ । ଏଥିପାଇଁ ପ୍ରଶାସନ ପକ୍ଷରୁ ସେମାନଙ୍କର ଟିକାକରଣ କରାଯିବା ସହିତ ସେମାନଙ୍କୁ ମାସ୍କ, ସାନିଟାଇଜର ଏବଂ ଗୋଟିଏ ଲେଖାଏଁ ଗାମୁଛା ଯୋଗାଇ ଦିଆଯିବ ।

ଅନ୍ୟପଟେ କୋଭିଡ୍ କଟକଣା ମଧ୍ୟରେ ଚଳିତ ବର୍ଷ ରଥଯାତ୍ରା ଆୟୋଜନ ହେବା ନେଇ ସରକାରଙ୍କ ନିର୍ଦ୍ଦେଶ ରହିଛି । ତେଣୁ କିଭଳି ଭାବେ ସୁରୁଖୁରରେ ରଥଯାତ୍ରା ଆୟୋଜିତ ହେବ ସେନେଇ ପ୍ରଶାସନ ପ୍ରସ୍ତୁତି ଚଳାଇଛି । ସେବାୟତ, ଅଫିସରମାନଙ୍କର ଟିକାକରଣ ହେବା ପରେ ହିଁ ସେମାନେ ରଥଯାତ୍ରାରେ ସାମିଲ ହୋଇପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ କହିଛନ୍ତି ।

ଏପଟେ ରଥଯାତ୍ରାକୁ ନେଇ ଆଗୁଆ କଟକଣା ଜାରି ହୋଇଛି । ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ସମସ୍ତ ହୋଟେଲ, ଲଜିଂ ଓ ଧର୍ମଶାଳାରୁ ଲୋକଙ୍କୁ ବାହାର କରାଯିବ । ବଡଦାଣ୍ଡରେ ୧୪୪ ଧାରା କଡାକଡି ଭାବେ ପାଳନ କରାଯିବ । ଲୋକମାନେ ଛାତ ଉପରେ ଠିଆ ହୋଇ ରଥଯାତ୍ରାକୁ ଦେଖିପାରିବେନି ବୋଲି କୁହାଯାଇଛି ।