ମୁମ୍ବାଇ ପରିବହନ ଓ ବିଜୁଳି ବିଭାଗର କର୍ମଚାରୀଙ୍କୁ ଦରମାରେ ମିଳୁଛି କେବଳ ଖୁଚୁରା ଟଙ୍କା । ୫ ମାସ ଧରି ଚାଲିଛି ଏହି ପ୍ରକ୍ରିୟା । ଜାଣନ୍ତୁ କାହିଁକି ?

149

କନକ ବ୍ୟୁରୋ : ମୁମ୍ବାଇର ପରିବହନ ଓ ବିଜୁଳି ବିଭାଗର ପାଖା ପାଖି ୪୦ ହଜାର କର୍ମଚାରୀଙ୍କକୁ ୫ ମାସ ହେବ ଦରମାରେ କେବଳ ଖୁଚୁରା ଟଙ୍କା ମିଳୁଛି । ଏହି ଖୁଚୁରା ଟଙ୍କା ମଧ୍ୟରେ କେବଳ ୫ ଟଙ୍କିଆ ଓ ୧୦ ଟଙ୍କିଆ ମୁଦ୍ରା ରହିଛି । ଦରମାରରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ କେବଳ ଖୁଚୁରା ଟଙ୍କା ଦିଆଯାଉଥିବା କୁହାଯାଇଛି ।

କର୍ମଚାରୀମାନେ ମାସିକ ୧୫ ହଜାର ଟଙ୍କା ଖୁଚୁରା ପଇଷା ନେଉଥିବାରୁ ସେମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ମୁମ୍ବାଇ ପରିବହନ ବିଭାଗ ୪ ହଜାର ବସ୍ ଚଳାଉଛି, ଏହାସହ ୧୦ ମହାନଗର ନିଗମରେ ୧୦ ଲକ୍ଷ ବିଜୁଳି ଉପଭୋକ୍ତା ରହିଛନ୍ତି । ବସ୍ ଯାତ୍ରୀ ଓ ବିଜୁଳି ଉପଭୋକ୍ତା ମାନେ ବହୁ ପରିମାଣର ଖୁଚୁରା ପଇଷା ଦେଉଥିବାରୁ ଏହା ନିଗମ ପାଖରେ ମହଜୁଦ ହୋଇଯାଉଛି ।

ଏନେଇ ଜଣେ କର୍ମଚାରୀ କହିଛନ୍ତି କି ତାଙ୍କୁ ଜାନୁଆରୀ ମାସରେ ଦରମା ଆକାରରେ ୧୫ ହଜାର ଟଙ୍କା ଖୁଚୁରା ପଇଷା ମିଳିଥିବା ବେଳେ ଫେବୃଆରୀ ମାସରେ ୧୧ ହଜାର ଟଙ୍କା ମିଳିଛି । ଦରମାରେ ଏତେ ଖୁଚୁରା ପଇଷା ମିଳୁଥିବାରୁ ଏହାକୁ ବଜାରରେ କାରବାର କରିବାକୁ ଅସୁବିଧା ହେଉଥିବା କଥା ସେ କହିଛନ୍ତି ।

ପଶ୍ଚିମ କମିଟିର ବରିଷ୍ଠ ସଦସ୍ୟ ସୁନୀଲ ଗଣାଚାର୍ଯ୍ୟ କହିଛନ୍ତି କି ମୁମ୍ବାଇ ମହାନଗର ନିଗମ ପାଖରେ ବହୁ ପରିମାଣର ଖୁଚୁରା ପଇଷା ଜମା ହୋଇ ରହିଛି । ପୂର୍ବବର୍ଷ ଏକ ବ୍ୟାଙ୍କ ସହ ଅନୁବନ୍ଧିତ କରି ଏହି ଖୁଚୁରା ପଇଷାକୁ ସେଠାରେ ଜମା କରାଯାଉଥିଲା । ହେଲେ ଚୁକ୍ତି ଶେଷ ହେବା ପରେ ଏହି ଖୁଚୁରା ପଇଷାକୁ କୌଣସି ବ୍ୟାଙ୍କ ନେବାକୁ ରାଜି ହେଉନାହାନ୍ତି । ଫଳରେ ବାଧ୍ୟ ହୋଇ ଏହାକୁ କର୍ମଚାରୀ ମାନଙ୍କୁ ଦରମା ଦେବା ବେଳେ ସେମାନଙ୍କ ଦରମାର କିଛି ଅଂଶ ଖୁଚୁରା ଟଙ୍କା ଦିଆଯାଉଛି ।