ଦେଶରେ ପଡିଛି ଡାକ୍ତର ମରୁଡି ! ରୋଗ ବଢୁଛି ରୋଗୀ ବଢୁଛନ୍ତି କିନ୍ତୁ ବଢୁନାହିଁ ଡାକ୍ତରଙ୍କ ସଂଖ୍ୟା , ଭାରତରେ ୧,୪୪୫ ଜନସଂଖ୍ୟାରେ ଜଣେ ଡାକ୍ତର ।

152

ଦେଶରେ ଡାକ୍ତର ଅଭାବ । ଜନସଂଖ୍ୟା ଅନୁସାରେ ଦେଶରେ ନାହାଁନ୍ତି ଆବଶ୍ୟକ ଡାକ୍ତର । ଏହାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟସଭାରେ ଏକ ରିପୋର୍ଟ ଦାଖଲ କରିଛନ୍ତି । ରିପୋର୍ଟ ଅନୁସାରେ, ୧,୪୪୫ଲୋକଙ୍କ ଜୀବନ କେବଳ ଜଣେ ଏଲୋପାଥିକ ଡାକ୍ତରଙ୍କ ଉପରେ ନିର୍ଭର କରୁଛି । ଉତ୍ତର ଭାରତରେ ସବୁଠାରୁ ଖରାପ ସ୍ଥିତିରେ ରହିଛି ହରିୟାଣା । ଏଠାରେ ଜଣେ ଏଲୋପାଥିକ ଡାକ୍ତରଙ୍କ ଉପରେ ୬,୨୮୭ଲୋକ ନିର୍ଭର କରୁଛନ୍ତି । ଏଥି ସହ ଉତ୍ତର ପ୍ରଦେଶରେ ୩,୬୯୨, ଉତ୍ତରାଖଣ୍ଡରେ ୧,୬୩୧, ପଞ୍ଜାବରେ ୭୭୮, ହିମାଚଳ ପ୍ରଦେଶରେ ୩,୦୧୫, ଜମ୍ମୁ କାଶ୍ମୀରରେ ୧,୧୪୩ ଏବଂ ରାଜଧାନୀ ଦିଲ୍ଲୀରେ ୧,୨୫୨ ଲୋକଙ୍କ ପାଇଁ ଜଣେ ଏଲୋପାଥିକ ଡାକ୍ତର ପଞ୍ଜିକୃତ ହୋଇଛନ୍ତି ।

ଆଶୁ (ଆୟୁର୍ବେଦ, ଯୋଗ, ହୋମିଓପାଥିକ) ଚିକିତ୍ସା ପଦ୍ଧତି ପାଇଁ ଡାକ୍ତରଙ୍କ ସଂଖ୍ୟା ଦେଖିବାକୁ ଗଲେ ହରିୟାଣାରେ ୧,୮୧୨ ଲୋକଙ୍କ ଚିକିତ୍ସା ପାଇଁ ମାତ୍ର ଜଣେ ଡାକ୍ତର । ଯାହାକି ଉତ୍ତର ଭାରତର ଅନ୍ୟ ରାଜ୍ୟ ତୁଳନାରେ ଏହା ସର୍ବାଧିକ । ମନ୍ତ୍ରାଳୟ ରିପୋର୍ଟ ମୁତାବକ, ଦେଶରେ ୧୧.୫୯ ଲକ୍ଷ ଏଲୋପାଥି ଡାକ୍ତର ପଞ୍ଜିକୃତ ହୋଇଛନ୍ତି । କିନ୍ତୁ ଏଥିରୁ ୯.୨୭ ଲକ୍ଷ ଡାକ୍ତର ପ୍ରତିଦିନ ହସ୍ପିଟାଲ କିମ୍ବା କ୍ଲିନିକରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି । ଦେଶର ଜନସଂଖ୍ୟା ୧.୩୫ ବିଲିୟନ । ଏହି ହିସାବରେ ଦେଶରେ ୧,୪୪୫ ଲୋକଙ୍କ ଜନସଂଖ୍ୟା ତୁଳନାରେ ଜଣେ ଏଲୋପାଥିକ ଡାକ୍ତର । ଦେଶରେ ଡାକ୍ତରଙ୍କ ଅଭାବକୁ ପୂରଣ କରିବା ପାଇଁ ଏମବିବିଏସ କୋର୍ସରେ ସିଟ ସଂଖ୍ୟା ୧୫୦ ରୁ ୨୫୦ ଯାଏଁ ବୃଦ୍ଧି କରାଯାଇଛି । ନୂଆ ମେଡିକାଲ କଲେଜର ସ୍ଥାପନା ପାଇଁ ନିୟମର ସରଳତା, ଜିଲ୍ଲା ହସ୍ପିଟାଲରେ ମେଡିକାଲ କଲେଜର ପାହ୍ୟାବୃଦ୍ଧି କରିବା ଦିଗରେ କାର୍ଯ୍ୟ ହେଉଛି । ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ପୂରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହାୟତା କରାଯାଉଛି ।