ଓଡ଼ିଶାରେ କେବଳ ନବୀନ ମଡେଲ କାମ କରିବ, କେଉଁଠି କିଏ ଜିତିଲେ ତାହାର ପ୍ରଭାବ ପଡିବନି । ମନମୋହନଙ୍କ ବୟାନର କଡା ଜବାବ ରଖିଲା ବିଜେଡି ।

138

କନକ ବ୍ୟୁରୋ : ୩ ରାଜ୍ୟରେ ବିଜୟୀ ବାନା ଉଡାଇବା ପରେ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ବଡ ବୟାନ ଦେଇଛନ୍ତି । ୩ ରାଜ୍ୟରେ ଫଳାଫଳ ଯେମିତି ହେଲା ତାହାର ପୁନରାବୃତ୍ତି ଓଡ଼ିଶାରେ ଦେଖିବାକୁ ମିଳିବ ବୋଲି ମନମୋହନ କହିଛନ୍ତି । ଯାହାର ଜବାବ ରଖିଛି ବିଜେଡି । ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ୨୦୦୦ ରୁ ୨୦୨୩ ମଧ୍ୟରେ ଓଡ଼ିଶାରେ କେଉଁ ମଡେଲ କାମ କରିନି । ଓଡ଼ିଶାରେ କେବଳ ନବୀନ ମଡେଲ ହିଁ କାମ କରିଛି । ଆଗାମୀ ଦିନରେ ବି କରିବ । ନବୀନ ମଡେଲ ହେଉଛି ବିକାଶର ମଡେଲ । ଦିଲ୍ଲୀଠୁ ନେଇ ଦୌଲତାବାଦ ଯାଏଁ ଓଡ଼ିଶାର ମଡେଲକୁ ସବୁ ଅନୁକରଣ କରିଛନ୍ତି । ସବୁ ରାଜ୍ୟ ମଧ୍ୟ ଓଡିଶାକୁ ପ୍ରଶଂସା କରିଛନ୍ତି । ନବୀନ ମଡେଲକୁ କେହି ବି ଛୁଇଁ ପାରିବେନି । କେଉଁଠି କିଏ ଜିତିଲେ ଓଡ଼ିଶା ଉପରେ ତାର ପ୍ରଭାବ ପଡ଼ିବ ନାହିଁ ।

ଏହାଛଡା ଅତନୁ କହିଛନ୍ତି, କୌଣସି ଯୋଜନାରେ ଓଡିଶା କେବେ ବାଧକ ହୋଇନି । ଆମର ବିକାଶର ଧାରା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଛି । ଓଡ଼ିଶାରେ ବିଜୁ ଜନତା ଦଳର ସରକାର ଲୋକଙ୍କ ବିକାଶ ପାଇଁ କାମ କରୁଛି । ଯେତେ ମନ୍ତ୍ରୀ ଆସିଛନ୍ତି ଯେତେ ଟିମ ଆସିଛନ୍ତି ଆମକୁ ପ୍ରଶଂସା କରିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ କେମିତି ଓଡ଼ିଶାରେ କେମିତି କାମ କରୁଛି ତାହା ଅନ୍ୟ ରାଜ୍ୟରୁ ଲୋକ ଆସୁଛନ୍ତି ଦେଖିବା ପାଇଁ । ମୁକ୍ତା ଯୋଜନାକୁ କେରଳ ଭଳି ରାଜ୍ୟ ନେବା ପାଇଁ ଆଗ୍ରହୀ । ତେଣୁ ଆମେ କୌଣସି ଯୋଜନାରେ ବାଧକ ସାଜିନୁ ବରଂ ଲୋକଙ୍କ ବିକାଶ ପାଇଁ କାମ କରୁଛୁ ବୋଲି ଅତନୁ କହିଛନ୍ତି ।