କନକ ବ୍ୟୁରୋ : ଭାରତ-ଚୀନକୁ ନେଇ ବଡ ବୟାନ ଦେଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କୌଣସି ପଶ୍ଚିମ ଦେଶ ନୁହେଁ ଚୀନର ମୁକାବିଲା କେବଳ ଭାରତ କରିପାରିବ ବୋଲି ରାହୁଲ ଏକ ସାକ୍ଷାତକାରରରେ କହିଛନ୍ତି । ନିକଟରେ ଅଭିନେତା ତଥା ରାଜନେତା କମଲ ହାସନଙ୍କ ସହ ରାହୁଲ ଏକ ସାକ୍ଷାତକାର କାର୍ଯ୍ୟକ୍ରମ କରିଥିଲେ । ଏଠାରେ ରାହୁଲ କହିଛନ୍ତି ଭାରତ ହି ଏକ ମାତ୍ର ଦେଶ ଯାହା ପାଖରେ ଚୀନର ମୁକାବିଲା ପାଇଁ ପର୍ଯ୍ୟାପ୍ତ କ୍ଷମତା ରହିଛି । ଏଥିସହ ରାହୁଲ କହିଛନ୍ତି ଯେ ଏକବିଂଶ ଶତାଦ୍ଦୀରେ ଭାରତ ନିଜର ପ୍ରତିରକ୍ଷାକୁ ଅଧିକରୁ ଅଧିକ ମଜବୁତ କରିବା ଆବଶ୍ୟକ । କେବଳ ସୀମାରେ ଆକ୍ରମଣ କରିବା ଜରୁରୀ ନୁହେଁ ଆଭ୍ୟନ୍ତରୀଣ ଆକ୍ରମଣରେ ମଧ୍ୟ ଚୀନକୁ ଜବାବ ଦେଇ ହେବ । ଏହାର ସବୁଠୁ ବଡ ଉଦହାରଣ ସାଇବର ଆକ୍ରମଣ ବୋଲି ରାହୁଲ କହିଛନ୍ତି ।
ଭାରତ-ଚୀନ ସୀମା ସଂଘର୍ଷକୁ ନେଇ ରାହୁଲ ଏକଥା ମଧ୍ୟ କହିଛନ୍ତି ଯେ ଭାରତ ସୀମାରେ ଚୀନ ପ୍ରାୟ ୨ହଜାର ବର୍ଗ ଯାଏଁ କବଜା କରିସାରିଛି । ସବୁ ଜାଣି ମଧ୍ୟ ମୋଦି ସରକାର ଚୁପ ବସିଛନ୍ତି । ଦେଶର ଦୁର୍ବଳ ଆର୍ଥିକ ସ୍ଥିତି ଓ କିଛି ଆଭ୍ୟନ୍ତରୀଣ ମାମଲା ନେଇ ସରକାର ଦୁର୍ବଳ ହୋଇପଡିଛନ୍ତି । ଏହାର ଫାଇଦା ଉଠାଉଛି ଚୀନ । ଖୁଲ୍ଲମଖୁଲା ଭାରତୀୟ ସେନା ଆଗରେ ପିଏଲଏ ଏଲଏସିରେ ଅନୁପ୍ରବେଶ କରୁଛନ୍ତି । ତେଣୁ ଭବିଷ୍ୟତରେ ଚୀନ ସହ ଲଢିବା ପାଇଁ ଭାରତରେ ଏକତା ଆବଶ୍ୟକ ରହିଛି । ବିରୋଧୀଙ୍କ ସହ ସରକାର ଆଲୋଚନା କରିବା ଉଚିତ ବୋଲି ରାହୁଲ କହିଛନ୍ତି । କଂଗ୍ରେସ ସାଂସଦ ଏକଥା ମଧ୍ୟ କହିଛନ୍ିି ୟୁକ୍ରେନର ଦୁର୍ବଳତା ପାଇଁ ରୁଷ ଯେଉଁଭଳି ଆକ୍ରମଣ କରିଛି ସେଭଳି କିଛି ସ୍ଥିତି ଭାରତ ସହ ଚୀନ କରିବା ଆଶଙ୍କା ମଧ୍ୟ ରହିଛି ।