ରାତି ପାହିଲେ ଦୀପାବଳି : ଏଯାଏଁ ଦେଖିବାକୁ ମିଳିନି ବାଣର ପସରା; ଖୋଲିନି ହୋଲସେଲ କି ଖୁଚୁରା ଦୋକାନ

କଡ଼ା କଟକଣାକୁ ନେଇ ଦ୍ୱନ୍ଦ୍ୱରେ ବ୍ୟବସାୟୀ; ଏଥର କେବଳ ସବୁଜ ବାଣକୁ ମିଳିଛି ଅନୁମତି

162

କନକ ବ୍ୟୁରୋ : ଏଥର ଦୀପାବଳିଙ୍କ ସବୁଜ ବାଣକୁ ସରକାର ଅନୁମତି ଦେଇଛନ୍ତି । ହେଲେ ଲୋକେ ଏହି ବାଣ କିଣିବେ କେଉଁଠୁ ସେ ନେଇ ଏବେ ବି ଦ୍ୱନ୍ଦ୍ୱରେ ଅଛନ୍ତି । ରାତି ପାହିଲେ ଦିପାବଳି ହୋଇଥିବାବେଳେ ଏ ଯାଏଁ କେଉଁଠି ସବୁଜ ବାଣ ବିକ୍ରି ପାଇଁ ବାଣ ଦୋକାନ ଖୋଲିନି । ହୋଲସେଲ ଓ ଖୁଚୁରା ଦେକାନ ଏ ଯାଏଁ ଖୋଲିନି । ବାଣ ବିକ୍ରିର କଡା କଟକଣାକୁ ନେଇ ଦ୍ୱନ୍ଦରେ ଅଛନ୍ତି ବ୍ୟବସାୟୀ । ଦୀପାବଳିର ଏକସପ୍ତାହ ପୂର୍ବରୁ ସାଧାରଣତଃ ବାଣ ଦୋକାନ ଖୋଲିଥାଏ ।

ଗତବର୍ଷ କରୋନା ଯୋଗୁଁ ବାଣ ବିକ୍ରି ଓ ଫୁଟାଇବା ଉପରେ ସରକାର ନିଷେଧାଦେଶ ଜାରି କରିଥିଲେ । କିନ୍ତୁ ଏଥର କେବଳ ସରକାର ସବୁଜ ବାଣ ଫୁଟାଇବାକୁ ଅମୁମତି ଦେଇଛନ୍ତି । ହେଲେ ଏ ଯାଏଁ ସେଭଳି କୌଣସି ବାଣ ଦୋକାନ ଖୋଲିନାହିଁ । ପୁଲିସ ମଧ୍ୟ ଏ ଯାଏଁ କାହାକୁ ଦୋକାନ ଖୋଲିବାକୁ ଅନୁମତି ଦେଇନାହିଁ । ତେଣୁ ଏ ବର୍ଷ ବାଣ ଫୁଟିବ କି ନାହଁ ସେ ନେଇ ଆଶଙ୍କା ଦେଖାଦେଇଛି । କାଁ ଭାଁ କିଛି ସ୍ଥାନରେ ଛୋଟ ଛୋଟ ଦୋକାନ ଖୋଲିଛି । ଏଠାରେ ପୁଣି ପୁରୁଣା ବାଣ ବିକ୍ରି ହେଉଛି ।

ବଡ ପ୍ରଶ୍ନ ହେଉଛି, ଦୀପାବଳି ପାଇଁ ଲାଇସେନ୍ସ ମିଳିବ କେବେ ? ବ୍ୟବସାୟୀ ଭୁବନେଶ୍ୱର ଆସି ବାଣ ନେବେ କେବେ ? ବାଣ ନେଲେ ବିକ୍ରି କରିବେ କେବେ ? ସବୁଜ ବାଣ ପାଇଁ ଓଡିଶାର ବ୍ୟବସାୟୀ ସାଧାରଣତଃ ତାମିଲନାଡୁର ଶିବକାଶୀ ଉପରେ ନିର୍ଭର କରିଥାନ୍ତି । ତେଣୁ ଏତେ କମ ସମୟ ମଧ୍ୟରେ ବ୍ୟବସାୟୀ କେମିତି ବାଣ ଆଣିବେ ସେ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଓଡିଶା ବଜାରରେ ସବୁଜ ବାଣ ନଥିବା ବେଳେ ବ୍ୟବସାୟକୁ ଅନୁମତି ନ ଦେବା ଚୋରା ବେପାର ଆଶଙ୍କାକୁ ବଢାଇଦେଇଛି ।