ଜିଲ୍ଲା ନୁହେଁ ପଞ୍ଚାୟତୱାରୀ ରେଡ୍ ଜୋନ୍ । ମୁଖ୍ୟ ଶାସନ ସଚିବ କହିଲେ, ଅର୍ଥନୀତିକୁ ସ୍ୱାଭାବିକ କରିବା ପାଇଁ ପ୍ରୟାସ, ରେଡ୍ ଜୋନ୍ ଚିହ୍ନଟ କରିବାକୁ ଜିଲ୍ଲା ପ୍ରଶାସନକୁ ଦିଆଯାଇଛି ପୂର୍ଣ୍ଣକ୍ଷମତା ।

1,077

କନକ ବ୍ୟୁରୋ: ଲକଡାଉନ୍-୪.୦ କଟକଣା ମଧ୍ୟରେ କୋହଳ ହେବ କଟକଣା । ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଏଣିକି  ଅର୍ଥନୈତିକ ମୁଖ୍ୟସ୍ରୋତ ପାଲଟିଥିବା ଜିଲ୍ଲାରେ ଯଦି ଏକାଧିକ ଆକ୍ରାନ୍ତ ଚିହ୍ନଟ ହେଲେ ପୂରା ଜିଲ୍ଲାକୁ ଘୋଷଣା କରାଯିବନି ରେଡ୍ ଜୋନ୍ । କାରଣ ଏହାଦ୍ୱାରା ଅର୍ଥନୀତି ଉପରେ ବହୁତ ପ୍ରଭାବ ପଡୁଛି । ତେଣୁ ଲକଡାଉନ୍-୪.୦ରେ ଆମେ କେନ୍ଦ୍ରକୁ ଏହି କଟକଣାକୁ କୋହଳ କରିବାକୁ ଅନୁରୋଧ କରିଥିଲୁ । ଆଉ ଏବେ ଆମ ରାଜ୍ୟରେ ପଞ୍ଚାୟତୱାରୀ କ୍ଲଷ୍ଟର କଣ୍ଟେନମେଣ୍ଟ ଏବଂ ରେଡ୍ ଜୋନ୍ କରାଯିବ । କେବଳ ସେହି ଅଞ୍ଚଳରେ ଲକଡାଉନର ସମସ୍ତ କଟକଣା ପାଳନ କରାଯିବ ।

ସେପଟେ ଏନେଇ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ପୌରାଞ୍ଚଳର କମିଶନର ଏବଂ ପଞ୍ଚାୟତୱାରୀ ସରପଞ୍ଚମାନେ ଏହାର ତଦାରଖ କରିବେ । କେବଳ ସଂକ୍ରମିତ ଅଞ୍ଚଳ ବା କଣ୍ଟେନମେଣ୍ଟ ଜୋନକୁ ହିଁ ରେଡ୍ ଜୋନ୍ ଭାବେ ଧରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି । ଅନ୍ୟପଟେ ହଟସ୍ପଟ ଅଞ୍ଚଳ ଫେରନ୍ତାଙ୍କ ଏବଂ ବିଦେଶ ଫେରନ୍ତାଙ୍କ ପାଇଁ ସ୍ୱତନ୍ତ୍ର କ୍ୱାରେଣ୍ଟିନ୍ ପଲିସି କରାଯାଇଛି । ଶ୍ରମିକ ସ୍ପେଶାଲ ଟ୍ରେନରେ ଆସୁଥିବା ପ୍ରବାସୀଙ୍କୁ ସିଧା କ୍ୱାରେଣ୍ଟିନରେ ରଖାଯାଉଛି । କରୋନା ଭଳି ସମସ୍ୟା ଆଗରୁ ବିଶ୍ୱ ଦେଖିନଥିଲା । କରୋନା ବିରୋଧରେ ଆଗକୁ ଲମ୍ବା ଲଢେଇ ଚାଲିବ । ତେଣୁକରି ସଂକ୍ରମଣ ରୋକିବାକୁ ହେଲେ ଆଗାମୀ ଦିନରେ ସାମାଜିକ ଦୂରତାକୁ ଆମକୁ ପରମ୍ପରା ଭାବେ ପାଳନ କରିବାକୁ ହେବ ବୋଲି ମୁଖ୍ୟ ସଚିବ ଆହ୍ୱାନ ଦେଇଛନ୍ତି ।