୮୦ ହଜାରରୁ ଅଧିକ ଆସିଛନ୍ତି, ପାଖାପାଖି ୬ ହଜାର ତଥ୍ୟ ଦେଇଛନ୍ତି । ବାକି ୭୪ ହଜାରରୁ ଅଧିକ ଲୋକଙ୍କ ବାବଦରେ ସରକାରଙ୍କ ପାଖରେ ତଥ୍ୟ ଅଛି ତ?

1,083

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ପୂରା ଦେଶ ଲକଡାଉନ ହୋଇଥିବା ବେଳେ ରାଜ୍ୟ ସରକାର ଅନେକ ସତର୍କତାମୂଳକ ନେଇଛନ୍ତି । ଏପରିକି ଆଗୁଆ କୋଭିଡ-୧୯ ହସ୍ପିଟାଲ ନିର୍ମାଣ କରି କରୋନା ମୁକାବିଲା କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏପରିକି ରାଜ୍ୟ ସରକାରଙ୍କ କୋଭିଡ-୧୯ର ମୁଖ୍ୟ ସୁବ୍ରତ ବାଗଚୀ ପ୍ରତିଦିନ ରାଜ୍ୟ ସରକାର କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ପୂରା ରାଜ୍ୟବାସୀଙ୍କୁ ଜଣାଉଛନ୍ତି । ଏପରିକି ରାଜ୍ୟରେ ତୃତୀୟ ଆକ୍ରାନ୍ତ ଚିହ୍ନଟ ପରେ ଷ୍ଟେଜ-୩  ସଂକ୍ରମଣ ସମ୍ଭାବନା ସୃଷ୍ଟି ହୋଇଥିବା ଜଣାଇଥିଲେ ସୁବ୍ରତ । କାରଣ ପୂର୍ବ ଦୁଇ ସଂକ୍ରମିତ ବ୍ୟକ୍ତି ବିଦେଶରୁ ଆସିଥିବା ବେଳେ ତୃତୀୟ କରୋନା ଆକ୍ରାନ୍ତ ବ୍ୟକ୍ତି ଦିଲ୍ଲୀରୁ ଆସିଥିଲେ । ତେଣୁ ଅନ୍ୟ ଦେଶରୁ ଓ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସିଥିବା ବ୍ୟକ୍ତିି ୧୦୪ରେ ଫୋନ୍ କରି ପଞ୍ଜୀକରଣ କରିବା ସହ ନିଜ ବାବଦରେ ତଥ୍ୟ ଦେବାକୁ କୁହାଯାଇଥିଲା ।

୩୦ ମାର୍ଚ୍ଚ ସୁଦ୍ଧା ରାଜ୍ୟ ସରକାରଙ୍କ ରିପୋର୍ଟ ଅନୁଯାୟୀ, ବାହାରୁ ଓଡ଼ିଶାକୁ ଆସିଥିବା ମୋଟ ୧୦୨୧୭ ଜଣ ଅନଲାଇନ ଓ ୧୦୪ ମାଧ୍ୟମରେ ପଞ୍ଜୀକରଣ କରିଛନ୍ତି । ଯେଉଁଥିରେ ୪୨୯୧ ଜଣ ବିଦେଶରୁ ଫେରିଥିବା ବେଳେ ୫୯୨୬ ଜଣ ଅନ୍ୟ ରାଜ୍ୟରୁ ଫେରିଛନ୍ତି । ତେବେ ସୁବ୍ରତଙ୍କ ରିପୋର୍ଟ ଅନୁଯାୟୀ, ଅନ୍ୟ ରାଜ୍ୟରେ କାମ କରୁଥିବା ପ୍ରାୟ ୮୦ ହଜାରରୁ ଅଧିକ ଲୋକ ଓଡ଼ିଶା ଫେରିଛନ୍ତି । ଯେଉଁଥିରେ କିଛି ସର୍ବାଧିକ ସଂକ୍ରମିତ ରାଜ୍ୟ ମଧ୍ୟ ରହିଛି । କିନ୍ତୁ ପଞ୍ଜୀକରଣ କରିଛନ୍ତି ୫୯୨୬ ଜଣ । ଯାହା ସ୍ପଷ୍ଟ ଦର୍ଶାଉଛି ଯେ, ଏବେ ବି ୭୪ ହଜାରରୁ ଅଧିକ ଲୋକ ପଞ୍ଜୀକରଣ କରିନାହାନ୍ତି ଯେଉଁମାନେ ଅନ୍ୟ ରାଜ୍ୟରୁ ଏବେ ଓଡ଼ିଶାକୁ ଫେରିଛନ୍ତି ।

ସରକାର କେବଳ ବାହାରୁ ଆସିଥିବା ଲୋକଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇ ଚୁପ ବସିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ପଞ୍ଜୀକରଣ କରିନଥିବା ୭୪ ହଜାରରୁ ଅଧିକ ଲୋକଙ୍କ ମଧ୍ୟରୁ ଯଦି କିଛି ଲୋକ କରୋନା ସଂକ୍ରମିତ ହୋଇଥାନ୍ତି ତେବେ କଣ ହେବ ସ୍ଥିତି । କାରଣ ତୃତୀୟ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ୧୧୨ ଜଣ ଆସିବା ପରେ ଷ୍ଟେଜ-୩ ସଂକ୍ରମଣର ସମ୍ଭାବନା ସୃଷ୍ଟି ହୋଇଥିବା କହିଥିଲେ ସୁବ୍ରତ । ତେବେ ୭୪ ହଜାର ଲୋକଙ୍କ ଭିତରୁ ଯଦି କେହି ସଂକ୍ରମିତ ହୋଇଥାନ୍ତି ତେବେ ଏହାର ପରିଣାମ କେତେ ଭୟାବହ ହୋଇପାରେ ତାର ଆକଳନ କରିଛନ୍ତି କି ସରକାର । ସହରରେ ଲୋକେ ଟିକିଏ ସଚେତନ ହୋଇଥିବା ବେଳେ ଗ୍ରାମାଞ୍ଚଳର ଲୋକ ଏପର୍ଯ୍ୟନ୍ତ ସେତେଟା ସଚେତନ ହୋଇପାରିନାହାନ୍ତି । ତେଣୁ କରୋନା ଯଦି ଗ୍ରାମାଞ୍ଚଳକୁ ବ୍ୟାପେ ତେବେ ଏହାକୁ ମୁକାବିଲା କରିବା ସରକାରଙ୍କ ପକ୍ଷେ କଷ୍ଟକର ହୋଇଯିବ ।
ଏହାବାଦ୍ ଯେଉଁମାନେ ବାହାରୁ ଆସୁଛନ୍ତି ସେମାନଙ୍କୁ ହୋମ ଆଇସୋଲେସନରେ ରହିବାକୁ କୁହାଯାଇଛି । ଏପରିକି ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କୁହାଯାଇଛି । କିନ୍ତୁ ଡିଜିପି ଅଭୟଙ୍କ ସୂଚନା ମୁତାବକ ଏବେ ପର୍ଯ୍ୟନ୍ତ ହୋମକ୍ୱାରେଣ୍ଟାଇନରେ ରହିନଥିବା ୬୧ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ତେବେ ପ୍ରଶ୍ନ ଉଠୁଛି, ଅନ୍ୟ ମାନେ ହୋମ କ୍ୱାରେଣ୍ଟାଇନରେ ରହୁଥିବା ନେଇ ସରକାରଙ୍କ ପାଖରେ ସଠିକ୍ ତଥ୍ୟ ଅଛି ତ? ଯଦି ହଁ ତେବେ କରୋନାକୁ ମୁକାବିଲା କରିବାକୁ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସଫଳ ହୋଇପାରିବ । କିନ୍ତୁ ଯଦି ନା’ ତେବେ ସ୍ଥିତି କେଉଁ ରୂପ ଧାରଣ କରିବ ତାହାର ଆକଳନ ଲଗାଇବା ମୁସ୍କିଲ ହୋଇପଡିବ ।