କନକ ବ୍ୟୁରୋ : ୫ ମିନିଟରେ ବିକ୍ରି ହୋଇଗଲା ୫ ହଜାର ଟିକେଟ୍ । ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯିବାକୁ ଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ପାଇଁ ଟିକେଟ ବିକ୍ରି କଥା । କଟକ ବାରବାଟୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳା ଯିବାକୁ ଥିବାବେଳେ ବୁଧବାରଠାରୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି । ହେଲେ ଆରମ୍ଭରୁ ଅନେକ ଦର୍ଶକଙ୍କୁ ନିରାଶ ହେବାକୁ ପଡିଛି । କାରଣ ୧୧ଟା ସୁଦ୍ଧା ସମସ୍ତେ ୱେବସାଇଟ୍ ଓ ପେଟିଏମ ଆପରେ ଆକ୍ଟିଭ ହୋଇଯାଇଥିଲେ ।

Advertisment

ଘଣ୍ଟା ଘଣ୍ଟା କାଳ କମ୍ପ୍ୟୁଟର ଓ ମୋବାଇଲ ଧରି ବସି ରହିବା ପରେ ବି ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ୩ ଘଣ୍ଟା ବିଳମ୍ବରେ ଅର୍ଥାତ ଦିନ ୨ଟାରେ ଖୋଲିଲା ୱେବସାଇଟ୍ ଓ ଆପ । ହେଲେ ଲୋକେ ଟିକେଟ କାଟିଲା ବେଳକୁ ସରି ଯାଇଥିଲା ଟିକେଟ୍ । ମାତ୍ର ୫ ମିନିଟରେ ଗ୍ୟାଲେରି ଟିକେଟ ଶେଷ ହୋଇଗଲା । ଜୁନ୍ ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦ ଟିକେଟ ପାଇଁ ରାଜ୍ୟର ଲକ୍ଷ ଲକ୍ଷ କ୍ରୀଡାପ୍ରେମୀ ହଟହଟା ହୋଇଛନ୍ତି । ହେଲେ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ମ୍ୟାଚ ଟିକେଟ୍ ।

ଜଣକା ସର୍ବାଧିକ ୨ଟି ଲେଖାଏଁ ଟିକେଟ ଅନଲାଇନରେ କରିପାରିବେ ବୋଲି ନିୟମ ଥିବାବେଳେ ଏକାଧିକ ଟିକେଟ କାଟି କିଛି ଯୁବକ ଟ୍ୱିଟର ଓ ହ୍ୱାଟ୍ସଆପରେ ବିକ୍ରି କରିବା ପାଇଁ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ପ୍ରକୃତରେ ଏହା ବୈଧ ଟିକେଟ କି ନାହିଁ ଜଣାନାହିଁ । କିଛି ମନ୍ଦ ଉଦ୍ଦେଶ୍ୟ ରଖି ଫ୍ରଡ କରିବା ଉଦ୍ଦେଶ୍ୟରେ ମଧ୍ୟ ଏଭଳି କରୁଥାଇ ପାରନ୍ତି ଅସାଧୁ ବ୍ୟକ୍ତି । ତେଣୁ ଏଭଳି ପୋଷ୍ଟର ତଦନ୍ତ କରି ସୋସିଆଲ ମିଡିଆରେ ଏଭଳି ଟିକେଟ ବିକ୍ରିକୁ ରୋକାଯିବା ଉଚିତ୍ । ଅନ୍ୟପକ୍ଷରେ ଟିକେଟ ବୈଧ ହୋଇଥିଲେ ଜଣେ ଜଣେ ବ୍ୟକ୍ତି କିଭଳି ଏକାଧିକ ଟିକେଟ ହାତେଇବାକୁ ସମର୍ଥ ହେଲେ ସେନେଇ ମଧ୍ୟ ଖୋଳତାଡ କରିବାକୁ ଦାବି ହେଉଛି ।