ମୋବାଇଲରେ ଚାଲିଛି ଦେହ ବେପାର। ମେସେଜ ଦେଲେ ଆସୁଛି ଫଟୋ, ରେଟଚାର୍ଟ, ଟଙ୍କା ପଠାଇବା ପରେ ଆକାଉଣ୍ଟ ହୋଇଯାଉଛି ଖାଲି ।

1,877

କନକ ବ୍ୟୁରୋ : ଅନଲାଇନରେ ସେକ୍ସ କାରବାର ବି ହେଉଛି ଆଉ ଅନଲାଇନରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ବି ଗାଏବ ହେଉଛି । ଏପରି ସାଂଘାତିକ ଅଭିଯୋଗ ଆସିଛି ବ୍ରହ୍ମପୁରରୁ । ବଡ କଥା ହେଉଛି ହ୍ୱାଟ୍ସଆପରେ ସୁନ୍ଦରୀ ଝିଅଙ୍କ ଫଟୋ ଦେଖାଇ ମୁଲଚାଲ କରିବା ପରେ ଦଲାଲ ଟଙ୍କା ନେଉଛନ୍ତି । ଆଉ ଯେଉଁ ଆକାଉଣ୍ଟରୁ ଟଙ୍କା ଯାଉଛି ସେହି ଆକାଉଣ୍ଟରେ କଳାକନା ବୁଲାଇ ଦେଉଛନ୍ତି ଦଲାଲ ।

ମୋବାଇଲରେ କେମିତି ଚାଲିଛି ଦେହ ବେପାର, ତାର ସାଂଘାତିକ ସତ ଆସିଛି ସାମନାକୁ ।  ପ୍ରଥମେ ମୋବାଇଲରେ ଆସୁଛି ମେସେଜ, ଆପଣଙ୍କୁ କେଉଁ ପ୍ରକାରର ଝିଅ ଦରକାର । ଝିଅମାନଙ୍କ ଫଟୋ ଆସିବା ସହିତ କେତେ ଘଣ୍ଟା ପାଇଁ କେତେ ଟଙ୍କା ସେ ସମ୍ପର୍କିତ ତଥ୍ୟ ମଧ୍ୟ ଆସୁଛି । ଥରେ ଚଏସ କରିଦେଲେ ଚାଲିଲା କାରବାର । କେମିତି ଟଙ୍କା ପଠାଯିବ ସେ ଉପାୟ ବି କହୁଛନ୍ତି ଏହି ରାକେଟର ସଦସ୍ୟ ।

ପ୍ରକୃତ ଖେଳ ସେତେବେଳେ ଆରମ୍ଭ ହେଉଛି ଯେତେବେଳେ ଠକାମୀର ଶିକାର ହେଉଥିବା ବ୍ୟକ୍ତି ଜଣଙ୍କ ତାଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନସଫର କରୁଛନ୍ତି । ଥରେ ଟଙ୍କା ଟ୍ରାନସଫର ହେବା ପରେ ଆକାଉଣ୍ଟରୁ ସବୁ ଟଙ୍କା ଗାଏବ ହୋଇଯାଉଛି । ବ୍ରହ୍ମପୁର ଅଂଚଳର ଦୁଇ ଜଣ ବ୍ୟକ୍ତି ଏଭଳି ଠକେଇ ହେବା ପରେ ଘଟଣାଟି ସାମ୍ନାକୁ ଆସିଛି । ତେବେ ଏଯାଏଁ କେହି ଅଭିଯୋଗ କରିନଥିଲେ ମଧ୍ୟ ନିଜ ଆଡୁ ତଦନ୍ତ ଆରମ୍ଭ କରିଛି ପୋଲିସ ।

ପୋଲିସ ପ୍ରାଥମିକ ତଦନ୍ତରୁ ଏହି ନମ୍ବର ରାଜ୍ୟ ବାହାରର ବୋଲି ସ୍ପଷ୍ଟ କରିଛି । ବିହାର ଭାଗପୁର ଅଂଚଳରୁ ଏହି କାମ ଚାଲିଥିବା ସନ୍ଦେହ କରୁଛି ପୋଲିସ । ପ୍ରଥମେ ଅନଲାଇନରେ ସେକ୍ସ ଏବଂ ପରେ ଟଙ୍କା କାରବାର ଓ ଠକେଇର ଏହି ମାୟାଜାଲ ପଛରେ ରହିଥିବା ମାଷ୍ଟର ମାଇଣ୍ଡକୁ ଖୋଜୁଛି ପୋଲିସ ।