କନକ ବ୍ୟୁରୋ : ମହାମାରୀ ମୁକାବିଲାକୁ ନେଇ ମୁଖ୍ୟମନ୍ତ୍ରୀ ଆଜି ସମୀକ୍ଷା କରିଥିବା ବେଳେ ଅକ୍ସିଜେନ ଓ ଔଷଧ ଠିକ୍ ସମୟରେ ଯୋଗାଣ ଉପରେ ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟ ଶାସନ ସଚିବଙ୍କୁ ସମସ୍ତ କାର୍ଯ୍ୟର ତଦାରଖ କରି ପରବର୍ତ୍ତୀ ବୈଠକରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି। କୋଭିଡ କେୟାର ସେଣ୍ଟର ଗୁଡିକୁ କ୍ରିୟାଶୀଳ କରାଯିବା ସହିତ ସମସ୍ତ କୋଭିଡ ହସ୍ପିଟାଲ ଗୁଡିକୁ କାର୍ଯ୍ୟକ୍ଷମ କରାଯାଇଛି । ମେଡିକାଲ କଲେଜ ଗୁଡିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ନୂଆ ବେସରକାରୀ ହସ୍ପିଟାଲ ଗୁଡିକୁ କୋଭିଡ ହସ୍ପିଟାଲରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଉଛି। ୩୦ ପ୍ରତିଶତ ଶର୍ଯ୍ୟାରେ ଅକ୍ସିଜେନ ବ୍ୟବସ୍ଥା କରାଯାଇଛି ଏବଂ ଏହାକୁ ୩୫ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ପଡୋଶୀ ରାଜ୍ୟ ଗୁଡିକରେ ଅଧିକ କୋଭିଡ ସଂଖ୍ୟା ଥିବାରୁ ସେ ସବୁ ରାଜ୍ୟରୁ ଲୋକଙ୍କ ଚଳାଚଳ ଉପରେ ତୀକ୍ଷଣ ନଜର ରଖାଯାଇଛି।
ଖୁବଶୀଘ୍ର କେତେ ସଂଖ୍ୟକ ବେଡ ଖାଲି ଅଛି ସେ ବାବଦରେ ଅନଲାଇନରେ ତଥ୍ୟ ଉପଲବ୍ଧ କରାଯିବ । ଏଥିପାଇଁ ଅନଲାଇନ ରିଅଲ ଟାଇମ ବେଡ ମ୍ୟାନେଜମେଣ୍ଟ ସିଷ୍ଟମ କାର୍ଯ୍ୟକାରୀ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଏଭଳି ନିଷ୍ପତି ନିଆଯାଇଛି ।
ସେହିଭଳି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ବର୍ତ୍ତମାନ ରାଜ୍ୟର କୋଭିଡ ସ୍ଥିତି ବାବଦରେ ଟିକିନିକି ତଥ୍ୟ ସାମ୍ନାକୁ ଆଣିଛନ୍ତି । ବର୍ତ୍ତମାନ ରାଜ୍ୟରେ ୫୦,୯୫୮ ସକ୍ରିୟ ଆକ୍ରାନ୍ତ ଓ ୭ଟି ଜିଲ୍ଲାରେ ୬୦ ପ୍ରତିଶତ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଏବେ ରାଜ୍ୟରେ ସମୁଦାୟ ୩୧,୪୭୧ଟି ବେଡ ରହିଛି । ଆଇସିୟୁ ବେଡ ବ୍ୟତୀତ ୧୭୪୯୫ ବେଡରେ ଅକ୍ସିଜେନର ବ୍ୟବସ୍ଥା କରାଯାଇଛି । ଉଭୟ ସରକାରୀ ଓ ବେସରକରୀ କୋଭିଡ ହସ୍ପିଟାଲ ଗୁଡିକରେ ଶର୍ଯ୍ୟା ସଂଖ୍ୟା ବୃଦ୍ଧି ସହିତ ଅଧିକ ସଂଖ୍ୟକ ଶର୍ଯ୍ୟାରେ ଅକ୍ସିଜେନ ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି । ରାଜ୍ୟରେ ବର୍ତ୍ତମାନ ଦୈନିକ ୪୨.୧୦ ମେଟ୍ରିକ ଟନ୍ ଅକ୍ସିଜେନ ବ୍ୟବହାର କରାଯାଉଛି ବୋଲି କହିଛନ୍ତି ପି.କେ ମହାପାତ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/EgKjzE1XgAATwFL.jpg)