ପ୍ରଦୂଷଣ ସାର୍ଟିଫିକେଟକୁ ନେଇ ଦ୍ୱନ୍ଦ୍ୱ ପରେ ପରିବହନ ବିଭାଗର ସ୍ପଷ୍ଟୀକରଣ । ଜାଣନ୍ତୁ ୧ ତାରିଖରୁ କଣ ହେବ ନିୟମ

1,733

କନକ ବ୍ୟୁରୋ: ଅକ୍ଟୋବର ୧ ତାରିଖରୁ କେବଳ ଅନଲାଇନରେ ସଂଯୁକ୍ତ ଥିବା ପଲ୍ୟୁସନ ସାର୍ଟିଫିକେଟ ହିଁ ବୈଧ ପ୍ରମାଣିତ ହେବ । ଯେଉଁ ପ୍ରଦୂଷଣ ମାପୁଥିବା କେନ୍ଦ୍ର ଅନଲାଇନରେ ବାହନ ସଫ୍ଟୱେୟାର ସହିତ ଲିଙ୍କ କରିବେ ନାହିଁଁ ସେମାନଙ୍କ ସାର୍ଟିଫିକେଟ ଅବୈଧ ଘୋଷଣା କରାଯିବ । ବର୍ତମାନ ରାଜ୍ୟରେ ୧୬୩ଟି ପ୍ରଦୂଷଣ ମାପ କେନ୍ଦ୍ର ଥିବା ବେଳେ ସେଥିରୁ ୫୭ଟି କେନ୍ଦ୍ରର ଅନଲାଇନର ବାହାନ ସଫ୍ଟ ୱେୟାର ସହିତ ଲିଙ୍କ ନଥିବା ପରିବହନ କମିସନର କହିଛନ୍ତି । ଯେଉଁ କେନ୍ଦ୍ର ଗୁଡିକ ଅନଲାଇନ ପଲ୍ୟୁସନ ଅଣ୍ଡର ଚେକ ସାର୍ଟିଫିକେଟ ଦେଇପାରିବେ ନାହିଁ,ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।


ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଟ୍ୱିଟ୍ ଏପରି ଦ୍ୱନ୍ଦ୍ୱ ତିଆରି କରିଥିଲା ଯେ ସକାଳୁ ସକାଳୁ ପ୍ରଦୂଷଣ ମୁକ୍ତ ପ୍ରମାଣ ପତ୍ର ପାଇବା ପାଇଁ ଆରଟିଓ କାର୍ଯ୍ୟାଳୟ ଓ ବିଭିନ୍ନ କେନ୍ଦ୍ରରେ ଦେଖିବାକୁ ମିଳିଥିଲା ଲମ୍ବା ଲାଇନ୍ । ଯେଉଁମାନେ ପୂର୍ବରୁ ପଲ୍ୟୁସନ୍ ସାର୍ଟିଫିକେଟ୍ କରିଥିଲେ, ସେମାନେ ମଧ୍ୟ ପୁଣି ଥରେ ଅନ୍ଲାଇନ୍ ସଂଯୁକ୍ତ ସାର୍ଟିଫିକେଟ୍ ପାଇଁ ଲାଇନ୍ ଲଗାଇଥିଲେ । ଅକ୍ଟୋବର ୧ତାରିଖରୁ ଅନଲାଇନ ପ୍ରମାଣପତ୍ର ବାଧ୍ୟତାମୂଳକ ହେବ । ତେବେ ଏ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ।

ନଜର ପକାନ୍ତୁ ପରିବହନ ବିଭାଗର ସ୍ପଷ୍ଟୀକରଣ ଉପରେ

• ଅକ୍ଟୋବର ୧ରୁ ଅନଲାଇନ୍ ପ୍ରଦୂଷଣ ପ୍ରମାଣପତ୍ର ବାଧ୍ୟତାମୂଳକ

• ବାହାନ ୱେବସାଇଟ୍ ସହ ସଂଯୋଗ ହେବ ପ୍ରମାଣପତ୍ର

• ଅନଲାଇନରେ ଯୋଡି ହୋଇନଥିବା କେନ୍ଦ୍ରର ପ୍ରମାଣପତ୍ର ଅବୈଧ

• ସେପ୍ଟେମ୍ବର ୩୦ ମଧ୍ୟରେ ହୋଇଥିବା ମାନୁଆଲ ପ୍ରମାଣପତ୍ରରେ ସମସ୍ୟା ନାହିଁ

• ଡିସେମ୍ବର ୧ ତାରିଖରୁ କାଗଜପତ୍ର ଯାଂଚ କଡ଼ାକଡ଼ି

ତେବେ କାଗଜପତ୍ର ଯାଂଚ ନେଇ ସରକାର ତିନି ମାସ କୋହଳ କରିଥିବା ବେଳେ ପଲ୍ୟୁସନ୍ ସାର୍ଟିଫିକେଟ୍ ଯାଂଚ ହେବ କି ନାହିଁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ପରିବହନ ବିଭାଗ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟ ସରକାରଙ୍କ ୩ ମାସ କୋହଳ କରିଥିବାରୁ ଡିସେମ୍ବର ୧ ତାରିଖରୁ କାଗଜପତ୍ର ଯାଂଚ କଡ଼ାକଡ଼ି କରାଯିବ । ସେପଟେ ଆରଟିଓ ଅଫିସରେ ଭିଡକୁ ଦୃଷ୍ଟିରେ ରଖି ବ୍ଲକ ସ୍ତରରେ ଡ୍ରାଇଭିଂ ଲାଇସେନ୍ସ ପାଇଁ କ୍ୟାମ୍ପ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।