ଅନଲାଇନ ନ୍ୟୁଜ୍,ଭିଜୁଆଲ ଓ ଅଡିଓ ପ୍ରୋଗ୍ରାମ ପାଇଁ ସରକାର ଆଣିବେ ଗାଇଡ୍ ଲାଇନ

103

କନକ ବ୍ୟୁରୋ : ଦେଶରେ ଏବେ ପଞ୍ଜିକୃତ ମିଡିଆ ଠାରୁ ଅନଲାଇନ ମିଡିଆ ବହୁଳ ଭାବରେ ପ୍ରଚାର ପ୍ରସାର ଚାଲିଛି । ଏଥିରେ ଅନେକ ମିଛ ଖବର ସହ ଭୂଲତଥ୍ୟ ଦେଇ ଲୋକଙ୍କୁ ଭୂଅାଁବୋଲା ଯାଉଛି । ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏହାକୁ ନିଜ ଅଧିନକୁ ନେବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅନଲାଇନ୍ ନ୍ୟୁଜ୍, ଚଳଚିତ୍ର, ଓ ଅଡିଓ ଭିଜୁଆଲ ପ୍ରୋଗ୍ରାମ ଏବଂ ସାଂପ୍ରତିକ ଘଟଣାବଳୀ ପ୍ରସଙ୍ଗ ସଂକ୍ରାନ୍ତ ବିଷୟକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନକୁ ଆଣିବା ଲାଗି କେନ୍ଦ୍ରସରକାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ନେଟ୍ଫ୍ଲିକ୍ସ, ହଟ୍ଷ୍ଟାର, ପ୍ରାଇମ ଭିଡିଓ ଓ ଅନ୍ଲାଇନ ନ୍ୟୁଜ୍ ପୋର୍ଟାଲ ସମେତ ଓଟିଟି ପ୍ଲାଟଫର୍ମକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନକୁ ଅଣାଯିବ । ବର୍ତ୍ତମାନ ଡିଜିଟାଲ ପ୍ଲାଟଫର୍ମକୁ ତଦାରଖ କରିବାକୁ କୌଣସି ଆଇନ୍ କିମ୍ବା ସ୍ୱୟଂଚାଳିତ ସଂସ୍ଥା ନଥିବାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଏବେ ଛାପା ଗଣମାଧ୍ୟମ ଲାଗି ପ୍ରେସ୍ କାଉଁସିଲ ଅଫ୍ ଇଣ୍ଡିଆ, ନ୍ୟୁଜ୍ ଚେନାଲ୍ ଗୁଡିକର ତଦାରଖ ପାଇଁ ନ୍ୟୁଜ୍ ବ୍ରଡକାଷ୍ଟ ଆସୋସିଏସନ ବା ଏନ୍ବିଏ , ବିଜ୍ଞାପନ ପାଇଁ ଆଡ୍ଭାର୍ଟାଇଜିଂ ଷ୍ଟାଣ୍ଡାର୍ଡସ କାଉଁସିଲ୍ ଅଫ୍ ଇଣ୍ଡିଆ ଏବଂ ଚଳଚିତ୍ର କାର୍ଯ୍ୟକୁ ତଦାରଖ କରିବାକୁ କେନ୍ଦ୍ରୀୟ ଚଳଚିତ୍ର ପ୍ରାମାଣିକ ବୋର୍ଡ (ସିବିଏଫ୍ସି) ରହିଛି ।
ହେଲେ ଅନ୍ଲାଇନ ନ୍ୟୁଜ୍,ଭିଜୁଆଲ ଓ ଅଡିଓ ପ୍ରୋଗ୍ରାମର ତଦାରଖ କରିବାକୁ କୌଣସି ସଂସ୍ଥା ନଥିବାରୁ ସରକାର ଏହାକୁ ସୂଚନା ଓ ପ୍ରଶାରଣ ମନ୍ତ୍ରଣାଳୟ ଅଧିନକୁ ଆଣିବାକୁ ଏଭଳି ଯୋଜନା କରିଛନ୍ତି ।