ବିରଳ ବଜ୍ରକାପ୍ତାର ବିଦେଶୀ ଡିଲ୍ । କିଲୋ ପିଛା ଲକ୍ଷେ ଟଙ୍କାରେ ହେଉଛି ବିକ୍ରି, କ୍ୟାନସର ରୋଗ ଓ ବୁଲେଟ ପ୍ରୁଫ୍ ଜ୍ୟାକେଟ ପାଇଁ ଖୋଜାପଡୁଛି ବଜ୍ରକାପ୍ତାର ଚମଡା ।

ମାତିଛନ୍ତି ମାଫିଆ । ଲୋପ କରିଦେବେ ବଜ୍ରକାପ୍ତା ବଂଶ, ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ବଜ୍ରକାପ୍ତା କାତି ।

କନକ ବ୍ୟୁରୋ : ବିରଳ ବଜ୍ରକାପ୍ତାର ବିଦେଶୀ ଡିଲ୍ । ଆଠଗଡରୁ ଚୋରାଚାଲାଣର ଚେର ଲମ୍ବିଛି ଅର୍ନ୍ତଜାତୀୟ ବଜାର ପର୍ଯ୍ୟନ୍ତ । କିଲୋ ପିଛା ବିକ୍ରି ହେଉଛି ଲକ୍ଷେ ଟଙ୍କାରେ । ସୁନେଲୀ ରଙ୍ଗର ଏହି ବିରଳ ପ୍ରଜାତିର ସ୍ତନପାୟୀ ପ୍ରାଣୀ ବିକ୍ରି ହେଉଛି ସୁନା ଦରରେ । ଆଉ ଏହି ପୂରା ବ୍ୟବସାୟ ଚାଲିଛି ସୋସିଆଲ ମିଡିଆରେ । ହ୍ୱାଟସଆପର ମେସେଜରେ ଚାଲିଛି କୋଟି କୋଟି ଟଙ୍କାର ବ୍ୟବସାୟ । ଯାହାର ପର୍ଦ୍ଦାଫାଶ କରିଛି ଆଠଗଡ ବନବିଭାଗ ।

ନିକଟରେ ଆଠଗଡ଼ ବନଖଣ୍ଡରୁ ଧରାହୋଇଥିବା ଏକ ଦୁର୍ଦ୍ଦାନ୍ତ ଶିକାରୀ ଦଳଠାରୁ ଏମିତି ଚାଞ୍ଚଲ୍ୟକର ତଥ୍ୟ ପାଇଛି ବନ ବିଭାଗ। ଆଠଗଡ଼ ଡିଏଫଓ ସସ୍ମିତା ଲେଙ୍କାଙ୍କ ନେତୃତ୍ୱରେ ଏକ ଟିମ୍ ଶିକାରୀ ଦଳକୁ ଜେରା କରିବା ବେଳେ ସାଂଘାତିକ ତଥା ବିସ୍ମୟ ସୃଷ୍ଟି କଲାଭଳି ଖବର ମିଳିଥିଲା । ଏମିତି ଅନଲାଇନ୍ ବେପାର କେବଳ ସହର ଭିତରେ ଆଉ ସୀମିତ ନାହିଁ। ବରଂ ବନ୍ୟପ୍ରାଣୀ ଶିକାର ପାଇଁ ଅଗନାଅଗନି ବନସ୍ତକୁ ଏହା ବ୍ୟାପିସାରିଲାଣି। ଏହା କେଉଁଠି ନା କେଉଁଠି ସୂଚାଇ ଦେଉଛି ଯେ ଜଙ୍ଗଲ ବିଭାଗ ବାବୁଙ୍କ ଠାରୁ ଢ଼େର୍ ଆଗରେ ରହିଛନ୍ତି ଶିକାରୀ ।

ବନ ବିଭାଗ ଅଧିକାରୀମାନଙ୍କର କହିବା କଥା ହେଉଛି, ଗଜରାଜଠାରୁ ଆହୁରି ଅଧିକ ସମ୍ବେଦନଶୀଳ ଏହି ସ୍ତନ୍ୟପାୟୀ ପ୍ରାଣୀ ବଜ୍ରକାପ୍ତା। ଆଠଗଡ଼ ଠାରୁ ଅନୁଗୁଳ, ମୟୂରଭଂଜ, ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ବିଭିନ୍ନ ଜଙ୍ଗଲରେ ଏମାନଙ୍କ ଉପସ୍ଥିତି ରହିଛି। ଏହି ବିରଳ ପ୍ରଜାତିର ପ୍ରାଣୀ ଏତେ ସଂଖ୍ୟାରେ ଅଛନ୍ତି, ଏକଥା ଧୀରେ ଧୀରେ ଏବେ ସାମ୍ନାକୁ ଆସୁଛି। ଭିଏତନାମ୍, ଚୀନ, ମିଆଁମାର ଭଳି ଦେଶରେ ବଜ୍ରକାପ୍ତାର ଚାହିଦା ବେଶ୍ ଅଧିକ। ଓଡ଼ିଶାରେ ମଳକଣ୍ଟକ ଭଳି ରୋଗ କ୍ଷେତ୍ରରେ ବଜ୍ରକାପ୍ତାର କାତିକୁ କେହି କେହି ବ୍ୟବହାର କରିଥାନ୍ତି। କିନ୍ତୁ ବିଶେଷଜ୍ଞଙ୍କର କହିବା କଥା ହେଉଛି ଯେ ବଜ୍ରକାପ୍ତା ରୁମାଟିଜିମ୍, ଏକଜିମା, କ୍ୟାନସର ଠାରୁ ଆରମ୍ଭ କରି ନପୁଂସକତା ଦୂର ପର୍ଯ୍ୟନ୍ତ ବିଭିନ୍ନ ଔଷଧ କ୍ଷେତ୍ରରେ ବ୍ୟବହାର ହୋଇଥାଏ । ଏପରିକି ବୁଲେଟ ପ୍ରୁଫ୍ ଜ୍ୟାକେଟ ପାଇଁ ମଧ୍ୟ ଖୋଜାପଡେ ବଜ୍ରକାପ୍ତାର ଚମଡା । ଏଥିପାଇଁ ଏହାର ମୂଲ୍ୟ ବିଦେଶରେ ଢ଼େର୍ ଅଧିକ।

ଡିଏଫଓ ସସ୍ମିତା ଲେଙ୍କାଙ୍କର କହିବା ଅନୁଯାୟୀ, ଧରାପଡିଥିବା ଶିକାରୀମାନଙ୍କର ମୋବାଇଲ୍ ଜବତ ପରେ ସେମାନଙ୍କ ବ୍ୟବସାୟ ସଂପର୍କରେ ପୁଙ୍ଖାନୁପୁଙ୍ଖ ତଥ୍ୟ ହାସଲ କରାଯାଇଛି। ଏବେ ଯେଉଁ ଶିକାରୀଙ୍କୁ ଧରାଯାଇଛି, ସେମାନେ ପୂର୍ବରୁ ଜଙ୍ଗଲରୁ ହାତୀ ଦାନ୍ତ ଶିକାର କରୁଥିଲେ। ହାତୀ ଶିକାର ଉପରେ ବନବିଭାଗ କଡା ନଜର ରଖିବାରୁ ଏହି ଶିକାରୀ ମାନେ ବଜ୍ରକାପ୍ତା ଶିକାରକୁ ନୂଆ ବ୍ୟବସାୟ ଭାବେ ଆପଣାଇଥିଲେ । ଯେହେତୁ ବଜ୍ରକାପ୍ତାର ଆଖିକୁ ଭଲ ଭାବେ ଦେଖାଯାଏ ନାହିଁ ତେଣୁ ଏମାନଙ୍କୁ ଶିକାର କରିବା ସହଜ । ଆଉ ତା’ ସାଙ୍ଗକୁ ଏହାର ଦାମ ମଧ୍ୟ ଅଧିକ ।

ବଜ୍ରକାପ୍ତା ଦାମ ଅଧିକ ହୋଇଥିବାରୁ ଏହାର ଚୋରାଚାଲାଣ ବେଶ ଗୁପ୍ତ ଢଙ୍ଗରେ କରାଯାଉଥିଲା । ଖାସକରି ଚୋରାଚାଲାଣ ପାଇଁ ହ୍ୱାଟସଆପ୍ ପାଲଟିଥିଲା ବଡ ମାଧ୍ୟମ । ପୂରା କାରବାରର ମୋବାଇଲ୍ ଜରିଆରେ ଭିଡିଓ ରେକର୍ଡିଂ କରାଯାଇଥାଏ। ବଜ୍ରକାପ୍ତାକୁ ମେସିନରେ ଓଜନ କରିବା ଠାରୁ ଆରମ୍ଭ କରି ଅଖାରେ ପ୍ୟାକେଜିଂ ସବୁ ଏହି ରେକର୍ଡିଂର ଅଂଶବିଶେଷ। ସେମାନଙ୍କର ଓଜନ େଯତିକି ହୋଇଥାଏ, ସେତିକି ଟଙ୍କା ପଡିଥାଏ ଅଖା ବସ୍ତାରେ। କାତିର ଆକାର ମପାଯାଇଥାଏ ଫିତାରେ। ଏସବୁର ଭିଡିଓ ରେକର୍ଡିଂ ହ୍ୱାଟସଆପ୍ ଜରିଆରେ ଯାଇଥାଏ ପଶ୍ଚିମବଙ୍ଗ ଦଲାଲ ପାଖକୁ। କାତି ୨ସେମି ହୋଇଥିଲେ ୪ ହଜାର ଟଙ୍କା ଓ ୪ ସେମିତି ହୋଇଥିଲେ ୮ ହଜାର ଟଙ୍କାରେ ନେଇଥାଏ ଦଲାଲ।

ସବୁଠୁ ବଡ କଥା ହେଲା, ପୂର୍ବରୁ ଏହି ମାମଲାରେ ୭ ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କ ମୋବାଇଲ ମେସେଜକୁ ଆଧାର କରି ଆଉ ୩ ଜଣଙ୍କୁ ଗିରଫ କରିଛି ବନବିଭାଗ । କୁହାଯାଉଛି, ଧରାପଡିଥିବା ୩ ଅଭିଯୁକ୍ତଙ୍କର ସିଧାସଳଖ ବିଦେଶୀ ଲିଙ୍କ୍ ରହିଛି । ଯେଉଁମାନେ ବିଦେଶୀ ଗ୍ରାହକଙ୍କ ସହ ଡିଲ୍ କରୁଥିବା ସୂଚନା ମିଳିଛି । ତେବେ ଏହି ଚୋରାଚାଲାଣର ମାଷ୍ଟରମାଇଣ୍ଡ କିଏ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ପ୍ରଶ୍ନ ଉଠୁଛି, ହାତୀ ଠାରୁ ଅଧିକ ସମ୍ବେଦନଶୀଳ ବୋଲି କୁହାଯାଉଥିବା ଏହି ପ୍ରାଣୀର ସୁରକ୍ଷା ପାଇଁ ସରକାରଙ୍କ ବିଶେଷ ପଦକ୍ଷେପଟି କଣ? କୋଟି କୋଟି ଟଙ୍କାର ଏହି ଚୋରା କାରବାରକୁ ରୋକିବା ଯେମିତି ଏକ ଚ୍ୟାଲେଞ୍ଜ, ବିଲୁପ୍ତ ପ୍ରାୟ ଏହି ପ୍ରାଣୀର ସୁରକ୍ଷା ସେତିକି ଅପରିହାର୍ଯ୍ୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe