ଅନଲାଇନ ଠକେଇର ନୂଆ ଫର୍ମୁଲା ‘ଏନି ଡେସ୍କ’ । ଠକେଇର ଶିକାର ହେବା ପୂର୍ବରୁ ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଗାଇଡଲାଇନ ଜାରି କଲା କ୍ରାଇମବ୍ରାଞ୍ଚ ।

254

କନକ ବ୍ୟୁରୋ : ଆପଣଙ୍କ ନିକଟକୁ ଅଜଣା ଫୋନ କଲ୍ ଆସୁଛି କି? କୌଣସି କଂପାନୀ କିମ୍ବା ବ୍ୟାଙ୍କ୍ ପ୍ରତିନିଧିର ପରିଚୟ ଦେଇ ଲୋଭନୀୟ ଅଫର୍ ଦେବା ସହ ବ୍ୟାଙ୍କ୍ ସମ୍ପର୍କିତ ସୂଚନା ବା ବକ୍ତିଗତ ସୂଚନା ମାଗୁଛନ୍ତି କି? ତେବେ ସାବଧାନ! କାରଣ ଆପଣ ପଡ଼ି ପାରନ୍ତି ଫ୍ରଡ୍ ମାଷ୍ଟରଙ୍କ ଜାଲରେ, ଆଉ ମୁହୂର୍ତକ ମଧ୍ୟରେ ଗାଏବ ହୋଇ ଯାଇପାରେ ଆପଣଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା । ଏବେ ଅନଲାଇନ୍ ଠକେଇର ନୂଆ ଫର୍ମୁଲା ହେଉଛି ‘ଏନି ଡେସ୍କ’ ଆପ୍ । ଏ ନେଇ ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଗାଇଡଲାଇନ୍ ଜାରି କରିଛି କ୍ରାଇମବ୍ରାଞ୍ଚ ।

ଅନଲାଇନ୍ ଠକେଇର ନୂଆ ଫର୍ମୁଲା – ‘ଏନି ଡେସ୍କ ଆପ୍’
– କୌଣସି କଂପାନୀ କିମ୍ବା ବ୍ୟାଙ୍କ ପ୍ରତିନିଧିର ପରିଚୟ ଦେଇ ଆପଣଙ୍କ ସମସ୍ୟାର ସମାଧାନ କରିବା ପାଇଁ ଆଗେଇ ଆସିଥାନ୍ତି ଠକ ମାଷ୍ଟର ।
– ପ୍ଲେ’ ଷ୍ଟୋରରୁ ‘ଏନି ଡେସ୍କ’ ଆପ୍ ଡାଉନଲୋଡ କରିବା ପାଇଁ ପ୍ରବର୍ତ୍ତାଇଥାନ୍ତି ।
– ‘ଏନି ଡେସ୍କ’ ଆପ୍ ଡାଉନଲୋଡ କରିବା ପରେ ୯-ଡିଜିଟ୍ ବିଶିଷ୍ଟ କୋଡ୍ ଜେନେରେଟ୍ ହୋଇଥାଏ ।
ଯାହାକୁ ସେୟାର କରିବା ପାଇଁ କହିଥାଏ ଫ୍ରଡମାଷ୍ଟର । ଯଦି ସେମାନଙ୍କ କହିବା ମୁତାବକ କିଛି ଅନୁମତି ଆପଣ ଦେଇଦିଅନ୍ତି, ତେବେ ଆପଣଙ୍କ ମୋବାଇଲ୍ ଫୋନ ସେମାନଙ୍କ ନିୟନ୍ତ୍ରଣକୁ ଆସିଯାଏ । ମୋବାଇଲ୍ ବ୍ୟାଙ୍କିଙ୍ଗର ସବୁ ତଥ୍ୟ ତତକ୍ଷଣାତ୍ ଚୋରି ହୋଇଯାଏ । ଆଉ ଚାହୁଁ ଚାହୁଁ ଗାଏବ ହୋଇଯାଏ, ଆପଣଙ୍କ ଆକାଉଣ୍ଟରୁ ଟଙ୍କା ।

ସେହିପରି ଏସଏମଏସ୍ ଜରିଆରେ ମଧ୍ୟ ଆପଣ ଠକାମିର ଶିକାର ହୋଇପାରନ୍ତି । ଠକେଇର ଆଉ ଏକ ତରିକା ହେଲା – ଭୁଲବଶତଃ କୌଣସି ଆକାଉଣ୍ଟକୁ ଟଙ୍କା ଚାଲିଗଲା ପରେ ରିଫଣ୍ଡ୍ ପାଇଁ ଫେକ୍ କଲ୍ ସେଂଟର ନମ୍ବରର କବଳରେ ପଡିଯାଆନ୍ତି ଗ୍ରାହକ । ଟଙ୍କା ଫେରି ପାଇବା ଚକ୍କରରେ ହରାଇଥାନ୍ତି ଲକ୍ଷ ଲକ୍ଷ ଟଙ୍କା ।

ଠକାମିରୁ ବଞ୍ଚିବା ପାଇଁ କ’ଣ କରିବେ?
– ଯଦି ‘ଏନି ଡେସ୍କ’ ଆପ୍ ଡାଉନଲୋଡ୍ କରିଛନ୍ତି, ତେବେ ତୁରନ୍ତ ଅନ୍-ଇନ୍ଷ୍ଟଲ୍ କରିଦିଅନ୍ତୁ ।
– ମୋବାଇଲ୍ ବ୍ୟାଙ୍କିଙ୍ଗ୍ ସଂପର୍କୀତ ଆପ୍ଲିକେସନରେ ଆପ୍-ଲକ୍ ସକ୍ରିୟ କରନ୍ତୁ ।
– କୌଣସି ଅଜଣା ବ୍ୟକ୍ତିଙ୍କ କଲ୍ ଆସିଲେ ସତର୍କ ରୁହନ୍ତୁ । ବ୍ୟାଙ୍କ ବିବରଣୀ କିମ୍ବା ବ୍ୟକ୍ତିଗତ ସୂଚନା ଦିଅନ୍ତୁ ନାହିଁ
– କୌଣସି ସନ୍ଦେହ ଉପୁଜିଲେ, ନିକଟସ୍ଥ ବ୍ୟାଙ୍କ୍ ଶାଖା କିମ୍ବା କଷ୍ଟମର୍ କେୟାରରେ ଜଣାନ୍ତୁ
– ଏଟିଏମ୍ କାର୍ଡ କେବଳ ନିଜେ ବ୍ୟବହାର କରନ୍ତୁ
– ଏଟିଏମ୍ ପିନ୍ ମାରିବା ସମୟରେ ସତର୍କ ରୁହନ୍ତୁ
– ଏଟିଏମ୍ କାର୍ଡ ହଜିଗଲେ ତୁରନ୍ତ ବ୍ଳକ କରିଦିଅନ୍ତୁ
କ’ଣ କରିବେ ନାହିଁ?
– ବ୍ୟାଙ୍କିଙ୍ଗ୍ ପାସୱାର୍ଡ କାହାକୁ ଦିଅନ୍ତୁ ନାହିଁ କିମ୍ବା ନିଜ ମୋବାଇଲ୍ ହ୍ୟାଣ୍ଡସେଟରେ ରଖନ୍ତୁ ନାହିଁ
– ୟୁପିଆଇ ପିନ୍, ଡେବିଟ୍/କ୍ରେଡିଟ୍ କାର୍ଡ ନମ୍ବର, ସିଭିଭି, ଏକ୍ସପାରୀ ଡେଟ୍, ଓଟିପି, ଏଟିଏମ୍ ପିନ୍, ବ୍ୟାଙ୍କ୍ ଆକାଉଂଟ ବିବରଣୀ କାହାକୁ ଦିଅନ୍ତୁ ନାହିଁ
– କୌଣସି ଅଜଣା ଲୋକଙ୍କ କହିବା ଅନୁସାରେ ମୋବାଇଲ୍ ଆପ୍ ଡାଉନଲୋଡ୍ କରନ୍ତୁ ନାହିଁ
– ଗୁଗୁଲ ସର୍ଚରୁ କଷ୍ଟମର କେୟାର୍ ନମ୍ବର ଖୋଜନ୍ତୁ ନାହିଁ । ଏହା ଫେକ୍ ହୋଇଥାଇପାରେ
– କୌଣସି ଏସଏମଏସ ପାଇଲେ, ସେମାନଙ୍କ କହିବା ମୁତାବକ କାହାରିକୁ ଫରୱାର୍ଡ କରନ୍ତୁ ନାହିଁ
କେବଳ ସେତିକି ନୁହେଁ, ସୋସିଆଲ୍ ମିଡିଆ ବ୍ୟବହାର କରିବା ବେଳେ କିପରି ସତର୍କତା ଅବଲମ୍ବନ କରିବାକୁ ହେବ, ସେଥିପାଇଁ କ୍ରାଇମବ୍ରାଂଚ ଜାରି କରିଛି ଗାଇଡଲାଇନ୍ । ପିଲାମାନେ ଇଣ୍ଟରନେଟ୍ ବ୍ୟବହାର କରୁଥିଲେ, ଅଭିଭାବକମାନେ ଏଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛି କ୍ରାଇମବ୍ରାଂଚ ।