କନକ ବ୍ୟୁରୋ : ଲକ୍ଡାଉନ ଆରମ୍ଭରୁ ରାଜ୍ୟରେ ସକ୍ରିୟ ହୋଇପଡ଼ିଛନ୍ତି ସାଇବର ଠକ । ଅନଲାଇନ୍ରେ ମଦ, ସାନିଟାଇଜର୍, ଥର୍ମାଲ ସ୍କ୍ରିନିଂ ଭଳି କୋଭିଡ୍ ପରୀକ୍ଷା ଉପକରଣ, କୋରିଅର୍ ପାର୍ସଲ, ଘରେ ବସି ରୋଜଗାର, ଟାଵାର ବସାଇବା ନାଁରେ କୋଟି କୋଟି ଟଙ୍କା ଲୁଟି ଚାଲିଛନ୍ତି । ଏବେ ଅନଲାଇନ୍ରେ ଖାଦ୍ୟ ପାର୍ସଲ୍ ଯୋଗାଇବା ନାଁରେ ଠକେଇ କରିବା ଚର୍ଚ୍ଚାର ବିଷୟ ପାଲଟିଛି । ରାଜଧାନୀ ୟୁନିଟ୍-୩ ଅଞ୍ଚଳରେ ଥିବା ଏକ ପ୍ରତିଷ୍ଠିତ ରେସ୍ତୋରାଁ ନାଁରେ ଜାଲ୍ ଫେସ୍ବୁକ୍ ଆକାଉଣ୍ଟ ଖୋଲି ୧୫ ଦିନରେ ୫୦ରୁ ଅଧିକ ଲୋକଙ୍କୁ ଠକେଇ କରିଥିବା ଅଭିଯୋଗ ଆସିଛି । ଗୋଟିଏ ପ୍ଲେଟ୍ କିଣିଲେ, ଦୁଇ ପ୍ଲେଟ୍ ମାଗଣାରେ ମିଳିବ ବୋଲି ଲୋଭନୀୟ ଅଫର୍ ଦେଇ ଠକ ଠକି ଚାଲିଛି । ରେସ୍ତୋରାଁ ମାଲିକ ସତୀଶ ରାଘବନ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଠକକୁ ଠାବ କରିବା ସମ୍ଭବ ହୋଇନାହିଁ ।
ଅଭିଯୋଗ ଅନୁସାରେ ଠକ ଜଣକ ଗତ ୧୨ ତାରିଖରୁ ଉକ୍ତ ରେସ୍ତୋରାଁ ନାଁରେ ଫେସ୍ବୁକ୍ରେ ଏକ ଜାଲ୍ ଆଇଡି ଖୋଲିଛି । ଗୋଟିଏ ପ୍ଲେଟ୍ କିଣିଲେ ଦୁଇ ପ୍ଲେଟ୍ ମାଗଣା ଖାଦ୍ୟ ମିଳିବ ବୋଲି ବିଜ୍ଞାପନରେ ଅଫର୍ ଦିଆଯାଇଛି । ତ୍ରିନାଥ ମହାରଣା ନାମକ ଜଣେ ଯୁବକ ଏହି ଲୋଭନୀୟ ଅଫର୍ ବିଷୟରେ ଜାଣିବା ପରେ ଫେସ୍ବୁକ୍ର ସେହି ଲିଙ୍କ୍ ଖୋଲି ଖାଦ୍ୟ ବୁକ୍ କରିଥିଲେ । ପରେ ପରେ ତାଙ୍କ ନିକଟକୁ ଏକ ଫୋନ୍ କଲ୍ ଆସିଥିଲା । ଠକ ଜଣକ ତ୍ରିନାଥଙ୍କଠାରୁ ପାର୍ସଲ ସମ୍ବନ୍ଧୀୟ ବିବରଣୀ ନେବା ପରେ ତାଙ୍କ ଫୋନ୍କୁ ଏକ ଓଟିପି ନମ୍ବର ଆସିଥିଲା। ଠକ ତାଙ୍କୁ ଓଟିପି ନମ୍ବର ମାଗିବାରୁ ସେ ସନ୍ଦେହ କରିଥିଲେ ଓ ତୁରନ୍ତ ଟୋଲ୍ ଫ୍ରି ନମ୍ବରକୁ ଫୋନ୍ କରି ତାଙ୍କ କ୍ରେଡିଟ୍ କାର୍ଡକୁ ବ୍ଲକ୍ କରି ଦେଇଥିଲେ। କ୍ରେଡିଟ୍ କାର୍ଡ ବ୍ଲକ ହେବା ପରେ ଠକ ପୁଣି ତ୍ରିନାଥଙ୍କୁ ଫୋନ୍ କରି ଧମକ ଦେଇଥିଲା। ଏ ନେଇ ତ୍ରିନାଥ ତୁରନ୍ତ ଖାରବେଳନଗରସ୍ଥିତ ଉକ୍ତ ରେସ୍ତୋରାଁକୁ ଯାଇ ଘଟଣା ବାବଦରେ ଜଣାଇଥିଲେ ଓ ତାଙ୍କ ଭଳି ପ୍ରାୟ ୫୦ ଜଣଙ୍କୁ ଉକ୍ତ ସାଇବର ଠକ ଠକିଛି ବୋଲି ଜାଣିବାକୁ ପାଇଥିଲେ ।
ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ କହିବା ଅନୁସାରେ ଠକ ଯେଉଁ ଲିଙ୍କ୍ ଦେଇଛି ତାହାକୁ ଗୁଗୁଲ୍ ସିଟ୍ କୁହାଯାଏ । ଏହି ସିଟ୍ ଜରିଆରେ ଠକ ପାର୍ସଲ ମଗାଉଥିବା ବ୍ୟକ୍ତିଙ୍କ ସମସ୍ତ ତଥ୍ୟ ହାସଲ କରି ଆକାଉଣ୍ଟକୁ ଖାଲି କରି ଦେଇପାରିବ । ତେଣୁ ପାର୍ସଲ ମଗାଇବା ପୂର୍ବରୁ ଉକ୍ତ ସଂସ୍ଥା ବାବଦରେ ପୂରା ତଥ୍ୟ ଜାଣିବା ଦରକାର । ରେସ୍ତୋରାଁ ମାଲିକ ସତୀଶ ରାଘବନ କହିଛନ୍ତି ତାଙ୍କର ଏମିତି କୌଣସି ୱେବସାଇଟ୍ ନାହିଁ କିମ୍ବା ଖାଦ୍ୟରେ ଅଫର୍ ମଧ୍ୟ ନାହିଁ। ସାଇବର ଠକ ଜାଲ୍ ଆଇଡି ତିଆରି କରି ଏପରି କରୁଛି।