ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ୍ ଆଣିଲେ ରାଜ୍ୟ ସରକାର । ଅନଲାଇନରେ ନବମ, ଏକାଦଶ ଶ୍ରେଣୀର ପରୀକ୍ଷା କରିବାକୁ ପରାମର୍ଶ ।

369

କନକ ବ୍ୟୁରୋ: ପଡୋଶୀ ରାଜ୍ୟମାନଙ୍କରେ କୋଭିଡ୍ ସ୍ଥିତି ବଦଳୁଥିବା ଭିତରେ ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି । ଏଥିରେ ରାଜ୍ୟ ସରକାର ସ୍କୁଲ ପାଇଁ ଅନେକ ନିୟମ ଆଣିଛନ୍ତି । ବର୍ତ୍ତମାନ ନବମରୁ ଦ୍ୱାଦଶ ଶ୍ରେଣୀର କ୍ଲାସ୍ ଆରମ୍ଭ ହୋଇଛି । ହେଲେ ବର୍ତ୍ତମାନ ସ୍ଥିତିକୁ ଦେଖି ନବମ ଓ ଏକାଦଶ ଶ୍ରେଣୀର ପରୀକ୍ଷା ଅନଲାଇନ୍ ମାଧ୍ୟମରେ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ଏନେଇ ଛାତ୍ରଛାତ୍ରୀଙ୍କ ପିତାମାତା ଓ ଅଭିଭାବକଙ୍କ ସହ କଥା ହୋଇ ନିଷ୍ପତ୍ତି ନେବାକୁ କୁହାଯାଇଛି ।

ଅନ୍ୟପଟେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଭିନ୍ନ କଲେଜ ଓ ଶିକ୍ଷାନୁଷ୍ଠାନକୁ ଖୋଲିିବା ନେଇ ବିଭାଗ ହିଁ ସମସ୍ତ ନିଷ୍ପତ୍ତି ନେବ । ଏହି ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ଜାରି ହୋଇଥିବା ଗାଇଡଲାଇନକୁ ପାଲନ କରାଯିବ ବୋଲି ଉଲ୍ଲେଖ କରାଯାଇଛି । ଏଥିସହ କିଛି କ୍ଲାସ ଖୋଲିଥିଲେ ବି ଅନ୍ୟ ପିଲାମାନେ ପୂର୍ବଭଳି ଅନଲାଇନରେ ପାଠପଢା ଜାରି ରଖିବେ ବୋଲି କୁହାଯାଇଛି । ଏହାସହ ଆଜିର ଗାଇଡଲାଇନରେ ରାଜ୍ୟ ସରକାର ଯାତ୍ରା ପାଇଁ ଅନୁମତି ଦେଇଛନ୍ତି । ୨ ହଜାର ଲୋକଙ୍କୁ ନେଇ ଯାତ୍ରା ହୋଇପାରିବ ବୋଲି କୁହାଯାଇଛି । କୋଭିଡ୍ ଗାଇଡଲାଇନକୁ ପାଳନ କରି ରାଜ୍ୟରେ ଯାତ୍ରା ପାର୍ଟିମାନେ ଯାତ୍ରା ଆୟୋଜନ କରପାରିବେ ବୋଲି କୁହାଯାଇଛି ।