ଅନଲାଇନରେ କେତେ ପିଲା ପଢୁଛନ୍ତି ପାଠ? ସର୍ଭେରେ ଆସିଲା ସାଂଘାତିକ ତଥ୍ୟ ।

329

କନକ ବ୍ୟୁରୋ : ଦେଶରେ ଡିଜିଟାଲ ଡିଭାଇଡର ବିକୃତ ଚିତ୍ର ପଦାରେ ପଡ଼ିଛି । କୋଭିଡ ସମୟରେ ଦେଶର ଗ୍ରାମାଂଚଳରେ ମାତ୍ର ୮ ପ୍ରତିଶତ ପିଲା ନିୟମିତ ଅନଲାଇନରେ ପାଠ ପଢ଼ୁଛନ୍ତି । ସେହିଭଳି ସହରର ବସ୍ତିରେ ମାତ୍ର ୨୪% ପିଲା ନିୟମିତ ଅନଲାଇନରେ ପାଠ ପଢ଼ୁଥିବା ଏକ ସର୍ଭେରେ ଦେଖାଦେଇଛି । ଏହି ସର୍ଭେରେ ଓଡ଼ିଶା ସମେତ ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ସାମିଲ କରାଯାଇଥିଲା ।

ଦେଶର ଗ୍ରାମାଂଚଳ ଓ ଦୂରଦୂରାନ୍ତ ଅଂଚଳରେ ରହୁଥିବା ମାତ୍ର ୮ ପ୍ରତିଶତ ପିଲା ଅନଲାଇନରେ ପାଠ ପଢ଼ୁଛନ୍ତି । ଆଉ ସହରାଂଚଳ ବସ୍ତିରେ ମାତ୍ର ୨୪ ପ୍ରତିଶତ ପିଲା ନିୟମିତ ଅନଲାଇନ କ୍ଲାସ କରିପାରୁଛନ୍ତି । କୋଭିଡ ଅନେକଙ୍କର ପାଠ ଛଡ଼ାଇ ନେଇଛି । କୋଭିଡ ସମୟରେ ଗ୍ରାମାଂଚଳର ୩୭ ପ୍ରତିଶତ ପିଲା ଆଦୌ ପାଠ ପଢ଼ୁନଥିବା ବେଳେ ସହରାଂଚଳ ବସ୍ତିରେ ୧୯ ପ୍ରତିଶତ ପିଲା ଆଦୌ ପାଠପଢ଼ୁନାହାନ୍ତି । ଓଡ଼ିଶା ସମେତ ଦେଶର ୧୫ଟି ରାଜ୍ୟର ପ୍ରାୟ ୧ ହଜାର ୪୦୦ ପିଲାଙ୍କୁ ନେଇ କରାଯାଇଥିବା ସର୍ଭେରେ ଏଭଳି ଚିନ୍ତାଜନକ ତଥ୍ୟ ମିଳିଛି । ଆଇଆଇଟି ପ୍ରଫେସର ରିତିକା ଖାରାଙ୍କ ନେତୃତ୍ୱରେ କରାଯାଇଥିବା ଏହି ସର୍ଭେରୁ ପଦାକୁ ଆସିଛି ଗ୍ର୍ରାମାଞ୍ଚଳର ପଡ଼ା ଓ ସହରାଞ୍ଚଳର ବସ୍ତିରେ ପାଠପଢ଼ୁଥିବା ଗରିବ ପିଲାଙ୍କ ଅନଲାଇନ ପାଠପଢ଼ାର ଚିତ୍ର ।

ପ୍ରାୟ ଦେଢ଼ ବର୍ଷ ଧରି କୋଭିଡର ପ୍ରଭାବରେ ସ୍କୁଲ ବନ୍ଦ ରହିଥିବାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ୁଥିବା ଏକ-ଚତୁର୍ଥାଂଶ ପିଲା ଘରୋଇ ସ୍କୁଲ ଛାଡ଼ି ସରକାରୀ ସ୍କୁଲକୁ ଚାଲିଯାଇଥିବା ଦେଖାଯାଇଛି । ପିତାମାତାଙ୍କ ଆୟ ହ୍ରାସ ଓ ସ୍ମାର୍ଟଫୋନ୍ ସହ ଡାଟା କିଣିବାର ସାମର୍ଥ୍ୟ ନଥିବାରୁ ଏଭଳି ହୋଇଥିବା ଦେଖାଯାଇଛି । ପିଲାଙ୍କ ପାଠପଢ଼ାର ମାନ ମଧ୍ୟ ଖସିଯାଇଛି । ସର୍ଭେ ଅନୁଯାୟୀ ସହରାଞ୍ଚଳରେ ୭୭% ପିଲାଙ୍କ ଘରେ ସ୍ମାର୍ଟଫୋନ୍ ଥିବା ବେଳେ ଗ୍ରାମାଞ୍ଚଳର ୫୧% ପିଲାଙ୍କ ଘରେ ସ୍ମାର୍ଟଫୋନ୍ ରହିଛି । ତେବେ ଗ୍ରାମାଞ୍ଚଳରେ ୧୨% ପିଲାଙ୍କର ନିଜର ସ୍ମାର୍ଟଫୋନ୍ ନାହିଁ । ସହରାଞ୍ଚଳର ୫୭% ପିଲାଙ୍କ ପାଖରେ ଭଲ ଇଂଟରନେଟ ସଂଯୋଗ ନଥିବା ବେଳେ ଗ୍ରାମାଂଚଳର ୬୫% ପିଲା ଇଂଟରନେଟ ସଂଯୋଗରେ ସମସ୍ୟା ଭୋଗୁଥିବା ଦେଖାଯ।।ଇଛି । ଏଭଳି ପରିସ୍ଥତିରେ ବରଂ ସ୍କୁଲ ଖୋଲିବା ଦରକାର ବୋଲି ସହରାଂଚଳର ୯୦% ଅଭିଭାବକ ମତ ଦେଇଥିବା ବେଳେ ଗ୍ରାମାଂଚଳର ୯୭% ଅଭିଭାବକ ସ୍କୁଲ ଖୋଲିବା ସପକ୍ଷରେ ମତ ଦେଇଛନ୍ତି ।

କରୋନା ସମୟରେ ଡିଜିଟାଲ ଡିଭାଇଡ୍ ଏକ ବଡ଼ ସମସ୍ୟା ହୋଇଛି । ବିଶେଷକରି ଗ୍ରାମାଞ୍ଚଳ ଓ ବସ୍ତିରେ ରହୁଥିିବା ଗରିବ ପିଲା ଅନଲାଇନ ପାଠପଢ଼ାରେ ଅଧିକ ସମସ୍ୟା ଭୋଗୁଛନ୍ତି । ସରକାରଙ୍କୁ ଏ ନେଇ ବିକଳ୍ପ ବାହାର କରିବାକୁ ପଡ଼ିବ ।