ଅନଲାଇନ ଡେଟିଂ ସାଇଟରେ ଠକେଇ ଘଟଣା । ବ୍ୟାଙ୍କ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କଲା ଚନ୍ଦ୍ରଶେଖରପୁର ଥାନା ପୁଲିସ

ଠକେଇ ,ଅପହରଣ ଓ ଧମକ ଦଫା ରୁଜୁ

326

କନକ ବ୍ୟୁରୋ: ଡେଟିଂ ସାଇଟ ଟିଣ୍ଡରରେ ପୁଅ-ଝିଅ ଡେଟ୍ କରିବା ଘଟଣାରେ ମାମଲା ରୁଜୁ କଲା ପୋଲିସ । ଆଇପିସିର ଦଫା ୪୨୦ ଅର୍ଥାତ ଠକେଇ, ୩୬୫ ଅର୍ଥାତ ଅପହରଣ, ୫୦୬ ଅର୍ଥାତ ଧମକ ଦେବା, ୩୭୯ ଅର୍ଥାତ ଚୋରୀ ଓ ୩୪ ଅର୍ଥାତ ରେ ମାମଲା ରୁଜୁ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଅନଲାଇନରେ ଡେଟିଂ କରି ଜଣେ ବ୍ୟାଙ୍କର କର୍ମଚାରୀ ଫସିଯାଇଥିବା ଅଭିଯୋଗ ଆଣିଥିଲେ । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ ସଂପୃକ୍ତ ବ୍ୟାଙ୍କ କର୍ମଚାରୀ ସୁନୀଲ ପ୍ରସାଦ ମିଶ୍ର ।

ତାଙ୍କ ଅଭିଯୋଗ ଅନୁସାରେ ଚଳିତ ମାସ ୨ ତାରିଖରେ ଏକ ଡେଟିଂ ସାଇଟରେ ଜଣେ ଯୁବତୀଙ୍କ ସହ ଚିହ୍ନାପରିଚୟ ହୋଇଥିଲା । ଏହାପରେ ତିନି ତାରିଖରେ ସଂପୃକ୍ତ ଯୁବତୀ ସୁନୀଲଙ୍କ ରୁମକୁ ଭେଟିବାକୁ ଆସି ରାତି ତମାମ ରହିଥିଲେ । ଏହାର ୫ ଦିନ ପରେ ଡେଟିଂ ସାଇଟର ସଂପୃକ୍ତ ଯୁବତୀ ସୁନୀଲଙ୍କୁ ଫୋନ କରିଥିଲେ । କହିଥିଲେ ଦେହ ଖରାପ ଅଛି ଆସ ହସ୍ପିଟାଲ ଯିବା । ଏହାପରେ ସୁନୀଲ ସଂପୃକ୍ତ ଯୁବତୀଙ୍କୁ ହସ୍ପିଟାଲ ନେବା ବାଟରେ କିଛି ଯୁବକ ଅଟକାଇ ମାଡ ମାରିଥିଲେ ।

ଏପରିକି ତାଙ୍କ ପର୍ସ ଓ ମୋବାଇଲ ଛଡାଇ ନେଇ ଟଙ୍କା ହଡପ କରିବା ସହ କ୍ରେଡିଟ କାର୍ଡରୁ ସପିଂ କରିଥିବା ଅଭିଯୋଗ କରିଥିଲେ ସୁନୀଲ । ଏପରିକି ସୁନୀଲଙ୍କୁ ଫୋନରେ ବ୍ଲାକମେଲ କରି ୫ଲକ୍ଷ ଟଙ୍କା ମାଗିଥିବା ଅଭିଯୋଗ ମଧ୍ୟ ହୋଇଛି । ଅନ୍ୟପଟେ ସୁନୀଲ ଥାନାରେ ଥିବା ବେଳେ ସଂପୃକ୍ତ ଯୁବତୀ ଓ ତାଙ୍କ ସହଯୋଗୀ ଥାନାରେ ପହଂଚି ଯୁବକଙ୍କ ନାଁ ପାଲଟା ଅଭିଯୋଗ ଆଣିଥିବା ସୂଚନା ମିଳିଛି । ଏହି ଅଭିଯୋଗ ଆଧାରରେ ମଧ୍ୟ ଖୁବଶୀଘ୍ର ମାମଲା ରୁଜୁ ହେବ ବୋଲି ଜଣାପଡିଛି ।