ଆସନ୍ତାକାଲି ଠାରୁ ସରକାରୀ ସ୍କୁଲରେ ଆରମ୍ଭ ହେବ ଅନଲାଇନରେ ପାଠପଢା । ପ୍ରଥମରୁ ଅଷ୍ଟମ ଯାଏଁ ସକାଳ ୯ଟାରୁ ସାଢ଼େ ୧୦ଟା, ନବମ, ଦଶମରେ ୧୦ଟା ୪୫ରୁ ଗୋଟାଏ ଯାଏଁ ହେବ କ୍ଲାସ

387

କନକ ବ୍ୟୁରୋ: ସୋମବାର ଠାରୁ ପ୍ରଥମଥର ପାଇଁ ୟୁ ଟ୍ୟୁବ ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ପାଠପଢା ହେବ । କରୋନା ମହାମାରୀରେ ଆଗକୁ କଣ ହେବ ତାହା ସ୍ପଷ୍ଟ ହେଉନଥିବାରୁ ଅନଲାଇନ୍ ମାଧ୍ୟମରେ ପାଠପଢା ପାଇଁ ଶିକ୍ଷା ବିଭାଗ ନିଷ୍ପତି ନେଇଛି ।
ସୋମବାର ଠାରୁ ଓଡିଶାର ଗଣଶିକ୍ଷା ବିଭାଗ ଏକ ନୂଆ ପ୍ରୟୋଗ କରିବାକୁ ଯାଉଛି । ୟୁ ଟ୍ୟୁବ୍ ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦର୍ପଣ କାର୍ଯ୍ୟକ୍ରମରେ ପାଠପଢା ଯିବ । କରୋନା ଆଉ କେତେଦିନ ରହିବ, ସ୍କୁଲ କେବେ ଖୋଲିବ, ଏହାର ଉତର କାହାରି ପାଖରେ ନାହିଁ । ତେଣୁ ୟୁ ଟ୍ୟୁବ୍ ମାଧ୍ୟମରେ ପାଠପଢା ପାଇଁ ଏକ ଉଦ୍ୟମ ଆରମ୍ଭ ହୋଇଛି ।

ଜୁନ୍ ୨୧ରୁ ଜୁଲାଇ ୭ ତାରିଖ ଯାଏଁ ସକାଳ ୯ଟାରୁ ୧୦ଟା୩୦ ଯାଏଁ ପ୍ରାଥମିକ ଶ୍ରେଣୀର କ୍ଲାସ ହେବ । ସେହିପରି ଜୁନ୍ ୨୧ରୁ ଜୁଲାଇ ୩୧ ତାରିଖ ଯାଏଁ ସକାଳ ୧୦ଟା୪୫ରୁ ଅପରାହ୍ଣ ଗୋଟାଏ ଯାଏଁ ହାଇସ୍କୁଲ ଶ୍ରେଣୀର ପାଠପଢା ହେବ ।

ସ୍କୁଲ ଖୋଲି ପାରୁନଥିବାରୁ ଅନଲାଇନ୍ କ୍ଲାସ ହିଁ ଏକମାତ୍ର ବିକଳ୍ପ । କିନ୍ତୁ ଏଥିପାଇଁ ଓଡିଶା କେତେ ପ୍ରସ୍ତୁତ ତାହା ବି ଆପଣ ଜାଣି ରଖିବା ଉଚିତ୍ । ଆମେ ଆପଣଙ୍କୁ ଫୁଲବାଣୀ ଓ ରାୟଗଡା ଜିଲ୍ଲାର ଦୁଇଟି ଗାଁର ଚିତ୍ର ଦେଖାଉଛୁ ।

ଫୁଲବାଣୀ ଓ ରାୟଗଡାରେ ଆମ ପ୍ରତିନିଧି ସେଠିକାର ପରିସ୍ଥିତି ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ପ୍ରଶ୍ନ କରିଥିଲେ । ପ୍ରକୃତରେ ସହରରେ ଏକ ମଧ୍ୟବିତ ପରିବାର କିମ୍ବା ଉଚ ମଧ୍ୟବିତ ପରିବାର ପାଖରେ ଯେଉଁ ସାଧନ ରହିଛି, ତାହା ଏଠାରେ ନାହିଁ । ମୋବାଇଲରେ ୟୁ-ଟ୍ୟୁବ୍ ମାଧ୍ୟମରେ ପାଠ ପଢିବା ଏସବୁ ସ୍ଥାନରେ ସେତେ ସହଜ ବୋଲି ଲାଗୁନାହିଁ ।

ସେପଟେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ-ଓଷ୍ଟା କହିଛି, ୟୁ-ଟ୍ୟୁବ୍ କିମ୍ବା ଅନଲାଇନ୍ ଉପରେ ଅଧିକ ନିର୍ଭର ନକରି ଟେଲିଭିଜନ୍ ଚ୍ୟାନେଲ ମାଧ୍ୟମରେ ଶିକ୍ଷାଦାନ କରାଯାଉ ।