ୟୁଟ୍ୟୁବ ଲାଇଭ ଷ୍ଟ୍ରିମିଂ ପାଠପଢ଼ାରେ ହଇରାଣ ହେଉଛନ୍ତି ଗାଁ ଗହଳିର ପିଲା । କେଉଁଠି ନେଟୱାର୍କ ନାହିଁ ତ ଆଉ କେଉଁଠି ନାହିଁ ମୋବାଇଲ ।

121

କନକ ବ୍ୟୁରୋ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ୟୁ-ଟ୍ୟୁବ ପାଠପଢା ଆରମ୍ଭ କରିଛନ୍ତି । ହେଲେ ନେଟୱାର୍କ ନଥିବାରୁ ହେଇପାରୁନି ପାଠ ପଢା । ଜାତୀୟ ରାଜପଥ ଠାରୁ ୪ କିଲୋମିଟର ଦୂରରେ ଥିବା ଗାଁରେ ପାଠ ପଢିବା ପାଇଁ ଦୁଇ କିଲୋମିଟର ଦୂର ଜଙ୍ଗଲକୁ ଯାଉଛନ୍ତି ଛାତ୍ରଛାତ୍ରୀ ।

ଛାତ୍ରଛାତ୍ରୀ ୟୁନିଫର୍ମ ପିନ୍ଧି ରାସ୍ତାରେ ଧାଡି ହୋଇ ଯାଉଛନ୍ତି । ହେଲେ ପିଲାମାନେ ସ୍କୁଲ ନୁହେଁ ବରଂ ଜଙ୍ଗଲ ଅଭିମୁଖେ ଯାଉଛନ୍ତି । କାରଣ ଗାଁରେ ନେଟୱାର୍କ ଆସୁନାହିଁ, ଅନଲାଇନ୍ ପାଠପଢା ହୋଇ ପାରୁନାହିଁ । ୟୁ-ଟ୍ୟୁବରେ ପାଠ ପଢିବା ପାଇଁ ଘର ଠାରୁ ଦୁଇ କିଲୋମିଟର ଦୂର ଜଙ୍ଗଲକୁ ଯାଉଛନ୍ତି ପିଲାମାନେ । ଆଉ ଗୋଟିଏ ମୋବାଇଲରେ ୪ରୁ ୫ ଜଣ ଲେଖାଏଁ ପିଲା ପଢୁଛନ୍ତି ।

ଗଞ୍ଜାମ ଜିଲ୍ଲା ବିରୁଳି ଗଡ ଗାଁରେ ଛାତ୍ରଛାତ୍ରୀ କେବଳ ପାଠପଢାରେ ଅସୁବିଧା ଭୋଗୁଛନ୍ତି ତା ନୁହେଁ ଅନ୍ୟାନ୍ୟ ଜରୁରୀକାଳୀନ ସେବା ବି ଏଠାରେ ପ୍ରଭାବିତ ହେଉଛି । ସ୍ୱାସ୍ଥ୍ୟ ଗତ ସମସ୍ୟା ହେଲେ ୧୦୮ କିମ୍ବା ୧୦୨କୁ ଯୋଗାଯୋଗ କରିପାରୁନାହାନ୍ତି ଲୋକେ । ତେଣୁ ଯାଥାଶୀଘ୍ର ଗାଁରେ ନେଟୱାର୍କ ବ୍ୟବସ୍ଥା କଲେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି ଗ୍ରାମବାସୀ କହିଛନ୍ତି । ଏକ ବିଂଶ ଶତାବ୍ଦୀକୁ ସରକାର ଡିଜିଟାଲ ଇଣ୍ଡିଆ ଘୋଷଣା କରିଥିବା ବେଳେ ଗଞ୍ଜାମ ଜିଲ୍ଲା ଜାତୀୟ ରାଜପଥ ନିକଟରେ ଥିବା ବିରୁଳି ଗଡ ଗାଁର ସମସ୍ୟା ଡିଜିଟାଲ ଇଣ୍ଡିଆର ବିଫଳତାକୁ ପ୍ରତିଫଳନ କରୁଛି ।