ପାଠପଢ଼ାରେ ବାଧକ ସାଜିବନି କରୋନା କଟକଣା : ଆଇଆଇଟି ଭୁବନେଶ୍ବରରେ କ୍ଲାସ୍ରୁମ୍ ପାଠପଢ଼ାର ଲାଇଭ୍ ଭିଡିଓ ଷ୍ଟ୍ରିମିଂ , ଯେଉଁଠି ଥିଲେ ବି ପାଠ ପଢିପାରିବେ ଛାତ୍ରଛାତ୍ରୀ

1,125

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର କଟକଣା ଜାରି କରିବା ପରେ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଯାଇଛି। ଛାତ୍ରଛାତ୍ରୀ ସ୍କୁଲ, କଲେଜ ଆସୁନାହାନ୍ତି । ହେଲେ ସେମିଷ୍ଟର ପରୀକ୍ଷା ଆଗକୁ ଥିବାରୁ ଓ କେତେକଙ୍କର ଶିକ୍ଷା ବର୍ଷ ଆରମ୍ଭ ହେବାକୁ ଥିବାରୁ ସମସ୍ତଙ୍କ ମୁଣ୍ଡରେ ପଢ଼ା ଚିନ୍ତା । ପରୀକ୍ଷା ପୂର୍ବରୁ ଯେପରି ପାଠ୍ୟକ୍ରମ ଅନୁଯାୟୀ ପାଠପଢ଼ା ହେବ ସେନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଯେତିକି ଚିନ୍ତିତ ନାହାନ୍ତି ତା’ଠାରୁ ଅଧିକ ଚିନ୍ତିତ ଅଛନ୍ତି ସ୍କୁଲ ଓ କଲେଜ କର୍ତ୍ତୃପକ୍ଷ। ଛାତ୍ରଛାତ୍ରୀ ସ୍କୁଲ, କଲେଜ ଆସୁନଥିବାରୁ ଏହାକୁ ନଜରରେ ରଖି ଆଇଆଇଟି, ଭୁବନେଶ୍ବର ଓ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି।

ଆଇଆଇଟି ଭୁବନେଶ୍ବରରେ କ୍ଲାସ୍ରୁମ୍ ପାଠପଢ଼ାର ଲାଇଭ୍ ଭିଡିଓ ଷ୍ଟ୍ରିମିଂ ହେଉଛି। ଯେଉଁ ଛାତ୍ରଛାତ୍ରୀ କ୍ଲାସ୍ କରିପାରୁନାହାନ୍ତି ସେମାନେ ହଷ୍ଟେଲରେ ହେଉ କି ଘରେ ଯେଉଁଠି ଥିଲେ ବି ନିଜ ଲାପଟପ୍ କିମ୍ବା ମୋବାଇଲ୍ ଫୋନରେ ଲାଇଭ୍ କ୍ଲାସର ସୁବିଧା ନେଇପାରିବେ। ଏପରିକି ସେମାନଙ୍କର କୌଣସି ବିଷୟରେ ସନ୍ଦେହ ଥିଲେ କି ବୁଝି ନପାରିଲେ ପଚାରି ପାରିବେ। କ୍ଲାସରୁମରେ ପାଠପଢ଼ାଉଥିବା ଅଧ୍ୟାପକ ତୁରନ୍ତ ଏହାର ସମାଧାନ କରିବେ।

ଆଇଆଇଟି, ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଆର୍.ଭି ରାଜକୁମାର କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରେ କି ଘରେ ରହିବାକୁ ଅପ୍ସନ୍ ଦିଆଯାଇଛି। ସେମାନେ ଯେଉଁଠି ନିଜକୁ ସୁରକ୍ଷିତ ମଣିବେ ସେଠାରେ ରହିପାରିବେ। ହେଲେ ଆଗକୁ ସେମିଷ୍ଟର ଥିବାରୁ ପାଠପଢ଼ାରେ ଯେପରି କୌଣସି ସମସ୍ୟା ନହୁଏ ସେଥିପାଇଁ ଲାଇଭ୍ ଭିଡିଓ ଷ୍ଟ୍ରିମିଂ କ୍ଲାସ୍ ହେବ। ଏଥିପାଇଁ ମାଇକ୍ରୋସଫ୍ଟ ଟିମ୍ ସଫ୍ଟୱେର ବ୍ୟବହାର କରାଯାଇଛି। ପିଲାମାନେ ଯେଉଁଠି ଥିଲେ ବି ଲାଇଭ୍ କ୍ଲାସ୍ ଦେଖିପାରିବେ। ଏପରିକି ଏବେ ଯେଉଁମାନେ ଏହି କ୍ଲାସ୍ ଦେଖିପାରିବେନି ସେମାନେ ପରବର୍ତ୍ତୀ ସମୟରେ ଯେପରି ଏହି ଭିଡିଓ ଦେଖି ପାଠ ପଢ଼ିପାରିବେ ସେଥିପାଇଁ ଭିଡିଓ ସଂରକ୍ଷିତ କରି ରଖିବାକୁ ଅଧ୍ୟାପକମାନଙ୍କୁ କୁହାଯାଇଛି। କ୍ୟାମ୍ପସରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଷେଧକ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଉଛି। ଯେଉଁମାନେ ଛାତ୍ରାବାସରେ କାମ କରୁଛନ୍ତି ସେମାନଙ୍କୁ କ୍ୟାମ୍ପସ ବାହାରକୁ ଛଡ଼ାଯାଉନି। ଏପରିକି କାହାକୁ ବିଦେଶକୁ ଛଡ଼ାଯାଉନି କି ବିଦେଶରୁ ଆସୁଥିବା ଲୋକଙ୍କୁ କ୍ୟାମ୍ପସକୁ ଭର୍ତ୍ତି କରାଯାଉନି।

ଅପରପକ୍ଷେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଓ ସାଇ ଇଣ୍ଟରନ୍ୟାସନାଲ୍ ଆବାସିକ ସ୍କୁଲରେ ଅନଲାଇନ୍ କ୍ଲାସ୍ ଆରମ୍ଭ ହୋଇଛି। ପାଠ୍ୟକ୍ରମ ଯେପରି ଧାର୍ଯ୍ୟ ସମୟରେ ସରିବ ସେଥିପାଇଁ ସ୍କୁଲ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସ୍କୁଲର ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଅନଲାଇନ୍ କ୍ଲାସ୍ ଆରମ୍ଭ ହୋଇଛି। ଏଥିପାଇଁ ସମସ୍ତ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଇ-ମେଲ୍ ଓ ଏସ୍ଏମ୍ଏସରେ ସୂଚନା ଦିଆଯାଇଛି।

ସ୍କୁଲ୍ କର୍ତ୍ତୃପକ୍ଷ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ପାଇଁ ଏକ ସାପ୍ତାହିକ ସୂଚୀ ପ୍ରସ୍ତୁତ ହୋଇଛି। ସ୍କୁଲ୍ ଆପ୍ ଅନୁଯାୟୀ ଦିନକୁ ୬ରୁ ୭ଘଣ୍ଟା ପଢ଼ିବା ଭଳି ଏହି ସୂଚୀ ପ୍ରସ୍ତୁତ ହୋଇଛି। ଅନଲାଇନ୍ କ୍ଲାସ୍ ପାଇଁ ୟୁଜର ଆଇଡି ଓ ପାସ୍ୱାର୍ଡ ଅଭିଭାବକମାନଙ୍କୁ ଦିଆଯାଇଛି। ଗୋଟିଏ କ୍ଲିକରେ ପିଲାମାନେ ପ୍ରତ୍ୟେକ ବିଷୟର ସୂଚନା ପାଇପାରିବେ। ଏପରିକି ଅଧ୍ୟାୟ ଅନୁସାରେ, ସର୍ଟ ନୋଟ୍ ମାଧ୍ୟମରେ, ଭିଡିଓ ଓ ଅଡିଓ, ପାୱାରପଏଣ୍ଟ ଉପସ୍ଥାପନା, ମାଇଣ୍ଡ ମ୍ୟାପ୍ସ, ଫ୍ଲୋ ଚାର୍ଟସ, ବିଭିନ୍ନ ପ୍ରକାର ପ୍ରଶ୍ନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ବ୍ୟବସ୍ଥା ହୋଇଛି। ପାଠପଢ଼ା ସରିବା ପରେ ବି ହୋମୱାର୍କ ଦିଆଯିବ। ଛାତ୍ରଛାତ୍ରୀଙ୍କର କୌଣସି ବିଷୟରେ ସନ୍ଦେହ ରହିଲେ ସେମାନେ ସଂପୃକ୍ତ ବିଷୟର ଶିକ୍ଷକଙ୍କ ସହ ଫୋନ୍ ମାଧ୍ୟମରେ ଆଲୋଚନା କରିପାରିବେ। ଏହାବାଦ୍ ଦୁଇଟି ସ୍କୁଲରେ ଜଣେ ଲେଖାଏ ମେଣ୍ଟରଙ୍କୁ ଦାୟିତ୍ବ ଦିଆଯାଇଛି। ଛାତ୍ରଛାତ୍ରୀଙ୍କର ଯଦି ଅନଲାଇନ୍ କ୍ଲାସରେ କିଛି ଅସୁବିଧା ରହେ ତେବେ ସେମାନଙ୍କୁ ଯୋଗାଯୋଗ କରି ଏହାର ସମାଧାନ କରିପାରିବେ।