କନକ ବ୍ୟୁରୋ : ଅନ୍ଲାଇନରେ ଶିଶୁଙ୍କ ଯୌନ ନିର୍ଯାତନା ଓ ଶୋଷଣ ଅଭିଯୋଗ ଆସିବା ପରେ ଆକ୍ସନରେ ସିବିଆଇ । ଓଡିଶା ସମେତ ଦେଶର ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୭୭ଟି ସ୍ଥାନରେ ଚଢାଉ କରିଛି ସିବିଆଇ । ନଭେମ୍ବର ୧୪ ତାରିଖରେ ସିବିଆଇ ଅଲଗା ଅଲଗା ୨୩ଟି ମାମଲା ରୁଜୁ କରିଥିଲା । ଏଥିରେ ୮୩ ଜଣଙ୍କୁ ଅଭିଯୁକ୍ତ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।
ବିଶେଷ କରି ଶିଶୁଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଓ ଶୋଷଣ ଅଭିଯୋଗରେ ଏହି ମାମଲା କରାଯାଇଥିଲା । ଘଟଣା ପଛରେ ଏକ ବଡ ରାକେଟ ଥିବା କଥା ସିବିଆଇ ଜାଣିବା ପରେ ଏଭଳି ରେଡ କରାଯାଇଛି । ସେଥିମଧ୍ୟରୁ ଉତ୍ତରପ୍ରଦେଶରେ ସର୍ବାଧିକ ୧୨ଟି ସ୍ଥାନରେ ଚଢାଉ ହୋଇଛି । ଅନଲାଇନରେ ଶିଶୁଙ୍କ ନିର୍ଯାତନା ନେଇ ୫୦ଟି ଗୋଷ୍ଠୀ ସକ୍ରିୟ ରହିଛି । ଆଉ ଶହେଟି ଦେଶରେ ଏମାନଙ୍କ ନେଟୱର୍କ ଥିବା ଜଣାପଡିଛି ।
ଓଡ଼ିଶାର ଯାଜପୁର, ଭଦ୍ରକ, ଢେଙ୍କାନାଳ ସମେତ ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, ବିହାର, ତାମିଲନାଡ଼ୁ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ, ହରିୟାଣା, ଛତିଶଗଡ଼, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶର ଚଢ଼ଉ କରାଯାଇଛି। ମୋଟ ୨୩ଟି ମାମଲା ରୁଜୁ ହୋଇଥିବା ବେଳେ ଓଡ଼ିଶାରୁ ୩ ଜଣଙ୍କ ସମେତ ୮୩ ଅଭିଯୁକ୍ତ ରହିଛନ୍ତି। ଚଢ଼ଉ ସମୟରେ ମୋବାଇଲ ଫୋନ୍, ଲାପଟପ୍, ପେନଡ୍ରାଇଭ୍, ହାର୍ଡଡିସ୍କ ଜବତ କରାଯାଇଛି। ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରୁ ୫୦ରୁ ଅଧିକଙ୍କୁ ଅଟକ ରଖାଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ, ସାରା ଦେଶରେ ଅନଲାଇନ୍ରେ ଚାଲିଥିଲା ଶିଶୁଙ୍କୁ ଯୌନଶୋଷଣ। ଅଶ୍ଳୀଳ ଭିଡିଓ ଏବଂ ଫଟୋ ତିଆରି କରାଯାଇ ଓନ୍ଲି ଚାଇଲ୍ଡ ସେକ୍ସ ଭିଡିଓ ଗ୍ରୁପ୍ରେ ପକାଯାଉଥିଲା। ଏହି କାମରେ ସକ୍ରିୟ ଦଲାଲମାନେ ବିପୁଳ ଟଙ୍କା ରୋଜଗାର କରୁଥିଲେ। ଗୋଟିଏ କି ଦୁଇଟି ନୁହେଁ, ଏକାଧିକ ହ୍ବାଟସଆପ୍ ଗ୍ରୁପ୍, ସୋସିଆଲ୍ ମିଡିଆ ସାଇଟ୍ରେ ଏହା ଉପଲବ୍ଧ ହେଉଥିଲା। ଏପରିକି ବିଦେଶରେ ମଧ୍ୟ ଏହାର ଚାହିଦା ବେଶ୍ ଅଧିକ ରହୁଥିଲା । ବି
ଦେଶରୁ ମଧ୍ୟ ଦଲାଲଙ୍କ ପାଖକୁ ଆସୁଥିଲା ଟଙ୍କା। ଏହି ଘଟଣା ଜଣାପଡ଼ିବା ପରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଥିଲା । ଅନଲାଇନ୍ ଯୌନ ଶୋଷଣ ଘଟଣାରେ ଅଭିଯୁକ୍ତଙ୍କୁ ଠାବ କରିବା ଓ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସିବିଆଇ ପକ୍ଷରୁ ଏକ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । ନଭେମ୍ବର ୧୪ ଶିଶୁ ଦିବସରେ ସିବିଆଇ ଦିଲ୍ଲୀ ଶାଖାରେ ୨୩ଟି ମାମଲା ରୁଜୁ କରାଯାଇଥିଲା । ଏହା ପରେ ଚଢ଼ଉ ଲାଗି ଏକାଧିକ ଟିମ୍ ଗଠନ ହୋଇଥିଲା ।
Follow Us