ଲକଡାଉନ ଛଡ଼ାଇ ନେଲା ରୋଜଗାର । ରାସ୍ତା ଉପରେ ଥାଳି ବାଡେଇ ଅଟୋ ଚାଳକଙ୍କ ପ୍ରତିବାଦ । ବ୍ୟାଙ୍କ ଇଏମଆଇ କୋହଳ କରିବାକୁ ଦାବି ।

123

କନକ ବ୍ୟୁରୋ: ରାଜରାସ୍ତାରେ ଥାଳି ତାଟିଆ ବାଡେଇ ଅଭିନବ ପ୍ରତିବାଦ କରିଛନ୍ତି ଭୁବନେଶ୍ୱରରେ ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ । କରୋନା ଯୋଗୁଁ ରୋଜଗାର ନାହିଁ , ପରିବାର ଚଳେଇବା ବି କଷ୍ଟକର ହୋଇପଡିଛି । ପେଟ୍ରୋଲ ଦର ବି ଏପଟେ ଶହେ ଟପିଲାଣି । ଏହି ସମୟରେ ଇଏମଆଇ ଭଳି ମାନସିକ ଚାପ ଓ ସୁଧ ନ ଦେଇପାରିବାରୁ ଇନ୍ୟୁରାନ୍ସ କମ୍ପାନୀର ଜୁଲମ ନେଇ ପ୍ରତିବାଦ କରିଛନ୍ତି ଅଟୋ ଚାଳକ ।

ଭୁବନେଶ୍ୱରର ଲାଇଫ ଲାଇନ ହେଉଛି ଅଟୋ । ହଜାର ହଜାର ଲୋକ ଏହି ଅନଲାଇନ ଅଟୋସେବା ଉପରେ ନିର୍ଭର କରିଥାନ୍ତି । କିନ୍ତୁ କରୋନା ମାଡରେ ଏହି ଅଟୋଚାଳକଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ଲକଡାଉନ ଯୋଗୁଁ ଅଟୋ ଡ୍ରାଇଭର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ହଜାର ହଜାର ଅଟୋ ଚାଳକ ହାତବାନ୍ଧି ବସିଛନ୍ତି । ଏଭଳି ସ୍ଥଳେ ସରକାର ସେମାନଙ୍କ ପାଇଁ କିଛି କରନ୍ତୁ ବୋଲି ସେମାନଙ୍କ ଦାବି ।

ଇଏମଆଇ ଦେବାର ଦାୟିତ୍ୱ, ଘର ଚଳାଇବାର ଦାୟିତ୍ୱ, ପିଲାଙ୍କ ପାଠ ପଢାର ଦାୟିତ୍ୱରେ ପେଶି ହୋଇଯାଇଛନ୍ତି ଏହି ଅଟୋଚାଳକ । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ ପ୍ରାୟ ୭ ହଜାର ଅନ ଲାଇନ ଅଟୋ ଚାଳକ ରାସ୍ତା ଉପରେ ଗାଡି ରଖି ପ୍ରତିବାଦ କରିଛନ୍ତି ।