କନକ ବ୍ୟୁରୋ : ଦେଶରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇଯାଇଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧ ଲକ୍ଷ ୪୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ସରକାରଙ୍କ ଚିନ୍ତା ବଢିଛି । ଏହି କ୍ରମରେ ସରକାର କୋଭିଡ-୧୯ ଟିକାର ଦୁଇଟି ଡୋଜ ପରେ ପୁଣି ବୁଷ୍ଟର ଡୋଜ ବା ପିକସନ ଡୋଜ ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ଏନେଇ ସରକାର ଏକ ଗାଇଡ ଲାଇନ ବି ଜାରି କରିଛନ୍ତି । ଗାଇଡ ଲାଇନ ମୁତାବକ ବର୍ତମାନ ବୁଷ୍ଟର ଡୋଜ ନେବାକୁ ଯେଉଁମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନେ ଆଜି ସନ୍ଧ୍ୟା (ଶନିବାର) ଠାରୁ ଅନଲାଇନ ମାଧ୍ୟମରେ ବୁଷ୍ଟର ଡୋଜ ପାଇଁ ଆବେଦନ କରିପାରିବେ ।
ସରକାରଙ୍କ ଗାଇଡ ଲାଇନ ମୁତାବକ ଯେଉଁମାନେ ଟିକାର ଉଭୟ ଖୋରାକ ନେଇ ସାରିଛନ୍ତି ସେମାନଙ୍କ ମଧ୍ୟରୁ କୋଭିଡ ଯୋଦ୍ଧା, ସ୍ୱାସ୍ଥ୍ୟ କର୍ମୀ , ୬୦ ବର୍ଷରୁ ଅଧିକ ବୟସ୍କ ଲୋକ ଓ ଗୁରୁତର ରୋଗରେ ପୀଡିତ ଥିବା ଲୋକଙ୍କୁ ଚଳିତ ମାସ ୧୦ ତାରିଖ ଠାରୁ ବୁଷ୍ଟର ଡୋଜ ଦିଆଯିବ । କହିରଖୁ କି ଏମାନଙ୍କ ମଧ୍ୟରୁ ଯେଉଁମାନେ କୋଭିଡ-୧୯ ଟିକାର ଦ୍ୱିତୀୟ ଡୋଜ ୯ ମାସ ପୂର୍ବରୁ ନେଇ ସାରିଛନ୍ତି ସେହିମାନଙ୍କୁ ପ୍ରାଥମିକତା ଦିଆଯିବ ।
ବୁଷ୍ଟର ଡୋଜ ନେବା ପାଇଁ ପୂର୍ବ ଭଳି ଆପଣ କୋ-ୱିନ ଆପ୍ ମାଧ୍ୟମରେ ଆବେଦନ କରିପାରିବେ । ଏହାସହ ଯେଉଁମାନେ ବୁଷ୍ଟର ଡୋଜ ନେବାକୁ ଯୋଗ୍ୟ ବିବେଚିତ ସେମାନେ ଅନଲାଇନରେ ଆବେଦନ କରିନଥିଲେ ବି ସିଧା ଟିକାକରଣ କେନ୍ଦ୍ରକୁ ଯାଇ ସେହିଠାରେ ଆବେଦନ କରି ଟିକା ନେଇ ପାରିବେ ।
ଅନ୍ୟପଟେ ସରକାର ସିଧା ସଳଖ ଘୋଷଣା କରିଛନ୍ତି କି, ଯେଉଁମାନେ କରୋନା ଟିକାର ପ୍ରଥମ ଓ ଦ୍ୱିତୀୟ ଡୋଜ କୋଭାକ୍ସିନ ନେଇଛନ୍ତି ସେମାନେ ବୁଷ୍ଟର ଡୋଜରେ ବି କୋଭାକ୍ସିନ ନେବେ ଓ ଯେଉଁମାନେ କୋଭିସିଲ୍ଡର ଟିକା ନେଇଛନ୍ତି ସେମାନେ ବୁଷ୍ଟର ଡୋଜରେ କୋଭିସିଲ୍ଡ ନେବେ ।
ସରକାରଙ୍କ ସୂଚନା ମୁତାବକ ପାଖାପାଖି ୩ କୋଟି ସ୍ୱାସ୍ଥ୍ୟ କର୍ମୀ ଓ କୋଭିଡ ଯୋଦ୍ଧାଙ୍କୁ ଜାନୁଆରୀ ମାସରେ ବୁଷ୍ଟର ଡୋଜ ଦିଆଯିବ । ଏହାସହ ୨.୭୫ କୋଟି ଲୋକ (ଯେଉଁମାନଙ୍କ ବୟସ ୬୦ ବର୍ଷରୁ ଉର୍ଦ୍ଧ ଓ ଯେଉଁମାନେ ଗୁରୁତର ରୋଗରେ ପୀଡିତ) ସେମାନଙ୍କୁ ବି ତୁରନ୍ତ ବୁଷ୍ଟର ଡୋଜ ଲଗାଯିବ । ସେମାନଙ୍କ ମଧ୍ୟରେ ଯେଉଁମାନେ ଟିକାର ଦ୍ୱିତୀୟ ଡୋଜ ନେବାର ୯ ମାସ ପୂରଣ ହୋଇଛି ସେମାନଙ୍କୁ ପ୍ରାଧାନ୍ୟ ଦିଆଯିବ ।