କନକ ବ୍ୟୁରୋ: ପିଆଜ ଦର ହୁ ହୁ ହୋଇ ବଢ଼ି ଚାଲିଛି । ଯେଉଁ ପିଆଜ ଦିନ କେଇଟା ପୂର୍ବରୁ, କିଲୋପିଛା ମାତ୍ର ୨୦ରୁ ୨୫ଟଙ୍କାରେ ବିକ୍ରି ହେଉଥିଲା, ଏବେ ସେହି ପିଆଜ ଦର ୮୦ଟଙ୍କା ଛୁଇଁଲାଣି । କାର୍ତିକ ମାସ ଆରମ୍ଭ ହୋଇଯାଇଥିଲେ ବି ପିଆଜ ଦର ଅଧିକ ରହିଛି । ଯାହାକୁ ପ୍ରତିବାଦ କରି ଆଜି ଆନ୍ଦୋଳନକୁ ଓହ୍ଲାଇଛି ଛାତ୍ର କଂଗ୍ରେସ ।

Kanak News is now on WhatsApp
Join and get latest news updates delivered to you via WhatsApp
ପିଆଜ ଦର କମୁନଥିବାରୁ ଆନ୍ଦୋଳନ କରିଛି ଛାତ୍ର କଂଗ୍ରେସ । ବଜାରରେ ପିଆଜ ୮୦ଟଙ୍କାରେବିକ୍ରି ହେଉଥିବାବେଳେ ୨୦ଟଙ୍କାରେ ବିକ୍ରି କରି ପ୍ରତିବାଦ ଜଣାଇଛି । ଛାତ୍ର କଂଗ୍ରେସର କର୍ମୀମାନେ ଟୋକେଇରେ ପିଆଜ ଭର୍ତି କରି ମୁଣ୍ଡରେ ମୁଣ୍ଡେଇ, କୃଷି ମନ୍ତ୍ରୀ ରଣେନ୍ଦ୍ର ପତାପ ସ୍ୱାଇଁଙ୍କ ବାସଭବନ ପର୍ଯ୍ୟନ୍ତ ଯାଇଥିଲେ । ଆଉ ସେଠାରେ ରଖି ବିକ୍ରି କରିଛନ୍ତି । ଦର ଉଚ୍ଚାଥିବାବେଳେ ଶସ୍ତାରେ ମିଳୁଥିବାରୁ ଲୋକମାନେ ଭିଡ ଲଗାଇ ପିଆଜ କିଣି ନେଇଛନ୍ତି ।
ଛାତ୍ର କଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କ ଘର ଉପରକୁ ପିଆଜ ଫୋପାଡିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଦେଇଛନ୍ତି । ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରି ପ୍ରତିବାଦ ଜଣାଇଛନ୍ତି । ଉତେଜନା ବଢ଼ୁଥିବାବେଳେ ଖବର ପାଇ ପହଁଚିଥିଲା କମିଶନରେଟ୍ ପୋଲିସ । ଛାତ୍ର କଂଗ୍ରେସ କର୍ମୀଙ୍କୁ ନିୟନ୍ତ୍ରଣ କରିଥିଲା ।
ଛାତ୍ର କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ ନେଇ କୃଷି ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳି ପାରିନି । ହେଲେ, ପିଆଜ ଦରବୃଦ୍ଧିକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଯୋଗାଣମନ୍ତ୍ରୀ କେନ୍ଦ୍ରକୁ ଦୋଷ ଠେଲି ଥିବାବେଳେ, ବିଜେପି ରାଜ୍ୟ ସରକାରଙ୍କୁ ଦାୟୀ କରିଛି ।
ପିଆଜ ଦର ବଢ଼ି ଚାଲିଥିବାବେଳେ କେବେ କମିବ କାହା ପାଖରେ ସଠିକ୍ ଉତର ନାହିଁ । ତେବେ ବ୍ୟବସାୟୀ ସଂଘର ସୂଚନା ଅନୁସାରେ ନାସିକ ପିଆଜ ଓଡିଶାକୁ ଆସିଲେ ଦରବୃଦ୍ଧି କମିପାରେ ।