ଓଡ଼ିଶା ଚାହିଦା ମେଂଟାଇବ ଇଜିପ୍ଟ ପିଆଜ । ଖାଉଟିଙ୍କ ଆବଶ୍ୟକତାକୁ ଦେଖି ଇଜିପ୍ଟରୁ ଆସୁଛି ଏକ ଲକ୍ଷ କ୍ୱିଂଟାଲରୁ ଅଧିକ ପିଆଜ । ଦିନେ ଦୁଇ ଦିନ ଭିତରେ ରାଜ୍ୟରେ ପହଂଚିବ

ବଜାରକୁ ଆସିବା ପରେ ନିୟନ୍ତ୍ରଣକୁ ଆସିପାରେ ଦର; ସେପଟେ ପିଆଜର ମହଙ୍ଗା ମାଡରେ ଘାଇଲା ହେଲେ ଲୋକେ, ପିଆଜର ସ୍ଥାନ ନେଲା ବନ୍ଧାକୋବି

860

କନକ ବ୍ୟୁରୋ: ସପ୍ତାହ ମଧ୍ୟରେ କମିପାରେ ପିଆଜ ଦର । କାରଣ ଇଜିପ୍ଟରୁ କେନ୍ଦ୍ର ସରକାର ଆମଦାନୀ କରିଛନ୍ତି ପ୍ରାୟ ୧ ଲକ୍ଷ ୨୦ ହଜାର ଟନ୍ ପିଆଜ । ଏହା ଗତକାଲି ଦେଶରେ ପହଂଚି ସାରିଥିବା ବେଳେ ଖୁବ୍ ଶୀଘ୍ର ସାରା ଦେଶର ବଜାରରେ ଉପଲବ୍ଧ ହେବ । ଫଳରେ ଶହେ ଟଙ୍କା ଛୁଇଁଥିବା ପିଆଜର ଦର କମିବ ବୋଲି ଆଶା କରିଛି ବ୍ୟବସାୟୀ ମହାସଂଘ । ଏଥିସହ ଜାନୁଆରୀ ପ୍ରଥମ ସପ୍ତାହରେ ଦେଶରେ ନୂଆ ପିଆଜ ଉତ୍ପାଦନ ହୋଇଯିବ ।

ଫଳରେ ପିଆଜ ଦର ଆଉ ଅଧିକ ବଢିବନାହିଁ ବରଂ ଦର କମିବା ଆରମ୍ଭ ହୋଇଯିବ ବୋଲି ବ୍ୟବସାୟୀ ମହାସଂଘ ଆଶା ରଖିଛି । ବାଙ୍ଗାଲୁର, ମହାରାଷ୍ଟ୍ରର ନାସିକ, ଆନ୍ଧ୍ରର କର୍ନୁଲରୁ ଓଡିଶାକୁ ମୁଖ୍ୟତଃ ପିଆଜ ଆସିଥାଏ । ହେଲେ ଏଥର ଅନିୟମିତ ବର୍ଷା ପିଆଜ ଉତ୍ପାଦକୁ ବେଶ୍ କମାଇ ଦେଇଛି । ଗତ କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସହରରେ ପିଆଜ ଦର ୯୦ରୁ ଅଧିକ ରହିଛି । ଓଡିଶାରେ ଦୈନିକ ପ୍ରାୟ ୬ଶହରୁ ୭ଶହ ଟନ୍ ଅର୍ଥାତ ୬ଲକ୍ଷରୁ ୭ ଲକ୍ଷ କିଲୋଗ୍ରାମ ଯାଏଁ ପିଆଜ ବିକ୍ରି ହୋଇଯାଏ । ଏବେ ମାତ୍ର ୨ରୁ ଅଢେଇ ଲକ୍ଷ କିଲୋଗ୍ରାମ ଯାଏ ପିଆଜ ବିକ୍ରି ହେଉଛି ବୋଲି ଜଣାପଡିଛି ।

ସେପଟେ, ପିଆଜର ମହଙ୍ଗା ମାଡରେ ଘାଇଲା ଗ୍ରାହକ । ଖାଲି ଗ୍ରାହକ କାହିଁକି, ବର୍ଦ୍ଧିତ ଦରର ପ୍ରଭାବ ପଡିଛି ଫାଷ୍ଟଫୁଡ୍ ଉପରେ । ହୋଟେଲ ମେନୁରେ ବି ପିଆଜ ଧିରେ ଧିରେ ହଜିବାକୁ ବସିଲାଣି । ଚିଲି ଆଇଟମରେ ପିଆଜ କମ୍, ବନ୍ଧାକୋବି ଅଧିକ । ସାଲାଡରେ ବି ସମାନ ସ୍ଥିତି । ପିଆଜ କମ୍, କାକୁଡି ଅଧିକ । ହୋଟେଲ ଓ ରେଷ୍ଟୁରାଂଟରେ ବିକ୍ରି ହେଉଥିବା ଚିଲି ଆଇଟମରେ ଧିରେ ଧିରେ ପିଆଜର ପରିମାଣ କମଗଲାଣି । ହୋଟେଲ ଆଇଟମରେ ପିଆଜର ସ୍ଥାନ ନେଇଯାଇଛି ବନ୍ଧାକୋବି ।

Source:ndtvimg.com

ଚିଲି କୋବି ଓ ଚିଲି ପନିରରେ ପିଆଜ ପକାଇବା ବେଳେ ପଛଘୁଂଚା ଦେଉଛନ୍ତି ଦୋକାନୀ । ଖାଦ୍ୟ ସହ ପିଆଜ ଦେବାକୁ ତ ସିଧା ସିଧା ମନା କରିଦେଉଛନ୍ତି । ଫାଷ୍ଟଫୁଡ୍ ଦୋକାନରେ ବି ପିଆଜର ମହଙ୍ଗା ମାଡ । ମେନୁରେ ଚିଲି ଆଇଟମ୍ର ଦାମ ବଢାଇଦେଇଛନ୍ତି । ଗୁପଚୁପ୍, ଚାଟ୍ , ଦହିବରାରେ ବି ପିଆଜ ଦେବା ବେଳେ କୁନ୍ଥ କୁନ୍ଥ ହେଉଛନ୍ତି ଦୋକାନୀ । ତେବେ ସପ୍ତାହ ମଧ୍ୟରେ ଶତକ ମାରିସାରିଲାଣି ପିଆଜ ଦର । ରାତି ପାହିଲେ ବଜାରରେ ନୂଆ ଦର ଶୁଣିବାକୁ ମିଳୁଛି । ଏସବୁ ଭିତରେ ବର୍ଦ୍ଧିତ ଦର , ହୋଟେଲ ଓ ଫାଷ୍ଟଫୁଡ୍ ଦୋକାନୀଙ୍କୁ ଚିନ୍ତାରେ ପକାଇଦେଇଛି ।