ପୁଣି ଆଖିରୁ ଲୁହ ଝରାଇଲା ପିଆଜ । ୪୫ରୁ ୫୦ ଟଙ୍କା ହେଲାଣି କିଲେ ପିଆଜ । କଡା ଟ୍ରାଫିକ୍ ନିୟମ ପାଇଁ ଆନ୍ଧ୍ରପ୍ରଦେଶରୁ ଆସି ପାରୁନି ଯଥେଷ୍ଟ ପିଆଜ
କନକ ବ୍ୟୁରୋ: ପିଆଜ ଦର ୫୦ ଟଙ୍କା ଡେଇଁଲା। ମୁମ୍ବାଇ, ବେଙ୍ଗାଲୁରୁ ଓ କୋଲକାତାରେ ଖୁଚୁରା ଦର ୫୦ ଟଙ୍କା। ଦିଲ୍ଲୀରେ ଖୁଚୁରା ଦର ୬୦ ଟଙ୍କାକୁ ଟପିଛି। ଭୁବନେଶ୍ବରର ଛୋଟ ଛୋଟ ଖୁଚୁରା ବଜାରରେ ମଧ୍ୟ ପିଆଜ କିଲୋ ୬୦ ଟଙ୍କାରେ ବିକ୍ରି ହେଲାଣି। ପାଇକାରୀ ଦର ହୁ ହୁ ହୋଇ ବୃଦ୍ଧି ପାଇଥିବାରୁ ଖୁଚୁରା ବଜାରରେ ଆପେ ଆପେ ପିଆଜ ଦରର ତାତି ବଢ଼ିବାରେ ଲାଗିଛି। ଆଗକୁ ସ୍ଥିତି ଆହୁରି ସଂଗିନ୍ ହେବ ଓ ୨୦୧୫ ମସିହାରେ ହୋଇଥିବା ସର୍ବୋଚ୍ଚ ଦର ୮୦ ଟଙ୍କାକୁ ଛୁଇଁବ ବୋଲି ବ୍ୟବସାୟୀମାନେ କହିଲେଣି। ରପ୍ତାନୀ କଟକଣାକୁ ବାଦ୍ ଦେଲେ ପିଆଜ ଦର ନିୟନ୍ତ୍ରଣ କରିବା ପାଇଁ ଅନ୍ୟ କିଛି ବିକଳ୍ପ ନାହିଁ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ଆଇଗିଣିଆ କୁବେରପୁରୀରେ ପିଆଜର ପାଇକାରୀ ଦର ମାନ ଅନୁସାରେ ୪୦ରୁ ୪୪ ଟଙ୍କା ରହିଛି। ନାସିକ୍ ପିଆଜ ହେଉ କି ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲ୍ରୁ ଆସୁଥିବା ନୂଆ ପିଆଜ ହେଉ, ସବୁର ଏକା ଦର ରହିଛି। ତେଣୁ ଖୁଚୁରା ବଜାର ଦର ସ୍ବତଃ ୫୦ଟଙ୍କା ହୋଇଛି। କ୍ୟାପିଟାଲ ହାଟରେ ଗତକାଲି ପିଆଜ ୫୦ଟଙ୍କାରେ ବିକ୍ରି ହୋଇଛି। କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ତଥା ଆଇନଜୀବୀ ଶକ୍ତିଶଙ୍କର ମିଶ୍ରଙ୍କ କହିବା କଥା ଦୁଇ ଦିନ ପୂର୍ବେ ନାସିକ୍ରେ ପିଆଜର ପାଇକାରୀ ଦର ୩୩/୩୪ ଟଙ୍କା ଥିଲା। ହଠାତ୍ ଗତକାଲି ଏହି ଦର ୪୨/୪୩ ଟଙ୍କା ହୋଇଯାଇଛି। ମାତ୍ର କୁବେରପୁରୀରେ ଗତ ୪ ଦିନ ତଳର ମାଲ୍ ଥିବାରୁ ଦର ବୃଦ୍ଧି ଘଟିନାହିଁ। ୨୦/୨୧ ତାରିଖରେ ନାସିକ୍ରେ କିଣା ହୋଇଥିବା ପିଆଜ ଭୁବନେଶ୍ବରରେ ପହଞ୍ଚିଲା ବେଳକୁ ପାଇକାରୀ ଦର ୪୫ ଟଙ୍କାକୁ ଟପିଯିବ। ତେଣୁ ଖୁଚୁରା ବଜାର ଦର ମଧ୍ୟ ୫୦ ଟଙ୍କା ଡେଇଁବ।