କନକ ବ୍ୟୁରୋ : ପିଆଜ ଦର ପୁଣି ବୃଦ୍ଧି ପାଇଛି । ବୁଧବାର ସନ୍ଧ୍ୟାରୁ ପାଇକାରୀ ବଜାରରେ ପିଆଜ ଦର କିଲୋ ପିଛା ୭୦ ଟଙ୍କାକୁ ଛୁଇଁଛି । ତେଣୁ ବୁଧବାର ଦିନ ସାରା ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଦରରେ ବିକ୍ରି ହେଉଥିବା ପିଆଜ ସନ୍ଧ୍ୟାବେଳକୁ ୮୦ ଟଙ୍କା ହୋଇଯାଇଛି । ଗୁରୁବାରଠାରୁ ଏହି ଦର ୯୦ ଟଙ୍କା ଛୁଇଁବା କିଛି ଅସମ୍ଭବ ନୁହେଁ ବୋଲି ବେପାରୀମାନଙ୍କଠାରୁ ସୂଚନା ମିଳିଛି ।
ମହାରାଷ୍ଟ୍ରରୁ ପିଆଜ ଆମଦାନି ହ୍ରାସ ପାଇନଥିଲେ ହେଁ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ନୂଆ ପିଆଜ ଅମଳ ବିଳମ୍ବିତ ହେଉଥିବାରୁ ଏଭଳି ପରିସ୍ଥିତି ଉପୁଜିଛି । ଚଳିତ ମାସ ପ୍ରଥମ ସପ୍ତାହରେ ଖୁଚୁରା ବଜାରରେ କିଲୋ ୪୦ ଟଙ୍କା ଥିବା ପିଆଜ ହୁ ହୁ ହୋଇ ବଢ଼ି ବଢ଼ି ଏବେ ଦୁଇ ଗୁଣା ଦରରେ ପହଞ୍ଚିଛି । କେବଳ ମହାରାଷ୍ଟ୍ର ପିଆଜ ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ଏଭଳି ଦରବୃଦ୍ଧି ଘଟୁଛି ବୋଲି କୁହାଯାଉଛି । ତେଣୁ ଆଗକୁ ପିଆଜ ଦର ଆହୁରି ବଢ଼ିବ ।
ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପାଇକାରୀ ବଜାରରେ ପିଆଜ କିଲୋ ୪୫ରୁ ୫୫ ଟଙ୍କା ମଧ୍ୟରେ ସୀମିତ ଥିଲା । ତେଣୁ ବୁଧବାର ଦିନ ତମାମ ଖୁଚୁରା ବଜାରରେ କିଲୋ ପିଛା ୬୫ରୁ ୭୦ ଟଙ୍କା ଦରରେ ପିଆଜ ବିକ୍ରି ହେଉଥିଲା । କିନ୍ତୁ ହଠାତ୍ ବୁଧବାର ସନ୍ଧ୍ୟାରେ ପାଇକାରୀ ବଜାର ତାତି ବଢ଼ିଗଲା । ପିଆଜ ଦର ୭୦ ଟଙ୍କା ହୋଇଗଲା । ଅର୍ଥାତ୍ ମଙ୍ଗଳବାର ସନ୍ଧ୍ୟାରେ କ୍ବିଣ୍ଟାଲ ପିଛା ୫୫ ଶହ ଟଙ୍କା ଥିବା ପିଆଜ ଦରରେ ବୁଧବାର ସନ୍ଧ୍ୟାବେଳକୁ ୧୫ ଶହ ଟଙ୍କା ବୃଦ୍ଧି ପାଇଲା । ପାଇକାରୀ ବଜାର ଦର ବୃଦ୍ଧି ବିଜୁଳି ବେଗରେ ଖେଳିଗଲା ଓ ସଙ୍ଗେ ସଙ୍ଗେ ରାଜଧାନୀର ବହୁ ହାଟବଜାରରେ ପିଆଜ କିଲୋ ୮୦ ଟଙ୍କା ହୋଇଗଲା । କ୍ୟାପିଟାଲ ହାଟରେ କିଛି ବ୍ୟବସାୟୀ ସନ୍ଧ୍ୟା ୭ଟା ସୁଦ୍ଧା ୭୦ ଟଙ୍କାରେ ପିଆଜ ବିକୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ପରେ ପରେ ହଠାତ୍ କିଲୋ ପିଛା ୧୦ ଟଙ୍କା ବୃଦ୍ଧି କରିଦେଲେ । ଜଣେ ଗ୍ରାହକ ମାୟାରାଣୀ ଶତପଥୀଙ୍କ କହିବା କଥା ସେ ହାଟ ଭିତରକୁ ଯିବାବେଳେ ପରିବା ଦୋକାନରେ ପିଆଜ କିଲୋ ୭୦ ଟଙ୍କା ବୋଲି ବୁଝିଥିଲେ ଓ ପ୍ରାୟ ଅଧ ଘଣ୍ଟା ପରେ ହାଟ ଭିତରୁ ତେଜରାତି ସାମଗ୍ରୀ କିଣି ଫେରିବାବେଳକୁ ପିଆଜ ଦର ୮୦ ଟଙ୍କା ହୋଇଯାଇଥିଲା।
ସେହିଭଳି ନୂଆପଲ୍ଲୀ ଇନ୍ଦ୍ରଧନୁ ମାର୍କେଟ୍, ରସୁଲଗଡ଼ କୋଚିଲେଇ ହାଟ ଆଦି ବିଭିନ୍ନ ସ୍ଥାନରେ ପିଆଜ କିଲୋ ୮୦ ଟଙ୍କା ହୋଇଥିବା ଖବର ମିଳିଛି । କୁବେରପୁରୀରୁ ମିଳିଥିବା ସୂଚନାନୁସାରେ ଏବେ ପାଇକାରୀ ଦର କ୍ବିଣ୍ଟାଲ ପିଛା ୭ ହଜାର ଟଙ୍କା ହୋଇଛି । ଅବଶ୍ୟ ନିମ୍ନମାନର ପିଆଜ କ୍ବିଣ୍ଟାଲ ୫୦ ଟଙ୍କା ମଧ୍ୟରେ ଅଛି । ବ୍ୟବସାୟୀ ସଂଘର ସମ୍ପାଦକ ତଥା ଆଇନଜୀବୀ ଶକ୍ତିଶଙ୍କର ମିଶ୍ରଙ୍କ ସୂଚନାନୁସାରେ ଆନ୍ଧ୍ରପ୍ରଦେଶରେ ଏବେ ନୂଆ ପିଆଜ ଅମଳ ଋତୁ । କିନ୍ତୁ ଲଗାଣ ବର୍ଷା କାରଣରୁ ଚାଷୀମାନେ ଅମଳ କରି ପାରୁନାହାନ୍ତି । ଯେଉଁ କିଛି ଚାଷୀ ଅମଳ କରିଛନ୍ତି, ତାହା ଲଗାଣ ବର୍ଷା ଲାଗି ସଂରକ୍ଷଣ ହୋଇନପାରି ନଷ୍ଟ ହୋଇଯାଇଛି ।
ସମାନ ଅବସ୍ଥା କର୍ଣ୍ଣାଟକରେ । ତେଣୁ ଏବେ କେବଳ ମହାରାଷ୍ଟ୍ର ଉପରେ ନିର୍ଭର କରିବାକୁ ପଡ଼ୁଛି । ଶ୍ରୀ ମିଶ୍ରଙ୍କ ସୂଚନାନୁସାରେ ମହାରାଷ୍ଟ୍ରର ନାସିକ୍ ଓ ଲାସ୍ଲଗାଓଁ ମଣ୍ଡିରେ ପିଆଜ କ୍ବିଣ୍ଟାଲ ୬ ହଜାର ୮ ଶହ ଟଙ୍କା ରହିଛି । ତେଣୁ ଆଜି ସେଠାରୁ କିଣା ହୋଇଥିବା ପିଆଜ ଆଉ ଦୁଇ ଚାରି ଦିନ ପରେ ଭୁବନେଶ୍ବରରେ ପହଞ୍ଚିବାବେଳକୁ ପରିବହନ ଖର୍ଚ୍ଚ ସହିତ ୭୦ ଟଙ୍କାରୁ ଅଧିକ ହେବ। ଫଳରେ ଆଉ ଦୁଇ ଚାରି ଦିନ ଭିତରେ ପିଆଜ ଦର ୯୦/୧୦୦ ଟଙ୍କା ହୋଇଯିବା କିଛି ଅସମ୍ଭବ ନୁହେଁ। ଏଭଳି ସ୍ଥିତିରେ ଯୋଗାଣ ବିଭାଗ ଖୁଚୁରା ବେପାରୀଙ୍କୁ ନିୟନ୍ତ୍ରଣ କରି କିଲୋ ପିଛା ୫ ଟଙ୍କା ମୁନାଫାରେ ବିକ୍ରି କରିବାକୁ ନିର୍ଦ୍ଦେଶ ଦେବା ଜରୁରୀ ବୋଲି ସେ କହିଛନ୍ତି ।